ନିରବଙ୍କଠୁ ବଡ଼ ଠକ ସନ୍ଦସେରା ଭ୍ରାତା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକୁ ଚୂନ ଲଗାଇବାରେ ନିରବ ମୋଦୀଙ୍କୁ ଟପିଯାଇଛନ୍ତି ସନ୍ଦସେରା ଭ୍ରାତା। ଗୁଜରାଟରେ ଷ୍ଟର୍ଲିଂ ବାୟୋଟେକ ନାମରେ ଔଷଧ କଂପାନି ସ୍ଥାପନ କରିଥିବା ସନ୍ଦସେରା ଭାଇ ୧୪,୫୦୦ କୋଟି ଟଙ୍କାରୁ ବଡ଼ ଠକେଇ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଛି। ସନ୍ଦସେରା ଭ୍ରାତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଇଡି ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ନିରବ ମୋଦୀ ୧୧,୪୦୦ କୋଟି ଟଙ୍କା ଠକେଇ କରିଥିଲେ। କିନ୍ତୁ ଷ୍ଟର୍ଲିଂ ବାୟୋଟେକ୍‌ର ପ୍ରତିଷ୍ଠାତା ନୀତୀନ ସନ୍ଦସେରା, ଚେତନ ସନ୍ଦସେରା ଓ ଦୀପ୍ତି ସନ୍ଦସେରା ଭାରତୀୟ ବ୍ୟାଙ୍କଗୁଡ଼ିକରେ ୧୪,୫୦୦ କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି। ବ୍ୟାଙ୍କ ଠକେଇ ବିଷୟରେ ଜଣାପଡ଼ିବା ପୂର୍ବରୁ ସନ୍ଦସେରା ପରିବାର ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେମାନେ ନାଇଜେରିଆରେ ବସବାସ କରୁଥିବା ଜଣାପଡ଼ିଛି। ୨୦୧୭‌ରେ ୫୩୮୩ କୋଟି ଟଙ୍କା ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ପକ୍ଷରୁ ସନ୍ଦସେରା ଭ୍ରାତାଙ୍କ ବିରୋଧରେ ଏତେଲା ରୁଜୁ କରାଯାଇଥିଲା। ଏହା ପରେ ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ଦାୟର କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସନ୍ଦସେରା ଗ୍ରୁପ୍‌ର ଯେଉଁ ସବୁ ସଂସ୍ଥା ବିଦେଶରେ ଥିଲା ସେଗୁଡ଼ିକ ସେହି ସବୁ ସ୍ଥାନରେ ଥିବା ଭାରତୀୟ ବ୍ୟାଙ୍କ ଶାଖାରୁ ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇଥିଲେ। ଆନ୍ଧ୍ର ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଆହ୍ଲାହାବାଦ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ସନ୍ଦସେରା ଗ୍ରୁପ୍‌କୁ ଋଣ ଦିଆଯାଇଥିଲା। ଇଡିର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବ୍ୟାଙ୍କରୁ ଋଣ ଆକାରରେ ସନ୍ଦସେରା ଭ୍ରାତା ଯେଉଁ ପାଣ୍ଠି ହାସଲ କରିଥିଲେ ତାହାକୁ ବିଭିନ୍ନ ଉପାୟରେ ଏପଟ ସେପଟ କରି ଅନ୍ୟତ୍ର ଖଟାଇଥିଲେ।

ସମ୍ବନ୍ଧିତ ଖବର