ବ୍ୟାଙ୍କ ଛୁଟିଦିନରେ ବି ମିଳିବ ବେତନ

ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଅଭିବୃଦ୍ଧି ୯.୫%କୁ ଖସିବ

ମୁମ୍ବାଇ : ବ୍ୟାଙ୍କ ଖୋଲା ଥାଉ ଅଥବା ବନ୍ଦ, କ୍ଲିୟରିଂ ଅଟକିବ ନାହିଁ। ବ୍ୟାଙ୍କ ଛୁଟି ଥିଲେ ମଧ୍ୟ କ୍ଲିୟରିଂ କାର୍ଯ୍ୟ ହୋଇପାରିବ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ‘ଜାତୀୟ ସ୍ବୟଂକ୍ରିୟ କ୍ଲିୟରିଂ ହାଉସ୍‌’ (ଏନ୍ଏସିଏଚ୍‌) ସବୁ ଦିନ ଉପଲବ୍ଧ ହେବ। ଚଳିତ ବର୍ଷ ଅଗଷ୍ଟ ୧ରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ଆଉ ବ୍ୟାଙ୍କ ଛୁଟି ଥିବା ଦିନରେ କ୍ଲିୟରିଂ ଦରକାର ପଡ଼ୁଥିବା କୌଣସି କାମ ଅଟକିବ ନାହିଁ। ସ୍ବୟଂକ୍ରିୟ ଡେବିଟ୍, କର୍ମଚାରୀଙ୍କ ଖାତାରେ ବେତନ ଜମା ହେବା ଭଳି କାମ ସବୁଦିନ ହୋଇପାରିବ। ଆଜି ମୁଦ୍ରାନୀତି ବୈଠକର ନିଷ୍ପତ୍ତି ବିଷୟରେ ଘୋଷଣା କରିବା ବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦା‌ସ ଏହି ସୂଚନା ଦେଇଛନ୍ତି। ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାରେ ଏହା ବିଶେଷ ସହାୟକ ହେବ ବୋଲି ‌ସେ କହିଛନ୍ତି।

ଏବେ ପ୍ରଚଳନରେ ଥିବା ନିୟମ ଅନୁସାରେ ବ୍ୟାଙ୍କ ଛୁଟି ଥିବା ଦିନଗୁଡ଼ିକରେ ସ୍ବୟଂକ୍ରିୟ ଡେବିଟ୍, ବେତନ କ୍ରେଡିଟ୍, ମ୍ୟୁଚୁଆଲ୍ ଫଣ୍ଡ୍‌ର ଏସ୍‌ଆଇପି, ଘର, କାର୍‌ ଓ ବ୍ୟକ୍ତିଗତ ଋଣର ଇଏମ୍‌ଆଇ ପାଇଁ ଖାତାରୁ ସ୍ବୟଂକ୍ରିୟ ଭାବେ ଟଙ୍କା କଟିବା କାମ ହୋଇପାରୁନାହିଁ। ନୂଆ ବ୍ୟବସ୍ଥାରେ ଏହି କାମ ସବୁଦିନ ହେବ। ସ୍ବୟଂକ୍ରିୟ ଭାବେ ଖାତାରୁ ଟଙ୍କା କାଟିବା ଲାଗି ବ୍ୟାଙ୍କକୁ ଗ୍ରାହକ ଯେଉଁ ଅନୁମତି ଦେଇଛନ୍ତି ତାହା ଏବେ ଛୁଟିଦିନଗୁଡ଼ିକରେ ପ୍ରକ୍ରିୟାକରଣ ହେଉନାହିଁ। ଜାତୀୟ ଛୁଟିଦିବସ, ଗେଜେଟେଡ୍‌ ଛୁଟିଦିନ, ରବିବାର ଭଳି ଦିନଗୁଡ଼ିକରେ ସ୍ବୟଂକ୍ରିୟ ଡେବିଟ୍ ହୋଇପାରୁନାହିଁ।

ନୂଆ ବ୍ୟବସ୍ଥା ଆସନ୍ତା ଅଗଷ୍ଟରୁ ଲାଗୁ ହେବାକୁ ଥିବାରୁ ଗ୍ରାହକମାନଙ୍କୁ ନିଜ ଖାତାରେ ସବୁବେଳେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ରଖିବାକୁ ପଡ଼ିବ। ଅନ୍ୟଥା ଛୁଟିଦିନରେ ସ୍ବୟଂକ୍ରିୟ ଡେବିଟ୍ ହୋଇପାରିବନି। ଏଭଳି ପରିସ୍ଥିତିରେ ଜରିମାନା ଗଣିବାକୁ ପଡ଼ିପାରେ। ଜରିମାନାକୁ ଏଡ଼ାଇବା ଲାଗି ଖାତାରେ ସବୁ ବେଳେ ବାଲାନ୍ସ ରଖିବାକୁ ପଡ଼ିବ।

ଆଜି ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫%କୁ ଖସିବ ଓ ମୁଦ୍ରାସ୍ଫୀତି ହାର ୫.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଏହା ମଧ୍ୟ ଜଣାଇଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୬୦୦୦ କୋଟି ଡଲାରରେ ପହଞ୍ଚିବ। ଆଜି ହୋଟେଲ୍‌, ପର୍ଯ୍ୟଟନ ଓ ବିମାନ ଶିଳ୍ପ ଲାଗି ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ଲିକ୍ବିଡ୍‌ ସହାୟତା ଘୋଷଣା କରାଯାଇଛି। ଗତ ଏପ୍ରିଲ୍‌ରେ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଯେ ଏବର୍ଷ ଅଭିବୃଦ୍ଧି ୧୦.୫% ହେବ।

ସମ୍ବନ୍ଧିତ ଖବର