ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ବର୍ଷେ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ବ ନିର୍ବାହ କରିବାର ଏକ ବର୍ଷ ପୂରଣ କରିଛନ୍ତି ଶକ୍ତିକାନ୍ତ ଦାସ। ଏକ ବିବାଦୀୟ ସମୟରେ ସେ ଏହି ଦାୟିତ୍ବ ନେଇଥିଲେ। ସରକାରଙ୍କ ସହ ମତଭେଦ ଯୋଗୁ ଉର୍ଜିତ ପଟେଲ୍‌ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇ ଚାଲିଯାଇଥିଲା। ସେଭଳି ଏକ ଜଟିଳ ସମୟରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ସେହି ସମୟରେ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ଏକ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇସାରିଥିଲା। ସବୁ କିଛିକୁ ସମ୍ଭାଳିବା ଭଳି ଗୁରୁ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ବର୍ଷକ ଭିତରେ ସେ ନିଜ କାର୍ଯ୍ୟରେ ବେଶ ସଫଳ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କ-ସରକାର ସମ୍ପର୍କରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିଛନ୍ତି। ବର୍ଷକ ଭିତରେ ଶକ୍ତିକାନ୍ତ ସୁଧ ହାରରେ ନିୟମିତ ହ୍ରାସ କରିଛନ୍ତି। ତାହାର ସୁଫଳ ଯେଭଳି ‌ଗ୍ରାହକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ରେପୋକୁ ଏକ୍ସଟର୍ନାଲ୍‌ ବେଞ୍ଚମାର୍କ ହାର ଭାବେ ଗ୍ରହଣ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ବାଧ୍ୟ କରି ସଫଳ ହୋଇଛନ୍ତି। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ବ ଦେଇଛନ୍ତି। ବ୍ୟାଙ୍କ, ଏନ୍‌ବିଏଫ୍‌ସି, ସମବାୟ ବ୍ୟାଙ୍କ ଏବଂ କର୍ମଚାରୀ ଭଳି ସବୁ ବର୍ଗ ସହ ମିଶି ଆଲୋଚନା କରିଛନ୍ତି। ଏନ୍‌ବିଏଫ୍‌ସି ଓ ଏମ୍ଏସ୍‌ଏମ୍ଇ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି। ସେ ସରକାରଙ୍କୁ ୧.୨୩ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି। ବଳକା ପାଣ୍ଠି ହସ୍ତାନ୍ତର କରିଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକର ସିଇଓଙ୍କ ଅବସର ବୟସ ସୀମାକୁ ୭୫ ବର୍ଷ କରି ଏଚ୍‌ଡିଏଫ୍‌ସି ଭଳି ବ୍ୟାଙ୍କକୁ ସିଇଓଙ୍କ ଉତ୍ତରାଧିକାରୀ ଖୋଜିବାକୁ ବାଧ୍ୟ କରିଛନ୍ତି। ବିମୁଦ୍ରୀକରଣ ସମୟରେ ସରକାରଙ୍କ ସବୁଠୁ ବିଶ୍ବସ୍ତ ଭାବେ କାର୍ଯ୍ୟ କରିଥିବା ଶକ୍ତିକାନ୍ତଙ୍କର ପ୍ରଶାସକ ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଗଭର୍ଣ୍ଣର ପଦରେ ସେ ଆହୁରି ଦୁଇ ବର୍ଷ କାର୍ଯ୍ୟ କରିବେ। ସେହି ସମୟରେ ତାଙ୍କୁ ଅଭିବୃଦ୍ଧି ବଢ଼ାଇବା, ସଂସ୍କାର ଆଣିବା ଏବଂ ନିଜ ଡେପୁଟି ବିରଳ ଆଚାର୍ଯ୍ୟଙ୍କ ଉତ୍ତରାଧିକାରୀ ସନ୍ଧାନ କରିବା ଭଳି ‌ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର