ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରିରେ ୩ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲ୍‌ର ଦାମ୍‌କୁ ନେଇ ଦେଶବାସୀ ବେଶ ଚିନ୍ତିତ ଥିବା ବେଳେ ଅନ୍ୟ ପଟେ ଦେଶରେ ଇଲେକ୍ଟ୍ରିକ୍ ଯାନ ବିକ୍ରିରେ ବଡ଼ ଧରଣର ବୃଦ୍ଧି ହୋଇଥିବା ଖବର ଆସିଛି। ଗତବର୍ଷ ତିନି ଗୁଣା ଅଧିକ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଛି। କେବଳ କାର ନୁହେଁ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡ଼ି ମଧ୍ୟ ବହୁତ ବିକ୍ରି ହୋଇଛି। ଅଟୋମୋବାଇଲ୍‌ ଡିଲରମାନଙ୍କ ସଂଘ ଫାଡା ଜାରି କରିଥିବା ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ୪,୨୯,୨୧୭ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୦-୨୧ରେ ବିକ୍ରି ହୋଇଥିବା ୧,୩୪,୮୨୧ଟି ଗାଡ଼ି ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ୨୦୧୯-୨୦ରେ ଦେଶରେ ୧,୬୮,୩୦୦ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଥିଲା। ୨୦୨୦-୨୧ରେ ୧୭,୮୦୨ଟି ଇଲେକ୍ଟ୍ରିକ୍ କାର୍ ବିକ୍ରି ହୋଇଛି ଯାହା ୨୦୨୦-୨୧ରେ ବିକ୍ରି ହୋଇଥିବା ୪,୯୮୪ଟି ଗାଡ଼ି ତୁଳନାରେ ତିନି ଗୁଣ ଅଧିକ। ଟାଟା ମୋଟର୍ସ ସର୍ବା‌ଧିକ ୧୫,୧୯୮ ଇଲେକ୍ଟ୍ରିକ୍ କାର୍ ବିକ୍ରି କରି ଏହି ବଜାରର ୮୫.୩୭ ପ୍ରତିଶତ ଅଂଶ ନିଜ କବ୍‌ଜାରେ ରଖିଛି। ୨୦୨୦-୨୧ରେ ଏହି ସଂସ୍ଥା ୩,୫୨୩ଟି ଇଲେକ୍ଟ୍ରିକ୍ କାର୍ ବିକ୍ରି କରିଥିଲା। ଏମ୍‌ଜି ମୋଟର୍ସ ୨,୦୪୫ଟି ଗାଡ଼ି ବିକ୍ରି କରିଥିବା ବେଳେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୧୫୬ ଓ ହୁଣ୍ଡାଇ ମୋଟର ୧୨୮ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି କରିଛନ୍ତି। ଇଲେକ୍ଟ୍ରିକ୍ କାର୍ ବିକ୍ରି କରୁଥିବା ପ୍ରାୟ ସବୁ କଂପାନିର ବିକ୍ରି ୨୦୨୦-୨୧ରେ ବୃଦ୍ଧି ପାଇଛି।

୨୦୨୦-୨୧ରେ ଦେଶରେ ୨,୩୧,୩୩୮ଟି ଦୁଇ ଚକିଆ ଯାନ ବିକ୍ରି ହୋଇଛି ଯାହା ୨୦୨୦-୨୧ରେ ବିକ୍ରି ହୋଇଥିବା ୪୧,୦୪୬ଟି ଗାଡ଼ି ତୁଳନାରେ ପାଞ୍ଚ ଗୁଣ ଅଧିକ। ହିରୋ ଇଲେକ୍ଟ୍ରିକ୍ ସର୍ବାଧିକ ୬୫,୩୦୩ଟି ଗାଡ଼ି ବିକ୍ରି କରିଥିବା ବେଳେ ଓକିନାୱା ‌ଅଟୋଟେକ୍ ୪୬,୪୪୭, ଆମ୍ପିୟର ଇଲେକ୍ଟ୍ରିକ୍ ୨୪,୬୪୮, ଏଥର ଏନର୍ଜି ୧୯,୯୭୧, ଓଲା ଇଲେକ୍ଟ୍ରିକ୍ ୧୪,୩୭୧, ଟିଭିଏସ୍‌ ୯,୪୫୮ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି କରିଛନ୍ତି। ହିରୋ ଇଲେକ୍ଟ୍ରିକ୍ ପାଖରେ ସର୍ବା‌ଧିକ ୨୮.୨୩ ପ୍ରତିଶତ ବଜାର ଅଂଶ ରହିଛି।

ସମ୍ବନ୍ଧିତ ଖବର