ଋଣରେ ବୃଦ୍ଧି ହେଉନଥିବାରୁ ଶକ୍ତିକାନ୍ତ ଚିନ୍ତିତ

ମୁମ୍ବାଇ: ଶିଳ୍ପ ସଂସ୍ଥା ଓ ଲୋକମାନେ ଯଥେଷ୍ଟ ପରିମାଣର ଋଣ ନେଉ ନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ବ୍ୟାଙ୍କ ଶିଳ୍ପ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ବାନ ହେଉଛି ଋଣରେ ଅଭିବୃଦ୍ଧି ନହେବା। ଋଣ ଅଭିବୃଦ୍ଧି ହାର ଏବେ ୭%କୁ ଖସି ଆସିଛି। ଯେହେତୁ ଋଣ ପରିମାଣ ବଢ଼ୁନାହିଁ ତେଣୁ ତାହା ବ୍ୟାଙ୍କଗୁଡ଼ିକର ଲାଭକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ଆଗାମୀ ଦିନରେ ଦେଶର ବ୍ୟାଙ୍କିଙ୍ଗ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯିବ। ଚାରି ସ୍ତରୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅଭ୍ୟୁଦୟ ହେବ। ବଡ଼ ବଡ଼ ବ୍ୟାଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଶାଖା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ରହିବ। ଏହା ଗୋଟିଏ ସ୍ତର ହେବ। ଦ୍ବିତୀୟ ସ୍ତରରେ ମଧ୍ୟମ ଧରଣର ବ୍ୟାଙ୍କ ରହିବେ। ତୃତୀୟ ସ୍ତରରେ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ପେମେଣ୍ଟ୍‌ ବ୍ୟାଙ୍କଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଚତୁର୍ଥ ସ୍ତରରେ ପ୍ରଯୁକ୍ତି ଜରିଆରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବା ପ୍ରଦାନ କରୁଥିବା ଫିନ୍‌ଟେକ୍ କଂପାନିଗୁଡ଼ିକ ରହିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତି ଜରିଆରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ବଡ଼ ବ୍ୟାଙ୍କଗୁଡ଼ିକର ଏଜେଣ୍ଟ୍‌ ଓ ସହଯୋଗୀ ଭୂମିକା ନିର୍ବାହ କରିବେ ବୋଲି ସେ କହିଛନ୍ତି। ଫିନ୍‌ଟେକ୍ କଂପାନିଗୁଡ଼ିକର ଆଗମନ ପରେ ବ୍ୟାଙ୍କିଙ୍ଗ କାରବାର କରିବା ବହୁତ ସହଜ ହୋଇଛି ଏବଂ ଋଣ ଦେବା ପୂର୍ବରୁ ଋଣଗ୍ରହୀତାଙ୍କ ବିଷୟରେ କରାଯାଉଥିବା ଅନୁଶୀଳନ ମଧ୍ୟ ବେଶ ସହଜ ହୋଇପାରିଥିବା ସେ କହିଛନ୍ତି। ଏଠାରେ ଶ୍ରୀ ଦାସ ପାରମ୍ପରିକ ବ୍ୟାଙ୍କଗୁଡ଼ିକ ଚେତାଇ ଦେଇଛନ୍ତି ଯେ ଯଦି ପରିବର୍ତ୍ତିତ ଦୃଶ୍ୟପଟ୍ଟ ଅନୁସାରେ ସେମାନେ ନିଜର ବ୍ୟବସାୟ ମଡେଲ୍‌ରେ ପରିବର୍ତ୍ତନ ନଆଣିବେ ତେବେ ଡିଜିଟାଲ୍ କଂପାନିଗୁଡ଼ିକ ଠାରୁ‌ ସେମାନେ ପଛରେ ରହି‌ଯିବେ। ଭବିଷ୍ୟତର ବ୍ୟାଙ୍କିଙ୍ଗ ଶିଳ୍ପ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହେବ। ଏହା ଉଭୟ ପୁରୁଣା ବ୍ୟାଙ୍କ ଏବଂ ନିୟାମକ ସଂସ୍ଥା ଲାଗି ଅଲଗା ପ୍ରକାରର ଆହ୍ବାନ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର