ପହିଲାରୁ ବିକ୍ରି ହେବ ନିର୍ବାଚନୀ ବଣ୍ଡ୍

ଷ୍ଟେଟ ବ୍ୟାଙ୍କ ଶାଖାରେ ମିଳିବ ୧୫ ଦିନ ପାଇଁ ବୈଧ ରହିବ

ନୂଆଦିଲ୍ଲୀ: ଆସନ୍ତାମାସ ପହିଲାରୁ ସରକାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ବିକ୍ରି କରିବା ଆରମ୍ଭ କରିବେ। ନଭେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୯ଟି ସ୍ବୀକୃତିପ୍ରାପ୍ତ ଶାଖାରେ‌ ଏହି ବଣ୍ଡ୍ ବିକ୍ରି ହେବ। ରାଜନୈତିକ ଦଳ ଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ବଚ୍ଛତା ଆଣିବା ଲାଗି ସରକାର ନଗଦ ଟଙ୍କା ଆଦାୟ ବଦଳରେ ବଣ୍ଡ୍‌ ବିକ୍ରି ବ୍ୟବସ୍ଥା କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦିଲ୍ଲୀ, ବେଙ୍ଗାଲୁରୁ, ଭୋପାଳ, ମୁମ୍ବାଇ, ଜୟପୁର, ଲ‌େକ୍ଷ୍ନୗ, ଚେନ୍ନାଇ, କୋଲକାତା ଭଳି ସହରରେ ଷ୍ଟେଟ ବ୍ୟାଙ୍କର ୨୯ଟି ଶାଖାରେ ଏହି ବଣ୍ଡ୍ ବିକ୍ରି କରାଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼‌ ସମେତ ୫ଟି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସରକାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍ ବିକ୍ରି କରିବାକୁ ଯାଉଛନ୍ତି। ଏସବୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜାନୁଆରିରେ ସରକାର ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍ ଜାରି ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଭାରତର ନାଗରିକମାନେ କିମ୍ବା ଭାରତରେ ପଞ୍ଜୀକୃତ ବା ସ୍ଥାପନ ହୋଇଥିବା ସଂସ୍ଥାଗୁଡ଼ିକ ଏହି ବଣ୍ଡ୍ କିଣିପାରିବେ। ଗତ ଲୋକସଭା ବା ବିଧାନସଭା ନିର୍ବାଚନରେ ୧ ପ୍ରତିଶତରୁ କମ୍ ଭୋଟ ପାଇ ନଥିବା ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍ ବିକ୍ରି ଚଳିତବର୍ଷ ମାର୍ଚ୍ଚ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ବଣ୍ଡ୍‌ ବିକ୍ରି ଏପ୍ରିଲ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ମେ ୧ରୁ ୧୦ ତାରିଖ, ଚତୁର୍ଥ ପର୍ଯ୍ୟାୟ ଜୁଲାଇ ୨ରୁ ୧୧ ତାରିଖ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ଅକ୍ଟୋବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ‌ଏକମାତ୍ର ବ୍ୟାଙ୍କ ଭା‌େବ ଷ୍ଟେଟ ବ୍ୟାଙ୍କରେ ଏହି ବଣ୍ଡ୍ ବିକ୍ରି ହେବ। ଜଣେ ବ୍ୟକ୍ତି ଏକୁଟିଆ କିମ୍ବା ମିଳିତଭାବେ ଅନ୍ୟ ବ୍ୟକ୍ତିଙ୍କ ସହ ମିଶି ଏହି ବଣ୍ଡ କିଣିପାରିବେ। ବଣ୍ଡ ଜାରି ହେବାର ୧୫ ଦିନ ପର୍ଯ୍ୟନ୍ତ ବୈଧ ରହିବ। ୧୫ ଦିନ ପାଇଁ ଦିଆଯାଇଥିବା ବୈଧତା ଅବଧି ପରେ ଯଦି ବଣ୍ଡ୍ ଜମା କରାଯାଇଥାଏ ରାଜନୈତିକ ଦଳକୁ କୌଣସି ଅର୍ଥ ଦିଆଯିବ ନାହିଁ। ରାଜନୈତିକ ଦଳ ଗୁଡ଼ିକ ଯେଉଁଦିନ ବଣ୍ଡ୍ ଜମା କରିବେ ସେହିଦିନ ହିଁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

ସମ୍ବନ୍ଧିତ ଖବର