ଗହଣା ବା ଅଳଙ୍କାର ଉଭୟ ମହିଳା ଓ ପୁରୁଷମାନେ ପିନ୍ଧନ୍ତି। ଆଜିକାଲି ପୁରୁଷମାନେ ସୁନା, ହୀରା ଓ ପ୍ଲାଟିନମ୍ର ବିଭିନ୍ନ ଗହଣା ବ୍ୟବହାର କରୁଛନ୍ତି। ବିଶେଷ କରି ସୁନା ଚେନ୍, ମୁଦି ଓ ବ୍ରେସ୍ଲେଟ୍ ବର୍ଗରେ ପୁରୁଷମାନଙ୍କ ବିସ୍ତୃତ ସମ୍ଭାର ରହିଛି। ଏହା ବ୍ୟତୀତ ଗୋଟିଏ କାନରେ ହୀରା କିମ୍ବା ସୁନାର ରିଙ୍ଗ୍ ପିନ୍ଧିବା ମଧ୍ୟ ଏକ ଫେସନରେ ପରିଣତ ହୋଇଛି। ସେଭଳି ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି ରାଜ୍ୟର ଗହଣା ଦୋକାନଗୁଡ଼ିକରେ ବହୁ ପ୍ରକାର ଡିଜାଇନ୍ ରହିଛି। ଗହଣା ସୋ’ରୁମ୍ଗୁଡ଼ିକରେ ଯେତିକି ଗହଣା ବିକ୍ରି ହୁଏ ସେଥିରୁ ୯୦% ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ବିକ୍ରିରେ ପୁରୁଷମାନେ ବ୍ୟବହାର କରୁଥିବା ଗହଣା ଭାଗ ଏବେ ପ୍ରାୟ ୧୦ ପ୍ରତିଶତ। ସାରା ଦେଶରେ ଯେତିକି ଗହଣା ବିକ୍ରି ହେଉଛି ତାହାର ୧୫-୨୦% ଗହଣା ପୂର୍ବ ଭାରତରେ ବିକ୍ରି ହୋଇଥାଏ। ସର୍ବାଧିକ (୪୦%) ଗହଣା ଦକ୍ଷିଣ ଭାରତରେ ବିକ୍ରି ହେଉଥିବା ବେଳେ ଉତ୍ତର ଭାରତରେ ୨୫% ଓ ପଶ୍ଚିମ ଭାରତରେ ୨୦-୨୧% ଗହଣା ବିକ୍ରି ହୋଇଥାଏ। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଲୋକମାନେ ବିବାହ ଉତ୍ସବ ଆସିଲେ ଅଧିକ ଗହଣା କିଣନ୍ତି। ଏହା ବାଦ୍ ରାଜ୍ୟରେ ଅକ୍ଷୟ ତୃତୀୟା ଓ ଧନ୍ତେରସ୍ ସମୟରେ ଅଧିକ ଗହଣା ବିକ୍ରି ହୋଇଥାଏ। କାରଣ ଏହି ସମୟରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଦୋକାନୀମାନେ ବିଭିନ୍ନ ମନଲୋଭା ଅଫର ଘୋଷଣା କରନ୍ତି। ଉତ୍ସବ ଋତୁର ଏକ ପରିବେଶ ପ୍ରଦାନ କରିବା ଲାଗି ଆଲୋକମାଳାରେ ଦୋକାନଗୁଡ଼ିକୁ ସଜାଇ ଦିଆଯାଇଥାଏ।
କରୋନା ମହାମାରୀ ବ୍ୟାପିବା ପରେ ସୁନା କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ହୋଇନଥିବାରୁ ସୁନା ଅଳଙ୍କାର ବ୍ୟବସାୟୀମାନଙ୍କୁ ଷ୍ଟୋର୍ ଖୋଲିବା ଅନୁମତି ଦିଆଯାଇନଥିଲା। ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ କଠୋର ଗାଇଡ୍ଲାଇନ୍ ଜାରି କରାଯାଇଥିଲା। ସେଭଳି ସଙ୍କଟମୟ ସମୟକୁ ଅତିକ୍ରମ କରି ଆଗକୁ ବଢ଼ିଥିବା ବ୍ୟବସାୟୀମାନଙ୍କ ଲାଗି ମହାମାରୀର ଦ୍ବିତୀୟ ଲହର ଆହୁରି ସମସ୍ୟା ସୃଷ୍ଟି କରିଥିଲା। କିନ୍ତୁ ଦଶହରା ଓ ଦୀପାବଳି ପରେ ସ୍ଥିତିରେ ଅନେକ ସୁଧାର ଘଟିଛି। ଗତ ଚାରି ମାସରେ ସୁନା ବ୍ୟବସାୟରେ ୪୦-୫୦% ଭଳି ବୃଦ୍ଧି ହୋଇଛି। ଆସନ୍ତା ୬ ମାସରେ ବିକ୍ରିରେ ୨୫-୩୦% ବୃଦ୍ଧି ହେବ ବୋଲି ଆଶା କରାଯାଉଛି। କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହେବା ଓ ତାହାକୁ ନେଇ ସାରା ବିଶ୍ବରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ସୁନା ମୂଲ୍ୟ ଆହୁରି ବଢ଼ିପାରେ ବୋଲି କିଛି ବ୍ୟବସାୟୀ ପୂର୍ବାନୁମାନ କରିଛନ୍ତି। ରୁପା ଦାମ୍ ମଧ୍ୟ ବଢ଼ିବ ବୋଲି ସେମାନେ କହିଛନ୍ତି। ସେମାନଙ୍କ ମତରେ ଆସନ୍ତା ୩-୫ ବର୍ଷ ଭିତରେ ରୁପାର ଏକ ଗ୍ରାମ ପିଛା ଦାମ୍ ୧୦୦ ଟଙ୍କାରେ ପହଞ୍ଚିବ।
/sambad/media/post_attachments/wp-content/uploads/2022/01/j9-mens-jewellery.jpg)
ଭାଲେଣ୍ଟାଇନ୍ସ ଡେ’ ଏବଂ ବିବାହ ବାର୍ଷିକୀରେ ଉପହାର
ବିଭାଘର କିମ୍ବା ବ୍ରତଘରରେ ନିଜର ପ୍ରିୟଜନ କିମ୍ବା ବନ୍ଧୁବାନ୍ଧବଙ୍କୁ ଗହଣା ଉପହାର ଦେବା ଆଉ ସୀମିତ ରହିନାହିଁ। ଭାଲେଣ୍ଟାଇନ୍ସ ଡେ’ ଏବଂ ବିବାହା ବାର୍ଷିକୀ ଭଳି ଉତ୍ସବରେ ମଧ୍ୟ ଗହଣାର ଉପହାର ଦିଆଯାଉଛି। ଏସବୁ ଗହଣା ବଜାରକୁ ଆହୁରି ବିଶାଳ କରି ଦେଇଛି। ଏଥିସହିତ ସୁନାରେ ନିବେଶ ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରମୁଖ ନିବେଶର ମାଧ୍ୟମ ପାଲଟି ଯାଇଛି। ଗହଣା ସମେତ ୨୪ କ୍ୟାରେଟ୍ ସୁନା ମଧ୍ୟ ଅନେକ ନିବେଶକ କିଣି ଏଥିରୁ ଭଲ ରିଟର୍ଣ୍ଣ ପାଇ ପାରୁଛନ୍ତି।
/sambad/media/post_attachments/wp-content/uploads/2022/01/j7-Platinum.jpg)
ବଢ଼ୁଛି ପ୍ଲାଟିନମ୍ର ଆଦର
ଅଳଙ୍କାର କିଣିବା ବେଳେ ଓଡ଼ିଶାରେ ଗ୍ରାହକଙ୍କ ସବୁଠୁ ବଡ଼ ପସନ୍ଦ ହେଉଛି ସୁନା। ଏହା ପଛକୁ ରହିଛି ହୀରା। ଏବେବି ବିକ୍ରିରେ ସୁନାର ଅବଦାନ ସିଂହ ଭାଗ ରହିଥିବା ବେଳେ ହୀରା ବହୁ ଦୂରରେ ଦ୍ବିତୀୟ ସ୍ଥାନରେ ରହିଛି। କିଛି ବର୍ଷ ହେଲାଣି ପ୍ଲାଟିନମ୍ ଏକ ଦୃଢ଼ ବର୍ଗ ଭାବେ ଉଭା ହେବାରେ ଲାଗିଛି। ପ୍ଲାଟିନମ୍ର ଦାମ୍ ୨୩ ହଜାର ଟଙ୍କା ପାଖାପାଖି ରହିଛି। ଏହା ହେଉଛି ଏକ ଅତ୍ୟନ୍ତ ଦୃଢ଼ ଧାତୁ। ଅଳଙ୍କାର ଦୋକାନଗୁଡ଼ିକରେ ପୁରୁଷ, ମହିଳା ଓ ବାଳିକାମାନଙ୍କ ଲାଗି ଅଲଗା ଅଲଗା ପ୍ରକାରର ଅଳଙ୍କାର ବିକ୍ରି ହେଉଛି। ପୁରୁଷମାନଙ୍କ ମୁଦି ଓ ବ୍ରେସ୍ଲେଟ୍ ଚାହିଦାରେ ରହିଛି। ଏହା ବ୍ୟତୀତ ଚେନ୍କୁ ମଧ୍ୟ ଲୋକମାନେ ବେଶ ପସନ୍ଦ କରୁଛନ୍ତି। ହୀରା ଖଚିତ ପ୍ଲାଟିନମ୍ ଅଳଙ୍କାରକୁ ମଧ୍ୟ ଲୋକମାନେ କିଣୁଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସେଟ୍ ଆକରରେ ଲଭ୍ ପ୍ଲାଟିନମ୍ ମୁଦି ବିକ୍ରି ହେଉଛି। ଜେମ୍ଷ୍ଟୋନ୍ ଖଚିତ ପ୍ଲାଟିନମ୍ ଅଳଙ୍କାର ମଧ୍ୟ ସୋ’ରୁମ୍ରେ ଦେଖିବାକୁ ମିଳୁଛି। ପ୍ଲାଟିନମ୍ରେ ନେକ୍ଲେସ୍ ଓ ଇୟର ରିଙ୍ଗ୍ର ସମ୍ଭାର ବି ରହିଛି। ଓଡ଼ିଶାରେ ପ୍ଲାଟିନମ୍ ଗହଣାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ଲୋକମାନେ ନିବେଶ ପରିବର୍ତ୍ତେ କେବଳ ଫେସନ୍ ଦୃଷ୍ଟିରୁ ନିଜେ ପିନ୍ଧିବା କିମ୍ବା ଉପହାର ଦେବା ଲାଗି ପ୍ଲାଟିନମ୍ ଗହଣା କିଣୁଛନ୍ତି।
/sambad/media/post_attachments/wp-content/uploads/2022/01/j8-omnichannel.jpg)
ଓମ୍ନିଚ୍ୟାନେଲ୍: ଅନ୍ଲାଇନ୍ ଓ ଷ୍ଟୋର୍ର ମିଶ୍ରଣ
ପାରମ୍ପରିକ ଭାବେ ଲୋକମାନେ ଦୋକାନରୁ ହିଁ ସୁନା କିଣିଥାନ୍ତି। ଯେହେତୁ ସୁନା ଏକ ମହଙ୍ଗା ସାମଗ୍ରୀ ତେଣୁ ଏହାର ଗ୍ରାହକମାନଙ୍କୁ ଏକ ବିଳାସପୂର୍ଣ୍ଣ ପରିବେଶ ପ୍ରଦାନ କରିବା ଲାଗି ବ୍ୟବସାୟୀମାନେ ଷ୍ଟୋର୍କୁ ଯଥାସମ୍ଭବ ଆକର୍ଷଣୀୟ କରିବାକୁ ଉଦ୍ୟମ କରନ୍ତି। ବଡ଼ କୋଠା, ଆଲୋକ ସାଜସଜ୍ଜା ଓ ଚିକ୍ମିକ୍ ପରିବେଶ ଜରିଆରେ ସେମାନେ ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି। ଗ୍ରାହକମାନେ ଷ୍ଟୋର୍ରେ ପ୍ରବେଶ କରି ନିଜ ପସନ୍ଦର ଜୋନ୍କୁ ଯାଇ ଗହଣାଗୁଡ଼ିକୁ ଅତି ପାଖରୁ ପରଖିବା ସହ ତାହାକୁ ପିନ୍ଧିଥାନ୍ତି। ଏହା ପରେ କିଣିବା ନିଷ୍ପତ୍ତି ନିଅନ୍ତି। ଆଜିର ଦିନରେ ବି ଅଧିକାଂଶ ପ୍ରମୁଖ ଗହଣା ପ୍ରତିଷ୍ଠାନ ସୁଦୃଶ୍ୟ ଷ୍ଟୋର୍ ଜରିଆରେ ହିଁ କାରବାର କରୁଛନ୍ତି। ମହାମାରୀ ପରେ କିନ୍ତୁ ଓମ୍ନିଚ୍ୟାନେଲ୍ ବ୍ୟବସ୍ଥା ବେଶ ଲୋକପ୍ରିୟ ହୋଇପାରିଛି। ଏହି ବ୍ୟବସ୍ଥାରେ ଲୋକମାନେ ଅନ୍ଲାଇନ୍ରେ ଗହଣାକୁ ଦେଖୁଛନ୍ତି ଓ ପରଖୁଛନ୍ତି। ଅନ୍ଲାଇନ୍ରେ ତାହାର ବରାଦ ଦେଉଛନ୍ତି ଓ ଷ୍ଟୋରରୁ ଯାଇ ସଂଗ୍ରହ କରୁଛନ୍ତି। ବଡ଼ ବଡ଼ ଗହଣା ପ୍ରତିଷ୍ଠାନ ଅନ୍ଲାଇନ୍ରେ ସେମାନଙ୍କ ଉପସ୍ଥିତି ବଢ଼ାଇଥିବାରୁ ସ୍ଥାନୀୟ ଭାବେ ଗଢ଼ି ଉଠିଥିବା ଜଣାଶୁଣା ସଂସ୍ଥାଗୁଡ଼ିକ ମଧ୍ୟ ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ନିଜର ୱେବସାଇଟ୍ ଜରିଆରେ ବରାଦ ଗ୍ରହଣ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/gold-22.jpg)