ନୂଆଦିଲ୍ଲୀ : ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ କାର୍‌ କଂପାନି ଏମ୍‌ଜି ମୋଟର୍ସ ଇଣ୍ଡିଆର ୪୮ ପ୍ରତିଶତ ଅଂଶଧନ କରିବେ। ଏବିଷୟରେ ଆଲୋଚନା କରିବା ଲାଗି ନିକଟରେ ସଜ୍ଜନ ଓ ତାଙ୍କ ପୁଅ ପାର୍ଥ ଜିନ୍ଦଲ ଚୀନ୍ ଯାଇଥିଲେ। କେଉଁ ଆଧାରରେ ବୁଝାମଣା ହେବ ତାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିବା ଆଲୋଚନା ହେଉଛି। ତେବେ ଏମ୍‌ଜି ମୋଟର୍ସ କିମ୍ବା ଜେଏସ୍‌ଡବ୍ଲୁ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
ଅଂଶଧନ କିଣାବିକା ବୁଝାମଣା ହେବା ପରେ ଏମ୍‌ଜି ମୋଟର୍ସ ପରିଚାଳନା ବୋର୍ଡରେ ଭାରତୀୟଙ୍କ ସଂଖ୍ୟା ଅଧିକ ରହିବ। ଆଗାମୀ ତିନି ଚାରି ମାସ ଭିତରେ ବୁଝାମଣା ସ୍ବାକ୍ଷରିତ ହୋଇଯିବ ବୋଲି ଆଶା କରାଯାଉଛି।

Advertisment

ଏମ୍‌ଜି ମୋଟର୍ସ ହେଉଛି ଏକ ବ୍ରିଟିଶ ବ୍ରାଣ୍ଡ୍‌ ଯାହାକୁ ଚୀନ୍‌ର ସଂସ୍ଥା ଏସ୍‌ଏଆଇସି ମୋଟର ଅଧିଗ୍ରହଣ କରିଥିଲା। ଭାରତରେ ଏହା ୫୦୦୦ କୋଟି ଟଙ୍କା ନିବେଶ କରି କାରବାର କରୁଛି। ଆଗକୁ ବଢ଼ିବା ଲାଗି କଂପାନିକୁ ପାଣ୍ଠି ନିହାତି ଦରକାର। ଚୀନ୍‌ର ମୂଳ ସଂସ୍ଥାଠାରୁ ପାଣ୍ଠି ମିଳିବା କଷ୍ଟକର ହେଉଥିବାରୁ ନିଜର ଅଂଶଧନ ବିକ୍ରି କରି ଏକ ଭାରତୀୟ ସହଯୋଗୀ ସଂସ୍ଥା ଯୋଗାଡ଼ କରିବାକୁ କଂପାନି ଲକ୍ଷ୍ୟ ରଖିଛି। ଏହା ଦ୍ବାରା କଂପାନି ଅଧିକ ଭାରତୀୟ ହୋଇଯିବ ଏବଂ ଆବଶ୍ୟକ ପାଣ୍ଠି ବି ମିଳିଯିବ।

ସଜ୍ଜନ ଜିନ୍ଦଲ କାର୍‌ ବ୍ୟବସାୟରେ ପ୍ରବେଶ କରିବା ଲାଗି ଉଦ୍ୟମ କରୁଛନ୍ତି। ୨୦୨୦ ସୁଦ୍ଧା ଇଲେକ୍ଟ୍ରିକ୍ ଗାଡ଼ି ଉତ୍ପାଦନ କରିବାକୁ ସେ ଯୋଜନା ରଖିଥିଲେ। ଏଥିପାଇଁ ପ୍ରାୟ ୪୦୦୦ କୋଟି ଟଙ୍କା ନିବେଶ କରିବାକୁ ମଧ୍ୟ ସେ ଚାହୁଥିଲା। କାରଖାନା ବସାଇବା ଲାଗି ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ଜମି ସନ୍ଧାନ କରିଥିଲେ। ମାତ୍ର କରୋନା ମହାମାରୀ ବ୍ୟାପିବା ପରେ ସେହି ଯୋଜନା ଆଉ ଆଗକୁ ବଢ଼ିପାରିନଥିଲା। ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଚୀନ୍‌ର ଆଉ ଏକ କାର୍‌ କଂପାନି ବିୱାଇଡି ସହିତ ସଜ୍ଜନ ସହଯୋଗିତା ପାଇଁ ଆଲୋଚନା କରିଛନ୍ତି। ସେହି କଥାବାର୍ତ୍ତା ବି ଆଗକୁ ବଢ଼ିନଥିଲା। ଏବେ ଏମ୍‌ଜି ମୋଟର୍ସର ଅଂଶଧନ ଉପରେ ସେ ନଜର ପକାଇଛନ୍ତି।