ସାଇରସ୍‌ଙ୍କୁ ସୁପ୍ରିମ୍‌ କୋର୍ଟ ଝଟ୍‌କା: ବିବାଦର କାରଣ ଆୟର୍ଲ୍ୟାଣ୍ଡ ନାଗରିକତା

ନୂଆଦିଲ୍ଲୀ: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁନଃ ଅବସ୍ଥାପିତ କରିବା ପାଇଁ ଜାତୀୟ କମ୍ପାନି ଆଇନ ଅପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି) ଦେଇଥିବା ରାୟ ଉପରେ ସୁପ୍ରିମ୍‌ କୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି। ଏଥିସହିତ ଏନ୍‌ସିଏଲ୍‌ଏଟି ରାୟ ବିରୋଧରେ ଟାଟା ଗ୍ରୁପ୍‌ର ଆଇନଜୀବି ଦାଖଲ କରିଥିବା ପିଟିସନ୍‌ରେ ଉଠାଇଥିବା ପ୍ରଶ୍ନର ଜବାବ ରଖିବାକୁ ସୁପ୍ରିମ୍ କୋର୍ଟ ସାଇରସଙ୍କୁ ନୋଟିସ୍ ଜାରି କରିବା ସହ ସମନ୍ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ଗତମାସ ୧୮ ତାରିଖରେ ଏନ୍‌ସିଏଲ୍‌ଏଟି ଦେଇଥିବା ରାୟ ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଏସ ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଟ୍ରିବ୍ୟୁନାଲର ‘ନ୍ୟାୟିକ ମନୋଭାବ’ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ପୁଣିଥରେ ଅବସ୍ଥାପିତ ହେବା ପାଇଁ ମିସ୍ତ୍ରୀ ଆବେଦନ କରି ନଥିବାରୁ ଏନସିଏଲ୍‌ଏଟି ରାୟରେ ନ୍ୟାୟିକ ତ୍ରୁଟି ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

ବିବାଦର କାରଣ ଆୟର୍ଲ୍ୟାଣ୍ଡ ନାଗରିକତା
ମୁମ୍ବାଇ: ଟାଟାର ଅଧ୍ୟକ୍ଷ ପଦରୁ ସାଇରସ୍‌ଙ୍କୁ ବିଦା କରିବା ପଛର ଏକ କାରଣ ତାଙ୍କର ଆୟର୍ଲ୍ୟାଣ୍ଡର ନାଗରିକତା ବୋଲି କୁହାଯାଉଛି। ଅଧ୍ୟକ୍ଷ ଚୟନ ବେଳେ ସାଇରସ୍‌ ଆୟର୍ଲ୍ୟାଣ୍ଡର ନାଗରିକତା ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ଏହା କରି ‌ନଥିଲେ। ତେଣୁ ସାଇରସ୍ ଏବଂ ରତନ ଟାଟାଙ୍କ ମଧ୍ୟରେ ଏହା ହିଁ ବିବାବର ମୂଳ କାରଣ ରହିଥିଲା ବୋଲି ଚର୍ଚ୍ଚା ହେଉଛି। ୨୦୧୧ ସେପ୍ଟେମ୍ବରରେ ଟାଟାର ଅଧ୍ୟକ୍ଷ ଚୟନ କରିବା ପାଇଁ ଗଠିତ କମିଟି ସାଇରସଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଥିଲା। ତେବେ ସେ ବିଦେଶୀ ନାଗରିକତା ଛାଡ଼ିବା ନେଇ ଚିନ୍ତା କରୁଛନ୍ତି। କିନ୍ତୁ ପରେ ସେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପଦ‌େକ୍ଷପ ନେଇ ନଥିଲେ।

ସମ୍ବନ୍ଧିତ ଖବର