ନୂଆଦିଲ୍ଲୀ: ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଅେନ୍ତ ସାହାରା-ସେବି ମାମଲାର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଜି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ପୁରୀ ବୁଚ୍ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା ଜାରି ରହିବ। ମାମଲା କୌଣସି ବ୍ୟକ୍ତି ବିରୋଧରେ ନୁହେଁ, ବରଂ ଏକ ସଂସ୍ଥା ବିରୋଧରେ ଚାଲିଛି। ତେଣୁ ଗ୍ରୁପ୍ର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ତାହାକୁ ପ୍ରଭାବିତ କରିବ ନାହିଁ। ‘ସେବି’ ପାଖରେ ସାହାରାର ୨୫ ହଜାର କୋଟି ଟଙ୍କା ପଡ଼ିରହିଥିବା ବେଳେ ଗତ ୧୧ ବର୍ଷ ଭିତରେ ଜମାକାରୀମାନଙ୍କୁ ସେ ମାତ୍ର ୧୩୮ କୋଟି ଟଙ୍କା ଫେରାଇଛି। ଏତେ କମ୍ ଟଙ୍କା ଫେରସ୍ତ କରାଯାଇଥିବା ପଛର କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ବୁଚ୍ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା କମିଟିର ନିର୍ଦ୍ଦେଶ ଅନୁସାରେ ଟଙ୍କା ଫେରସ୍ତ କରାଯାଉଛି। କମିଟିର ସୁପାରିସ ଅନୁସାରେ ବହୁବାର ବିଜ୍ଞାପନ ଦିଆଯାଇଛି। ଯେଉଁ ଜମାକାରୀମାନେ ପ୍ରମାଣ ସହ ଆଗକୁ ଆସୁଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି।
ଅତୀତରେ ସାହାରା ଗ୍ରୁପ୍ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲା ଯେ ଆମେ ୨୪ ହଜାର କୋଟି ଟଙ୍କା ଜମା କରିବା ସତ୍ତ୍ବେ ନିବେଶକଙ୍କୁ ଟଙ୍କା ଫେରାଇବା ଲାଗି ସେବି ଯଥେଷ୍ଟ ଉଦ୍ୟମ କରୁନାହିଁ। ଏହି ମାମଲା ୨୦୧୧ ମସିହାର। ସାହାରାର ଦୁଇଟି କଂପାନି ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ୍ କର୍ପୋରେସନ ଲିମିଟେଡ୍ (ଏସ୍ଆଇଆର୍ଇଏଲ୍) ଓ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ୍ (ଏସ୍ଏଚ୍ଆଇସିଏଲ୍)କୁ ସେବି ନିର୍ଦ୍ଦେଶ ଦେଇ ୩ କୋଟି ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲା। ଏହା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। କଂପାନିର ମୁଖ୍ୟ ସୁବ୍ରତ ରାୟଙ୍କୁ ଗିରଫ କରାଯାଇଥିଲା ଓ ସେ ଜେଲ୍ ବି ଯାଇଥିଲେ।
ନାତି ଦେଲେ ମୁଖାଗ୍ନି
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌର ବୈକୁଣ୍ଠଧାମରେ ସାହାରା ଗ୍ରୁପ୍ର ମୁଖ୍ୟ ସ୍ବର୍ଗତ ସୁବ୍ରତ ରାୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବିଦେଶରେ ଥିବା ତାଙ୍କ ଦୁଇ ପୁଅ ସୁଶାନ୍ତ ଓ ସୀମାନ୍ତ ଆସିପାରି ନଥିବାରୁ ୧୬ ବର୍ଷୀୟ ନାତି ହେମାଙ୍କ ରାୟ ମୁଖାଗ୍ନି ଦେଇଛନ୍ତି। ସୁବ୍ରତଙ୍କ ପତ୍ନୀ ସ୍ବପ୍ନା ରାୟ, ଝିଆରି ପ୍ରିୟଙ୍କା ସରକାର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁମ୍ବାଇରେ ସୁବ୍ରତ ରାୟଙ୍କ ଦେହାନ୍ତ ହୋଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ଏକ ଚାର୍ଟର ବିମାନ ଜରିଆରେ ଲକ୍ଷ୍ନୌ ଅଣାଯାଇଥିଲା। ତାଙ୍କ ଶେଷ ଦର୍ଶନ କରିବା ଲାଗି ସିନେମା ଓ ରାଜନୀତି ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ।
ଅମିତାଭଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ ସୁବ୍ରତ ରାୟ
ନୂଆଦିଲ୍ଲୀ: ବଲିଉଡ୍ର ମହାନାୟକ ଭାବେ ପରିଚିତ ଅମିତାଭ ବଚ୍ଚନଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ସେ ଦେବାଳିଆ ହୋଇପଡ଼ିଥିଲେ। ସେ ପ୍ରତିଷ୍ଠା କରିଥିବା କଂପାନି ଅମିତାଭ ବଚ୍ଚନ କର୍ପୋରେସନ ଲିମିଟେଡ (ଏବିସିଏଲ) ବିଫଳ ହେବା ପରେ ସେ ଋଣରେ ବୁଡ଼ିଯାଇଥିଲେ। ଋଣ ଦେଇଥିବା ବ୍ୟାଙ୍କ ତାଙ୍କ ଘରେ ପହଞ୍ଚିଯାଇଥିଲେ। ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଥିବା ଅମିତାଭଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟ। ସମାଜବାଦୀ ପାର୍ଟିର ନେତା ଅମର ସିଂହ ଥିଲେ ଅମିତାଭଙ୍କ ଜଣେ ଭଲ ବନ୍ଧୁ। ସେ ସୁବ୍ରତ ରାୟଙ୍କର ମଧ୍ୟ ବନ୍ଧୁ ଥିଲେ। ଅମରଙ୍କ ଜରିଆରେ ସୁବ୍ରତ ଓ ଅମିତାଭଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା ଏବଂ ପରେ ତାହା ବନ୍ଧୁତାରେ ପରିଣତ ହୋଇଥିଲା। ସୁବ୍ରତ ରାୟ ତାଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ। ଏହା ପରେ ଅନେକ ବଡ଼ ବଡ଼ ମଞ୍ଚରେ ଅମିତାଭ, ସୁବ୍ରତ ଓ ଅମରଙ୍କୁ ଦେଖିବାକୁ ମିଳିଥିଲା। ୨୦୧୦ରେ ସୁବ୍ରତଙ୍କ ଝିଆରି ଶିବାଙ୍କାଙ୍କ ବାହାଘରରେ ମଧ୍ୟ ଅମିତାଭ ଯୋଗ ଦେଇଥିଲେ।