ଏମିତି ସଙ୍କଟର ମୁକାବିଲା କରିଥିଲେ ଶକ୍ତିକାନ୍ତ, ୨୦୦ରୁ ଅଧିକ ଅଧିକାରୀଙ୍କୁ ନେଇ ଟିମ୍ ଗଠିତ

ଚାରିଟି ସ୍ଥାନରେ ରହି ଟିମ୍ କାର୍ଯ୍ୟ କରୁଛି, ଲକ୍‌ଡାଉନ୍ ପରଠାରୁ ଟିମ୍‌ ସଦସ୍ୟ ଘରକୁ ଯାଇନାହାନ୍ତି

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ୨୫ରୁ ଦେଶରେ ଲକ୍‌ଡାଉନ୍ ଆରମ୍ଭ ହୋଇଯିବା ପରେ ଆର୍ଥିକ ବଜାର କାର୍ଯ୍ୟକୁ ସ୍ବାଭାବିକ ରଖିବା ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଥିଲା। ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟା ଆର୍ଥିକ ସେବା ଯୋଗାଇଦେବା ଭଳି ପାହାଡ଼ ସଦୃଶ ଆହ୍ବାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ନାରେ ରହିଥିଲା। ସ୍ଥିତିର ଗମ୍ଭୀରତାକୁ ସେ ଭଲ ଭାବେ ବୁଝିପାରିଥିଲେ। ତୁରନ୍ତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ୨୦୦ରୁ ଅଧିକ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ।

ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞମାନଙ୍କ ଏକ ଟିମ୍ ମୁମ୍ବାଇର ଏକ ହୋଟେଲ୍‌ରେ ରହି କାର୍ଯ୍ୟ କରିଥିଲେ। ଆଉ ଏକ ଟିମ୍‌ ମୁମ୍ବାଇର ଉପକଣ୍ଠରେ ଥିବା ଖରଗାର୍‌ରୁ କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ଦୁଇଟି ଟିମ୍‌ ନାଗପୁର ଓ ହାଇଦ୍ରାବାଦରେ ରହି କାର୍ଯ୍ୟ କରୁଛି। ଏବେ ଚାରିଟି ଟିମ୍ ଏହି କାର୍ଯ୍ୟ କରୁଛନ୍ତି ଯେଉଁଥିରେ ଟେଲିକମ୍ କଂପାନି ଏବଂ ପ୍ରଯୁକ୍ତି ଜରିଆରେ ଆର୍ଥିକ ସେବା ପ୍ରଦାନ କରୁଥିବା କଂପାନିର ଅଧିକାରୀ ମଧ୍ୟ ଯୋଡ଼ିହୋଇଛନ୍ତି। ପେମେଣ୍ଟ୍‌ ଠାରୁ ଆରମ୍ଭ କରି ଆର୍ଥିକ ବଜାରର ସମସ୍ତ ବ୍ୟବସ୍ଥା ଯେଭଳି ସୁରୁଖୁରୁରେ ହୋଇପାରିବ ତାହାକୁ ନିଶ୍ଚିତ କରିବା ଲାଗି ଏହି ଚାରିଟି ଟିମ୍ ଏବେ କାର୍ଯ୍ୟ କରୁଛନ୍ତି। ଏହି ଟିମ୍‌ଗୁଡ଼ିକରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିଜ ଇଚ୍ଛାରେ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଅନେକ କଷ୍ଟ କରିବାକୁ ପଡ଼ୁଛି। ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ସେମାନେ ପରିବାର ଠାରୁ ଦୂ‌ରେଇ ରହିଛନ୍ତି। ଦୀର୍ଘ ୨୫ ଦିନ କାର୍ଯ୍ୟ କରିବା ପରେ ସେମାନଙ୍କୁ ଘରକୁ ଯିବା ଲାଗି କୁହାଯାଇଥିଲା, କିନ୍ତୁ ଅଧିକାଂଶ ସଦସ୍ୟ ଘରକୁ ନଯାଇ ଯେଉଁ ସ୍ଥାନରେ ଅଛନ୍ତି ସେଠାରୁ କାର୍ଯ୍ୟ ଅବ୍ୟାହତ ରଖିବାକୁ ପସନ୍ଦ କରିଥିଲେ। ଦେଶ ପ୍ରତି ସେମାନଙ୍କର ଥିବା ପ୍ରତିବଦ୍ଧତାର ଏହା ବଳିଷ୍ଠ ପ୍ରମାଣ ଥିଲା। ଭାରତରେ ବିଶ୍ବର ସବୁଠୁ କଠୋର ଲକ୍‌ଡାଉନ୍ ଲାଗୁ କରଯାଇଥିଲେ ମଧ୍ୟ କେତେକ ଶ୍ରେଷ୍ଠ ପ୍ରଯୁକ୍ତି ଜରିଆରେ ଏହି ଚାରିଟି ଦଳ ଦେଶର ଆର୍ଥିକ ବଜାରର ବ୍ୟବସ୍ଥାକୁ ସଫଳତାର ସହ ଚାଲୁ ରଖିଛନ୍ତି।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ମଧ୍ୟ ଏହି ଟିମ୍‌ଗୁଡ଼ିକ ସହିତ ଦୁଇ ଥର ଆଲୋଚନା କରିଥିଲେ ଏବଂ ସେମାନେ ଦେଶ ପାଇଁ ଯେଉଁ ମହତ କାର୍ଯ୍ୟ କରୁଛନ୍ତି ସେଥିପାଇଁ ଧନ୍ୟବାଦ ଦେଇଥିଲେ। କିଛି ଦିନ ତଳେ ମୁଦ୍ରାନୀତି ପଦକ୍ଷେପ ଘୋଷଣା କରିବା ବେଳେ ସେ ଏହି ଟିମ୍‌ ବିଷୟରେ କହିଥିଲେ। ରିଜର୍ଭ ବ୍ୟାଙ୍କର ସେବା ଯେଭଳି ନିରବଚ୍ଛିନ୍ନ ଭାବେ ସାରା ଦେଶରେ ଉପଲବ୍ଧ ହୋଇପାରିବ ତାହାକୁ ନିଶ୍ଚିତ କରିବା ଲାଗି ୨୦୦ରୁ ଅଧିକ ଅଧିକାରୀଙ୍କ ଟିମ୍‌ ସଙ୍ଗରୋଧରେ ରହି ନିଷ୍ଠାର ସହ ଯେଉଁଭଳି ଭାବେ ନିଜର ଦାୟିତ୍ବ ନିର୍ବାହ କରୁଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଦେବାକୁ ଚାହୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର