ଆମ୍ବି ଭ୍ୟାଲିର ଅପରେସନ ଆରମ୍ଭ ଲାଗି ସାହାରାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ସୁବ୍ରତ ରାୟଙ୍କ କମ୍ପାନି ସାହାରା ଇଣ୍ଡିଆ କୁ ସୁପ୍ରିମ କୋର୍ଟରୁ ଏକ ବଡ଼ ଆଶ୍ୱସ୍ଥି ମିଳିଛି । ସାହାରାର ଆମ୍ବି ଭ୍ୟାଲିର ସରକାରୀ ରିସିଭର ଓ ଲିକ୍ୱିଡେଟର ପ୍ରତ୍ୟାହାର ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆମ୍ବି ଭ୍ୟାଲିର ସବୁ କାଗଜପତ୍ର କମ୍ପାନିକୁ ଫେରାଇବା ପାଇଁ କହିଛନ୍ତି । ଏହା ସହିତ କୋର୍ଟ କହିଛନ୍ତି ଯେ କମ୍ପାନି ଆମ୍ବି ଭ୍ୟାଲିର ଅପରେସନ୍ସ ଆରମ୍ଭ କରିପାରିବ । ସାହାରା ତରଫରୁ ଓକିଲ ବିକାଶ ସିଂ କହିଛନ୍ତି ଯେ କମ୍ପାନି ୨ୟ ଥର ପାଇଁ ନିଜର ଦେୟ ପରିଶୋଧ କରିଛି । କମ୍ପାନି ଏବେ ସୁଦ୍ଧା ସେବିକୁ ମୋଟ ୨୦ ହଜାର କୋଟି ଟଙ୍କା ଦାଖଲ କରିସାରିଲାଣି । କିନ୍ତୁ ସେବି ଏପର୍ଯ୍ୟନ୍ତ ଗ୍ରାହକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରି ନାହିଁ । ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେବି ଏହା ଆରମ୍ଭ କରିନାହିଁ । ସେବି ପ୍ରଥମେ ଗ୍ରାହକ ଯାଞ୍ଚ ସାରି ଦିଆଯାଇଥିବା ଅର୍ଥ ପ୍ରଦାନ କରୁ, ତାପରେ ଅବଶିଷ୍ଟ ଅର୍ଥ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସାହାରାର ଓକିଲ ଯୁକ୍ତି କରିଥିଲେ ଯେ କମ୍ପାନିର ନିର୍ଦ୍ଦେଶକମାନଙ୍କୁ ଦିଆଯାଇଥିବା ପୁଲିସ ସୁରକ୍ଷା ପ୍ରତ୍ୟାହାର କରାଯାଉ । କିନ୍ତୁ ଏହାକୁ ସେବି ଦୃଢଭାବେ ବିରୋଧ କରିଥିଲା । ତେବେ କୋର୍ଟ କହିଥିଲେ ଯେ “ସାହାରା ଇତି ମଧ୍ୟରେ ୨୦ ହଜାର କୋଟି ଦେଇସାରିଲାଣି, ଆପଣ କଣ ଭାବୁଛନ୍ତି ଯେ ଆଉ କିଛି କୋଟି ପାଇଁ ସେମାନେ ଦେଶଛାଡି ପଳାଇବେ ?”

ସମ୍ବନ୍ଧିତ ଖବର