ରାଉରକେଲା: ଇସ୍ପାତ ମନ୍ତ୍ରାଳୟ ଅଧୀନ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ(ସେଲ୍‌) ପକ୍ଷରୁ ନୂତନ ଭାବେ ଖଣି ବିଭାଗ ସ୍ଥାପନ କରାଯିବ। ସେଲ୍‌ ଅଧୀନରେ ଥିବା ବିଭିନ୍ନ ଖଣିର ଉତ୍ପାଦନ ବୃଦ୍ଧି, ସୁପରିଚାଳନା ଓ ଆଧୁନିକୀକରଣ ପାଇଁ ନିର୍ଦେଶକ (ଖଣି ଓ ଲଜିଷ୍ଟିକ) ପଦବି ସୃଷ୍ଟି କରାଯିବ। ଏହି ପଦବି ସୃଷ୍ଟି ହେବା ପର୍ଯ୍ୟନ୍ତ ବୈଷୟିକ, କଞ୍ଚାମାଲ ଓ ପ୍ରକଳ୍ପ ବିଭାଗ ନିର୍ଦେଶକ ଏହି ବିଭାଗର ନେତୃତ୍ବ ନେବେ। ଏନେଇ ଗତ ୧୫ ତାରିଖରେ ଇସ୍ପାତ ମନ୍ତ୍ରାଳୟର ସେଲ୍‌ ଡିଭିଜନ୍‌ର ନିର୍ଦେଶକ ସେଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ନୂତନ ପଦବି ସୃଷ୍ଟି ନେଇ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହେବାପରେ ରାଉରକେଲାରେ ଏହାର ମୁଖ୍ୟାଳୟ ସ୍ଥାପନ ପାଇଁ ଦାବି ଆରମ୍ଭ ହୋଇଯାଇଛି।

Advertisment

ସେଲ୍‌ ସୃଷ୍ଟି କରିବ ନିଜସ୍ବ ଖଣି ବିଭାଗ
ଖଣି ସୁପରିଚାଳନା ପାଇଁ ନିଯୁକ୍ତ ହେବେ ନିର୍ଦେଶକ

ବାସ୍ତବରେ ସେଲ୍‌ ଖଣି ଓ ଲଜିଷ୍ଟିକ୍‌ ବିଭାଗର ମୁଖ୍ୟାଳୟ ସ୍ଥାପନ କରିବାକୁ ରାଉରକେଲା ହେଉଛି ପ୍ରକୃଷ୍ଟ ସ୍ଥାନ। ପୂର୍ବରୁ ସେଲ୍‌ ପରିଚାଳିତ ଇସ୍ପାତ କାରଖାନାର ସମସ୍ତ ଖଣି ଓ କୋଲିୟାରି ଆଦି କାର୍ଯ୍ୟ କୋଲକାତାସ୍ଥ କଞ୍ଚାମାଲ ଡିଭିଜନ (ଆର୍‌ଏମ୍‌ଡି)ରେ ସମ୍ପାଦିତ ହେଉଥିଲା। କୋଲକାତା କାମା ଷ୍ଟ୍ରିଟ୍‌ରେ ଥିବା ଏହି କାର୍ଯ୍ୟାଳୟର ପରିଚାଳନା ତଥା ଆନୁସଙ୍ଗିକ ଖର୍ଚ୍ଚ ପରିମାଣ ମାତ୍ରାଧିକ ଥିଲା। ଏଣୁ ୨୦୨୧ ଜୁଲାଇ ୩୧ ତାରିଖରେ ଏହି ଖଣି ମୁଖ୍ୟାଳୟକୁ ବିଭାଜନ କରି ବିଭିନ୍ନ ଗ୍ରୁପ ଅଫ୍‌ ମାଇନ୍ସ ଅଧୀନରେ ରଖାଗଲା। ଏହି କ୍ରମରେ ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଓଡ଼ିଶା ଗ୍ରୁପ୍‌ ଅଫ୍‌ ମାଇନ୍ସ ରହିଥିବାବେଳେ ଭିଲାଇ ଇସ୍ପାତ କାରଖାନା ଅଧୀନରେ ଛତିଶଗଡ଼ ଗ୍ରୁପ୍‌ ଅଫ୍‌ ମାଇନ୍ସ ଓ ବୋକାରୋ ଇସ୍ପାତ କାରଖାନା ଅଧୀନରେ ଝାଡ଼ଖଣ୍ଡ ଗ୍ରୁପ୍‌ ଅଫ୍‌ ମାଇନ୍ସ ରହିଥିଲା।

ଏହାସହ ସେଲ୍‌ ଅଧୀନରେ ଥିବା ୩ଟି କୋଲିୟାରି ପାଇଁ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ। ସଂପ୍ରତି, ସେଲ୍‌ ଖର୍ଚ୍ଚ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହି ଖଣି ମୁଖ୍ୟାଳୟର କାର୍ଯ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ଏସବୁ ଦିଗକୁ ଦୃଷ୍ଟି ଦେବା ଆବଶ୍ୟକ। ରାଉରକେଲାରେ ଉପଲବ୍ଧ ଭିତ୍ତିଭୂମିକୁ ତର୍ଜମା କଲେ, ଏଠାରେ ଖଣି ମୁଖ୍ୟାଳୟ ସ୍ଥାପନ ହିଁ ଏକମାତ୍ର ବିକଳ୍ପଭାବେ ଉଭା ହୁଏ। ଆର୍‌ଏସ୍‌ପିର ଏକାଧିକ ବିଲ୍‌ଡିଂ, କାର୍ଯ୍ୟାଳୟ ତଥା କର୍ମଚାରୀ/ଅଧିକାରୀଙ୍କ ପାଇଁ ସହସ୍ରାଧିକ ବାସଗୃହ ଫାଙ୍କା ପଡ଼ିଛି। ରାଉରକେଲାରୁ ସମସ୍ତ ବଡ଼ ବଡ଼ ସହରକୁ ରେଳ ଓ ବିମାନ ଯୋଗାଯୋଗ ରହିଛି। କଞ୍ଚାମାଲ ଡିଭିଜନର ମୁଖ୍ୟାଳୟ ରାଉରକେଲାରେ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଓ ରାଜ୍ୟ ରାଜସ୍ବ ବୃଦ୍ଧି ପାଇବ।