ସେଲ୍‌ ଦେବ ୧୫ ହଜାର ବିଦ୍ୟୁତ ଖୁଣ୍ଟ

୧୦୦୦ ପଠାଇସାରିଲାଣି

ଭୁବନେଶ୍ବର: ବାତ୍ୟା ଫନି ଯୋଗୁ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡ଼ିଥିବା ବେଳେ ଏହି ସ୍ଥିତିର ମୁକାବିଲା କରିବାକୁ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ‘ସେଲ୍‌’ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ତୁରନ୍ତ ଓଡ଼ିଶାକୁ ୧୫ ହଜାର ବିଦ୍ୟୁତ ‌ଖୁଣ୍ଟ ଯୋଗାଇ ଦେବା ଉପରେ କଂପାନି କାମ କରୁଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କଂପାନି ଏହାର ସାରା ‌ଦେଶରେ ଥିବା ସମ୍ବଳକୁ କାମରେ ଲଗାଇଥିବା ଜଣାପଡ଼ିଛି।
କଂପାନି ପକ୍ଷରୁ ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ୧୫ ହଜାର ବିଦ୍ୟୁତ ଖୁଣ୍ଟ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗତ ୫ ତାରିଖରେ କଂପାନି ତରଫରୁ ୫୦୦ ବିଦ୍ୟୁତ ଖୁଣ୍ଟ ଯୋଗାଇ ଦିଆଯାଇଥିଲା। ଏହା ପରେ ପୁଣି ଆଉ ୫୦୦ ବିଦ୍ୟୁତ ଖୁଣ୍ଟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଇ ଦିଆଯାଇଛି। ଫନି ଯୋଗୁ ରାଜ୍ୟର ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫରମର ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରୁନାହିଁ। ତୁରନ୍ତ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଓଡ଼ିଶାର ଅନୁରୋଧକୁ ଗ୍ରହଣ କରି ଶୀଘ୍ର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସେଲ୍‌କୁ ନିର୍ଦେଶ ଦିଆଯାଇଥିଲା।

ଏହି ନିର୍ଦେଶ ପାଇବା ପରେ ଓଡ଼ିଶାକୁ ଯଥାଶୀଘ୍ର ସମ୍ଭବ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ସେଲ୍ ଉଦ୍ୟମ କରୁଛି। କଂପାନି ଏହାର ଦୁର୍ଗାପୁର କାରଖାନାରେ ନିୟମିତ ଉତ୍ପାଦନକୁ ବନ୍ଦ ରଖି କେବଳ ବିଦ୍ୟୁତ ଖୁଣ୍ଟ ଉତ୍ପାଦନ କରୁଛି। ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏବଂ ସ୍ଥିତି ଉପରେ ଚବିଶ ଘଣ୍ଟା ନଜର ରଖିବା ପାଇଁ ସେଲ୍‌ର ନୂଆଦିଲ୍ଲୀ ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏକ ଉତ୍ସର୍ଗୀକୃତ ଟିମ୍ ଏହାର ତଦାରଖ କରୁଛି। ଭୁବନେଶ୍ବର ଠାରେ ଥିବା ସେଲ୍‌ର କର୍ମଚାରୀମାନେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିରବଚ୍ଛିନ୍ନ ଭାବେ କାମ କରୁଥିବା କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର