ଏନ୍‌ଆଇଏନ୍‌ଏଲ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ‘ସେଫି’

ସେଲ୍‌ ସହ ମିଶ୍ରଣ ପାଇଁ ଅନୁରୋଧ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦିପମ୍ ବିଭାଗ ପକ୍ଷରୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ବିଡ୍‌ ଆହ୍ବାନ କରାଯାଇଛି। ଏଭଳି ଏକ ସମୟରେ ଏନ୍‌ଆଇଏନ୍‌ଏଲ୍‌କୁ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍ ସହ ମିଶ୍ରଣ କରିବା ଲାଗି ଷ୍ଟିଲ୍‌ ଏକ୍‌ଜିକ୍ୟୁଟିଭ୍‌ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ସେଫି) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଛି। ଏନେଇ ସେଫି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି ଯାହାର ନକଲ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିଚ ଡକ୍ଟର ପି କେ ମିଶ୍ରଙ୍କ ନିକଟକୁ ପଠାଯାଇଛି।

ସେଫି ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ଅତୀତରେ ମଧ୍ୟ ସେଲ୍ ସହ ଏନ୍‌ଆଇଏନ୍‌ଏଲ୍‌ର ମିଶ୍ରଣ କରିବା ନେଇ ଚର୍ଚା ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଯଦି ସେଲ୍ ସହ କଂପାନିର ମିଶ୍ରଣ ହେବ ତେବେ ଏନ୍‌ଆଇଏନ୍‌ଏଲ୍‌ରେ ଏମ୍‌ଏମ୍‌ଟିସି ଓ ଅନ୍ୟ ଅଂଶଧନକାରୀଙ୍କ ଥିବା ସେୟାର କେବଳ ଗୋଟିଏ ସରକାରୀ ସଂସ୍ଥାରୁ ଅନ୍ୟ ସରକାରୀ ସଂସ୍ଥାକୁ ସ୍ଥାନାନ୍ତରିତ ହେବ। ୨୦୧୯ ମଧ୍ୟ ଭାଗରୁ ଏନ୍‌ଆଇଏନ୍‌ଏଲ୍‌ର ଯାଜପୁରର କଳିଙ୍ଗନଗର ଠାରେ ଥିବା କାରଖାନାରେ ଉତ୍ପାଦନ ବନ୍ଦ ରହିଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ କରିବାକୁ ସେଫି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦୃ‌ଷ୍ଟି ଆକର୍ଷଣ କରାଯାଇଛି। କଂପାନି ଉପରେ ୧୦ ହଜାର ପରିବାରର ଜୀବନଜୀବିକା ନିର୍ଭରଶୀଳ ଥିବା ସେଫି ପକ୍ଷରୁ କୁହାଯାଇଛି। ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥା ଯଥା ସେଲ୍, ଆର୍‌ଆଇଏନ୍‌ଏଲ୍‌ କିମ୍ବା ଏନ୍‌ଏମ୍‌ଡିସି ସହ ଏନ୍‌ଆଇଏନ୍‌ଏଲ୍‌ର ମିଶ୍ରଣ କରିବାକୁ ସେଫି ପକ୍ଷରୁ ଅନୁରୋଧ କରାଯାଇଛି। ଏନ୍‌ଆଇଏନ୍‌ଏଲ୍‌ ହେଉଛି ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ଭେଲ୍‌, ମେକନ୍ ଓ ଓଡ଼ିଶାର ଦୁଇଟି ପିଏସ୍‌ୟୁ ଓଏମ୍‌ସି ଓ ଇପିକଲ୍‌ର ମିଳିତ ସହଯୋଗିତାରେ ଗଠନ କରାଯାଇଥିବା ଏକ ଯୌଥ ଉଦ୍ୟୋଗ।

ଏନ୍‌ଆଇଏନ୍‌ଏଲ୍‌ରେ ଏମ୍‌ଏମ୍‌ଟିସିର ଥିବା ୪୯.୭୮%, ଏନ୍‌ଏମ୍‌ଡିସିର ୧୦.୧୦%, ମେକନ୍‌ର ୦.୬%, ଭେଲ୍‌ର ୦.୬୮%, ଓଏମ୍‌ସିର ୨୦.୪୭% ଓ ଇପିକଲ୍‌ର ୧୨% ଅଂଶଧନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନି‌ଷ୍ପତ୍ତି ହୋଇଛି। ଏଥିପାଇଁ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସକୁ କାରବାର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଏନ୍‌ଆଇଏନ୍‌ଏଲ୍‌କୁ ୧୯୮୨ରେ ଯାଜପୁରର କଳିଙ୍ଗନଗର ଶିଳ୍ପ କମ୍ପ୍ଲେକ୍ସରେ ସ୍ଥାପନ କରାଯାଇଥିଲା। କାରଖାନାକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପିଗ୍ ଆଇରନ୍ ଉତ୍ପାଦନ କରିବା ଲାଗି ୧.୧ ଏମ୍‌ଟିପିଏ କ୍ଷମତାର ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ ସ୍ଥାପନ କରାଯାଇଥିଲା ଯାହା ୨୦୦୨ରେ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତୀ ସମୟରେ କାରଖାନାରେ ସିଣ୍ଟର୍‌ ପ୍ଲାଣ୍ଟ୍, କୋକ୍ ଓଭେନ୍ ପ୍ଲାଣ୍ଟ୍‌, ପାୱାର ପ୍ଲାଣ୍ଟ୍‌ ଆଦି ଯୋଡ଼ାଯାଇଥିଲା। ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଷ୍ଟିଲ୍ ମେଲ୍ଟିଂ ସପ୍, ବିଲେଟ୍‌ ଉତ୍ପାଦନ ବ୍ୟବସ୍ଥା, କଣ୍ଟିନିଓସ୍‌ କାଷ୍ଟିଂ ସପ୍, ଲାଡଲ୍‌ ଫର୍ଣ୍ଣାସ୍‌, ବିଲେଟ୍‌ କାଷ୍ଟର୍‌ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। କଂପାନିକୁ ନିଜସ୍ବ ବ୍ୟବହାର ପାଇଁ ଏକ ଖଣି ମଧ୍ୟ ଆବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର