ଭୁବନେଶ୍ବର: ସୋମବାର ଧନତେରସ୍‌। ଏହି ଦିନ ସୁନା, ରୁପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ଲୋକଙ୍କ ମଧ୍ୟରେ ରହିଛି। ଲୋକଙ୍କ ଏହି ବିଶ୍ବାସ ବ୍ୟବସାୟୀଙ୍କ ପାଇଁ ଅଧିକ ବିକ୍ରିର ସୁଯୋଗ ଆଣିଦେଇଛି। ଏହାକୁ ଦୃଷ୍ଟିରେ ରଖି ଗହଣା ବ୍ୟବସାୟୀମାନେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଲୋଭନୀୟ ଅଫରମାନ ମଧ୍ୟ ଘୋଷଣା କରିଛନ୍ତି। ଫଳରେ ଗହଣା ବଜାର ରବିବାରଠାରୁ ଚଳଚଞ୍ଚଳ ହୋଇ ଉଠିଛି। ଏତଦ୍‌ବ୍ୟତୀତ ନୂଆ ନୂଆ ଡିଜାଇନ୍‌ର ଗହଣା ମଧ୍ୟ ସୋ’ରୁମ୍‌ରେ ଉପଲବ୍ଧ କରାଇଛନ୍ତି। ଚଳିତବର୍ଷ ପାଗ ଭଲ ରହିଛି। ଆଗକୁ ବାହାଘର ତିଥି ମଧ୍ୟ ରହିଛି। ତେଣୁ ଗ୍ରାହକମାନେ ଧନତେରସ୍‌ରେ ମିଳୁଥିବା ଅଫରର ଲାଭ ନେବେ ଓ ବେପାର ଜମିବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି। ଗତବର୍ଷ ଧନତେରସ୍ ତୁଳନାରେ ଚଳିତବର୍ଷ ଧନତେରସ୍‌ରେ ୧୦ ପ୍ରତିଶତ ଅଧିକ ଗହଣା ବିକ୍ରି ହେବ ବୋଲି ଇପାରୀ ସଦାଶିବର ଏମ୍‌ଡି ଇପାରୀ ଶ୍ରୀଧର କହିଛନ୍ତି। ସେହିଭଳି ଖିମ୍‌ଜୀ ଜୁଏଲର୍ସର ଏଜିଏମ କିଶୋର ୱାଧେରଙ୍କ କହିବାନୁଯାୟୀ, ରବିବାରଠାରୁ ଗ୍ରାହକଙ୍କ ମଧ୍ୟରେ ଗହଣା କିଣିବା ପାଇଁ ଉତ୍ସାହ ଦେଖାଗଲାଣି। ସୋ’ରୁମ୍‌କୁ ଅନେକ ବ୍ୟକ୍ତି ଆସି ସେମାନଙ୍କ ମନପସନ୍ଦର ଗହଣା ଦେଖିବା ଆରମ୍ଭ କରିଦେଇଛନ୍ତି। ତେଣୁ ଚଳିତବର୍ଷ ଧନତେରସ୍‌ରେ ଗହଣା ବିକ୍ରି ନିଶ୍ଚିତ ଭାବେ ଅଧିକ ହେବ ବୋଲି ଆଶା ରହିଛି। ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ ସାଧାରଣ ଦିନ ତୁଳନାରେ ଚଳିତବର୍ଷ ଧନତେରସ୍‌ରେ ପ୍ରାୟ ୫ରୁ ୬ ଗୁଣ ଅଧିକ ବ୍ୟବସାୟ ଆଶା ରଖାଯାଇଛି। ଭୁବନେଶ୍ବରରେ ରବିବାର ପ୍ରମୁଖ ଗହଣା ଦୋକାନ ଗୁଡ଼ିକରେ ସୁନା ଦର ୧୦ ଗ୍ରାମ ପିଛା ୩୧,୮୩୦ ଟଙ୍କା ଓ ରୁପା ଦର କିଲୋଗ୍ରାମ ପିଛା ୪୦ ହଜାର ଟଙ୍କା ରହିଛି। ସୁନା ଦର ଗତବର୍ଷ ଧନତେରସ ତୁଳନାରେ ପ୍ରାୟ ୭ରୁ ୮ ପ୍ରତିଶତ ଅଧିକ ଥିଲେ ମଧ୍ୟ ଏହା ବିକ୍ରିକୁ ପ୍ରଭାବିତ କରିବ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।

Advertisment

ଭୁବନେଶ୍ବରରେ ଛୋଟବଡ଼ ମିଶି ଗହଣା ଦୋକାନ ସଂଖ୍ୟା ପ୍ରାୟ ଦେଢ଼ ଶହ ଉପରେ‌ ହେବ। ପ୍ରାୟ ସମସ୍ତେ ଭଲ ବିକ୍ରି ହେବା ଆଶାରେ ଲୋଭନୀୟ ସ୍କିମମାନ ଘୋଷଣା କରିଛନ୍ତି। ଗଢ଼ା ମଜୁରି ଉପରେ ଛାଡ଼ ଠାରୁ ଆରମ୍ଭ କରି ମୂଲ୍ୟ ଉପରେ ମଧ୍ୟ ରିହାତି ପ୍ରଦାନ କରୁଛନ୍ତି। ଏତଦ୍‌ବ୍ୟତୀତ ଡେବିଟ୍‌ କାର୍ଡରେ କିଣିଲେ ମଧ୍ୟ କେତେକ ସୋରୁମ୍ କ୍ୟାସବ୍ୟାକ୍ ପ୍ରଦାନ କରୁଛନ୍ତି। ସେହିଭଳି କେତେକ ସୋରୁମ୍ ଗ୍ରାହକଙ୍କ ପାଇଁ ଲକ୍ଷପତି ଅଫର ମଧ୍ୟ ଘୋଷଣା କରିଛନ୍ତି। କେବଳ ଗହଣା ଦୋକାନ ନୁହେଁ ଇଲେକଟ୍ରୋନିକ୍ସ ଓ ଗାଡ଼ି ସୋରୁମ୍ ଗୁଡ଼ିକ ମଧ୍ୟ ଧନତେରସ ପାଇଁ ଗ୍ରାହକଙ୍କ ନିମନ୍ତେ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଧନତେରସରେ ଉଭୟ ହାଲକା ଓ ଓଜନିଆ ଗହଣାର ବିକ୍ରି ହେବ ବୋଲି ‌ବ୍ୟବସାୟୀମାନେ ଆଶା ରଖିଛନ୍ତି। ଦୈନନ୍ଦିନ ପିନ୍ଧିବା ଲାଗି ଗ୍ରାହକମାନେ ହାଲକା ଓଜନର ଗହଣା ନେବେ ଏବଂ ବାହାଘର ପାଇଁ ଓଜନିଆ ଗହଣା ନେବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ବିଶେଷକରି ମୁଦି, କାନଫୁଲ, ଚୁଡ଼ି, ଶଙ୍ଖା, ଚେନ୍ ଓ ହାର ଆଦି ଅଧିକ ବିକ୍ରି ହେବ ବୋଲି ବ୍ୟବସାୟୀଙ୍କ ଆଶା ରହିଛି। ସୁନା ଓ ରୁପା ବାଦ୍ ପ୍ଲାଟିନମ୍‌ର ଗହଣା ମଧ୍ୟ ଗ୍ରାହକମାନେ କିଣିବେ।