ନୂଆଦିଲ୍ଲୀ: ସାହାରା ଗ୍ରୁପ୍‌ର ଜମାକାରୀଙ୍କୁ ଫେରସ୍ତ କରାଯାଉଥିବା ଟଙ୍କାର ସୀମାକୁ କେନ୍ଦ୍ର ସରକାର ୫୦ ହଜାର ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବରୁ ଏହି ସୀମା ୧୦ ହଜାର ଟଙ୍କା ଥିଲା। ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ୍‌ ଜରିଆରେ ବର୍ତ୍ତମାନ ସୁଦ୍ଧା ସାହାରାର ୪.୨୯ ଲକ୍ଷ ଜମାକାରୀଙ୍କୁ ୩୭୦ କୋଟି ଟଙ୍କା ଫେରସ୍ତ କରାଯାଇଛି। ଫେରସ୍ତ ଦିଆଯାଉଥିବା ଟଙ୍କାର ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଆଗାମୀ ୧୦ ଦିନରେ ୧୦୦୦ କୋଟି ଟଙ୍କା ଦିଆଯିବ ବୋଲି ଆଶା କରାଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାହାରା ଜମାକାରୀଙ୍କ ସୁବିଧା ଲାଗି ୨୦୨୩ ଜୁଲାଇ ୧୮ରେ ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ୍ ଆରମ୍ଭ କରାଯାଇଥିଲା।

Advertisment

ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌, ସାହାରାୟଣ ୟୁନିଭର୍ସାଲ ମଲ୍‌ଟିପପର୍ସ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌ ଓ ଷ୍ଟାର୍ସ ମଲ୍‌ଟିପର୍ପସ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌ର ଜମାକାରୀମାନେ ନିଜ ଟଙ୍କା ଫେରିପାଇବା ଲାଗି ଏହି ପୋର୍ଟାଲ୍ ଜରିଆରେ ଦାବି ଉପସ୍ଥାପନ କରୁଛନ୍ତି। ସେମାନଙ୍କୁ ଟଙ୍କା ଫେରାଇବା ଲାଗି ସେବି-ସାହାରା ପାଣ୍ଠିରେ ଥିବା ୫୦୦୦ କୋଟି ଟଙ୍କାକୁ ସେଣ୍ଟ୍ରାଲ୍ ଜେରିଷ୍ଟ୍ରାର୍‌ ଅଫ୍‌ କୋଅପରେଟିଭ୍ ସୋସାଇଟିକୁ ସ୍ଥାନାନ୍ତର କରାଯାଇଛି।