ମହାମାରୀ ପାଇଁ ଓଡ଼ିଶାରେ ଆମ ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇନି : ଟି ଏସ୍‌ ସାମ୍ଭୋଗ୍‌

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଓଡ଼ିଶାକୁ ନେଇ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ବୃହତ ଯୋଜନା ରଖିଛି। ପାରାଦୀପ ଓ କେନ୍ଦୁଝରରେ ଏହାର ପୁଞ୍ଜିନିବେଶ ଜାରି ରହିଛି। ଏହି ଯୋଜନା କିଭଳି ଆଗକୁ ବଢ଼ୁଛି, କଂପାନି ଉପରେ କରୋନା ମହାମାରୀର ପ୍ରଭାବ, ସିଏସ୍ଆର୍‌ କାର୍ଯ୍ୟକ୍ରମ ଓ ଓଡ଼ିଶାର ନୂଆ ସମ୍ଭାବ୍ୟ ଶିଳ୍ପ ନୀତି ଉପରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ-ଓଡ଼ିଶା ଫାସିଲିଟିଜ୍‌ ଟି ଏସ୍‌ ସାମ୍ଭୋଗ୍‌ଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି…

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ ଓଡ଼ିଶାରେ ୨୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସେଥିରେ କିଭଳି ଅଗ୍ରଗତି ହୋଇଛି?

ଆମର ସମ୍ପ୍ରସାରଣ ଯୋଜନା ଠିକ୍ ରାସ୍ତାରେ ରହିଛି। କୋଭିଡ୍‌-୧୯ ମହାମାରୀ ଦ୍ବାରା ତାହା ପ୍ରଭାବିତ ହୋଇନାହିଁ। ଭାରତର ବର୍ଦ୍ଧିତ ଇସ୍ପାତ ଚାହିଦାକୁ ନେଇ ଆମେ ଉତ୍ସାହିତ ଥିବା ବେଳେ ପାରାଦୀପରେ ଥିବା ପେଲେଟ୍‌ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୬ ନିୟୁତ ଟନ୍‌ରୁ ବୃଦ୍ଧି କରି ୧୨ ନିୟୁତ ଟନ୍ କରିବୁ। ସେହିପରି, କେନ୍ଦୁଝର ଡୁବୁନା ଠାରେ ଥିବା ବେନିଫିକେସନ୍ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୮ ନିୟୁତ ଟନ୍‌ରୁ ବଢ଼ାଇ ୧୨ ନିୟୁତ ଟନ୍ କରିବୁ। ଓଡ଼ିଶ‌ାରେ ହେବାକୁ ଥିବା ଏହି ସମ୍ପ୍ରସାରଣ ଯୋଜନାରେ ଆମେ ପର୍ଯ୍ୟାୟକ୍ରମେ ପୁଞ୍ଜିନିବେଶ କରିବୁ। ଏହା ଦ୍ବାରା ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ରାଜ୍ୟ ସରକାରଙ୍କ ଲାଗି ରାଜସ୍ବ ସୃ‌ଷ୍ଟି କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ କାରବାର ଏକ ବର୍ଷ ପୂରଣ କରିଛି। ଏହା ଦେଶର ଇସ୍ପାତ କ୍ଷେତ୍ର ଏବଂ ଭିତ୍ତିଭୂମି ବିକାଶ ପ୍ରତି ସହଯୋଗ ଜାରି ରଖିବ।

ସ୍ଥାନୀୟ ସମାଜ ପାଇଁ କଂପାନି କ’ଣ ପଦକ୍ଷେପ ଗ୍ରହଣ କରିଛି?
କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଆମ ବ୍ୟବସାୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଓ ଏହା ଆମ ବ୍ୟବସାୟ ଦର୍ଶନ ସହ ଯୋଡ଼ି ‌ହୋଇରହିଛି। ଆମେ ପାରାଦୀପ ଓ ଡୁବୁନା ଠାରେ ବିଭିନ୍ନ ସିଏସ୍‌ଆର୍‌ କାର୍ଯ୍ୟ ହାତକୁ ନେଇଛୁ। ଆମେ ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ଶିକ୍ଷା, ଜୀବନଜୀବିକା ଓ ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ବାରୋପ କରୁଛୁ। ମହାମାରୀ ସମୟରେ ଆମର ଅଭିଯାନ ସ୍ଥାନୀୟ ଜନତା ଏବଂ ପ୍ରଶାସନ ଦ୍ବାରା ବେଶ ପ୍ରଶଂସିତ ହୋଇଛି।

ନିବେଶକଙ୍କୁ ଆକର୍ଷିତ କରିବା ଲାଗି ଓଡ଼ିଶା ସରକାର ଏକ ଆକର୍ଷଣୀୟ ଓ ପ୍ରଗତିଶୀଳ ଶିଳ୍ପ ନୀତି ଆଣିବାକୁ ଯୋଜନା ରଖିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବାରେ ଏହି ନୀତି କିଭଳି ସହାୟକ ହେବ?

ଓଡ଼ିଶାର ଭୌଗୋଳିକ ଉପସ୍ଥିତି ଏବଂ ଖଣିଜ ସମ୍ପଦ ଏହାକୁ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିଛି। ଓଡ଼ିଶା ସରକାରଙ୍କ ନୂଆ ଶିଳ୍ପ ନୀତି ଉତ୍ସାହଜନକ ଏବଂ ଏହା ବିଭିନ୍ନ କ୍ଷେତ୍ରର ନିବେଶକଙ୍କୁ ଆକୃଷ୍ଟ କରିବ। ନୂଆ ନୀତିରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ) ଓ ଷ୍ଟାର୍ଟ-ଅପ୍‌ କ୍ଷେତ୍ରର ବିକାଶ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି। ସଂଶୋଧିତ ନୀତିରେ ଦିଆଯାଉଥିବା ପ୍ରୋ‌ତ୍ସାହନ ରାଜ୍ୟର ଶିଳ୍ପ ବିକାଶରେ ବିଶେଷ ସହାୟକ ହେବ।

ମହାମାରୀ ଦ୍ବାରା ବ୍ୟବସାୟ ଜଗତ ଓ ଅନେକ ଶିଳ୍ପ ସଂସ୍ଥା ପ୍ରଭାବିତ ହୋଇଛନ୍ତି। ଆପଣଙ୍କ କଂପାନି ଏହି ସ୍ଥିତିର କିଭଳି ମୁକାବିଲା କରିଛି?

ଆରମ୍ଭରୁ ଆମେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରୁଛୁ। ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନ ମହାମାରୀର ସଫଳ ମୁକାବିଲା କରିବାରେ ବିଶେଷ ସହାୟକ ହୋଇଛି। ତେଣୁ ଲକ୍‌ଡାଉନ୍ ଘୋଷଣା ହେବାର ଦୁଇରୁ ତିନି ମାସ ଭିତରେ ଆମ ଉତ୍ପାଦନ ସ୍ବାଭାବିକ ସ୍ଥିତିକୁ ଫେରିପାରିଥିଲା।

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୦ ବିଷୟରେ ଆପଣଙ୍କ ମତ କ’ଣ?
ସକାରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସ୍ବୀକୃତି ଏବଂ ସମ୍ବର୍ଦ୍ଧିତ କରିବା ଲାଗି ସମ୍ବାଦ ଓ ଏହାର ଅଭିଯାନ ବାସ୍ତବରେ ପ୍ରଶଂସନୀୟ।

ସମ୍ବନ୍ଧିତ ଖବର