ନୂଆଦିଲ୍ଲୀ: ସରକାରୀ ଇସ୍ପାତ କଂପାନି ସେଲ୍‌ର ୫% ଅଂଶଧନକୁ ‌କେନ୍ଦ୍ର ସରକାର ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରୁ ୧୦୦୦ କୋଟି ଟଙ୍କା ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେଲ୍‌ ଅଶଂଧନ ଯେଭଳି ଭଲ ଦାମ୍‌ରେ ବିକ୍ରି ହେବ ତାହାକୁ ନିଶ୍ଚିତ କରିବା ଲାଗି ପୁଞ୍ଜିପ୍ରତ୍ୟାହାର ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସିଙ୍ଗାପୁର ଓ ହଂକଂ ଭଳି ସ୍ଥାନରେ ରୋଡ୍ ସୋ’ କରାଯିବ। ତେବେ ଚୀନ୍‌ରେ କରୋନା ଭୂତାଣୁର ଆତଙ୍କକୁ ଦୃଷ୍ଟିରେ ରଖି ହଂକଂ ରୋଡ୍‌ ସୋ’କୁ ରଦ୍ଦ କରିବା ଉପରେ ସରକାର ବିଚାର କରୁଛନ୍ତି। ସେଲ୍‌ରେ କେନ୍ଦ୍ର ସରକାରଙ୍କର ୭୫% ଅଂଶଧନ ରହିଛି। ୨୦୧୪ରେ ଏହି କଂପାନିର ୫% ଅଂଶଧନକୁ ସରକାର ବିକ୍ରି କରିଥିଲେ। ଏଥର ଅଂଶଧନକୁ ସବୁ ବର୍ଗର ନିବେଶକମାନଙ୍କ ପାଇଁ ଉପଲବ୍ଧ କରାଯିବ। ଚଳିତ ଆର୍ଥିକ ବର୍ଷ ଅର୍ଥାତ ମାର୍ଚ୍ଚ ମାସ ଭିତରେ ସେଲ୍‌ର ଅଂଶଧନକୁ ବିକ୍ରି କରିବା ଲାଗି ପ୍ରୟାସ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାର ଜରିଆରେ ୬୫ ହଜାର କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ସୁଦ୍ଧା ୩୪ ହଜାର କୋଟି ଟଙ୍କା ମିଳିଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ଉଦ୍ୟମକୁ ଜୋରଦାର କରିଛନ୍ତି।

Advertisment