ଦେଶର ଭବିଷ୍ୟତ ଲିଡର୍ଙ୍କୁ କିଭଳି ଗଢ଼ୁଛି ଆଇଆଇଏମ୍ ସମ୍ବଲପୁର?
ଏକ୍ଜିକ୍ୟୁଟିଭ୍ ଏମ୍ବିଏ, ଏକ୍ଜିକ୍ୟୁଟିଭ୍ ପିଏଚ୍ଡି, ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ସହ ସହଯୋଗିତାରେ ଡୁଆଲ୍ ଡିଗ୍ରି କାର୍ଯ୍ୟକ୍ରମ, କର୍ମଜୀବୀଙ୍କ ପାଇଁ ଏମ୍ବିଏ ପାଠ୍ୟକ୍ରମ ଆଦି ଜରିଆରେ ଆଇଆଇଏମ୍ ସମ୍ବଲପୁର ଭବିଷ୍ୟତର ଲିଡର୍ ଗଠନ କରୁଛି। ଦିଲ୍ଲୀରେ ଏକ କ୍ୟାମ୍ପସ୍ ଖୋଲାଯାଇଛି। ଆଇ-ହବ୍ ଫାଉଣ୍ଡେସନ୍ ନାମରେ ଇନ୍କୁବେସନ୍ ସେଣ୍ଟର ସ୍ଥାପନ କରାଯାଇଛି ଯାହା ଷ୍ଟାର୍ଟଅପ୍ଗୁଡ଼ିକୁ ମେଣ୍ଟରସିପ୍, ବ୍ୟବସାୟ ସହାୟତା, ନେଟ୍ୱର୍କିଂ ସୁଯୋଗ, ଶିକ୍ଷଣୀୟ କର୍ମଶାଳା, ପାଣ୍ଠି ସହାୟତା ଓ ବ୍ରାଣ୍ଡିଂ ସୁବିଧା ପ୍ରଦାନ କରୁଛି।
ସ୍ଥାନୀୟ କାରିଗର ଓ ଉଦ୍ୟୋଗୀଙ୍କ ସହାୟତା ପାଇଁ ଅନୁଷ୍ଠାନ କଣ କରୁଛି?
ଦେଶର ବିକାଶ ଲାଗି ବୟନଶିଳ୍ପ ବେଶ୍ ଗୁରୁତ୍ବପୂର୍ଣ୍ଣ। ସମ୍ବଲପୁରୀ କଳାର ମାର୍କେଟିଂ ଓ ବିପଣନ ଲାଗି ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ସିଡ୍ବି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ସେମାନଙ୍କୁ ଓଡ଼ିଆ ଭାଷାରେ ଜିଏସ୍ଟି, ଇନ୍ଭଏସ୍, ବିପଣନ ଭଳି ବ୍ୟବସାୟର ଗୁରୁତ୍ବପୂର୍ଣ୍ଣ ଦିଗ ବିଷୟରେ ଅବଗତ କରାଯାଉଛି। ଏହାଦ୍ବାରା ଆଞ୍ଚଳିକ ଭାଷାରେ ବ୍ୟବସାୟ ଶିକ୍ଷା ଦେବାରେ ଆଇଆଇଏମ୍ ସମ୍ବଲପୁର ଦେଶର ପ୍ରଥମ ମ୍ୟାନେଜମେଣ୍ଟ୍ ଅନୁଷ୍ଠାନ ହୋଇପାରିଛି। ସ୍ଥାନୀୟ ବୁଣାକାରଙ୍କ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ଫ୍ଲିପ୍କାର୍ଟ, ଆମାଜନ ଓ ସିଡ୍ବି ସହ ସହଯୋଗିତା ସ୍ଥାପନ କରାଯାଇଛି।
ଭବିଷ୍ୟତର ପ୍ରବନ୍ଧକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ବଦଳିଛି। ଏହି ଆହ୍ବାନକୁ ସାମ୍ନା କରିବା ଲାଗି ସେମାନଙ୍କୁ କିଭଳି ପ୍ରସ୍ତୁତ କରାଯାଉଛି?
ଆମେ ଅଣପାରମ୍ପରିକ ଉପାୟ ବ୍ୟବହାର କରି ମ୍ୟାନେଜମେଣ୍ଟ୍ ଶିକ୍ଷା ଦେଉଛୁ। ଆମର ଲକ୍ଷ୍ୟ ହେଉଛି ଉଦ୍ୟମିତା ମନୋଭାବ ଥିବା ଲିଡର୍ ଗଠନ କରିବା ଯେଉଁମାନେ ନବସୃଜନ, ସଚ୍ଚୋଟତା ଓ ଅନ୍ତର୍ଭୁକ୍ତୀକରଣର ମୂଲ୍ୟବୋଧକୁ ବୁଝୁଥିବେ। ଏଆଇ ପ୍ରଚଳନ ପରେ ବହୁତ କିଛି ବଦଳିଛି। ବିଭିନ୍ନ ସଂସ୍ଥା ପ୍ରଯୁକ୍ତିକୁ ଭଲ ଭାବେ ବୁଝୁଥିବା ଲିଡର୍ ଚାହୁଛନ୍ତି। ୧୦୦ରୁ ଅଧିକ କମ୍ପାନି ସହ ସହଯୋଗିତାରେ ଆଇଆଇଏମ୍ ସମ୍ବଲପୁର ଏହାର ଛାତ୍ରଛାତ୍ରୀମାନଙ୍କୁ ସେହି ଅନୁସାରେ ପ୍ରସ୍ତୁତ କରୁଛି। ଉଦୀୟମାନ କ୍ଷେତ୍ର ପାଇଁ ଉତ୍କର୍ଷ କେନ୍ଦ୍ର ଓ ଉଦ୍ୟମିତା ସହାୟତା ଲାଗି ଆଇ-ହବ୍ ଫାଉଣ୍ଡେସନ୍ ରହିଛି।
ଏଆଇ ଫାକଲ୍ଟି ପ୍ରଚଳନ କିଭଳି ପ୍ରଭାବଶାଳୀ ହୋଇପାରିଛି?
ଭାରତର ପ୍ରଥମ ବି-ସ୍କୁଲ ଭାବେ ଆଇଆଇଏମ୍ ସମ୍ବଲପୁର ଶ୍ରେଣୀଗୃହରେ ଫାକ୍ଲଟି ଭାବେ ଏଆଇ ବ୍ୟବହାର କରିଛି। ଏଆଇ ବ୍ୟବହାର କରି ପିଲାମାନଙ୍କୁ ପାଠପଢ଼ା ହେବା ପୂର୍ବରୁ କେସ୍ ଷ୍ଟଡି, ଭିଡିଓ ଓ ଅନ୍ୟାନ୍ୟ ବିଷୟ ପ୍ରଦାନ କରାଯାଉଛି। ପ୍ରସ୍ତୁତି ଲାଗି ସେମାନଙ୍କୁ ଦୁଇରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଦିଆଯାଉଛି। ଆଭାସୀ କ୍ଲାସ୍ରେ ସେମାନଙ୍କୁ ୯୦ ମିନିଟ୍ ପ୍ରତ୍ୟକ୍ଷ ଭାବେ ରହିବାକୁ ପଡ଼ୁନି। ସେମାନେ ବ୍ୟକ୍ତିଗତ ଭାବେ ଲଗ୍ ଇନ୍ କରୁଛନ୍ତି। କୌଣସି ପ୍ରତ୍ୟକ୍ଷ ପ୍ରଫେସର ମଧ୍ୟ ରହୁନାହାନ୍ତି। ସେମାନେ କେବଳ ଶ୍ରେଣୀର ଢାଞ୍ଚା ତିଆରି କରୁଛନ୍ତି।
ସାରା ଦେଶର ଆଇଆଇଏମ୍ଗୁଡ଼ିକ ସାମ୍ନା କରୁଥିବା ପ୍ଲେସ୍ମେଣ୍ଟ୍ ଆହ୍ବାନ ସମ୍ପର୍କ କଣ କହିବେ?
ଅର୍ଥନୈତିକ ସ୍ଥିତି, ନିଯୁକ୍ତିଦାତାଙ୍କ ଆଶା ଓ ଛାତ୍ରଛାତ୍ରୀଙ୍କ ଅଭିଳାଷରେ ହୋଇଥିବା ପରିବର୍ତ୍ତନ ପ୍ରଭାବରେ ଆଇଆଇଏମ୍ ଭଳି ଲୋକପ୍ରିୟ ଅନୁଷ୍ଠାନ ମଧ୍ୟ କେତେକ ପ୍ଲେସ୍ମେଣ୍ଟ୍ ଆହ୍ବାନ ସାମ୍ନା କରିଛନ୍ତି। କୋଭିଡ୍-୧୯ ମହାମାରୀ କିମ୍ବା ଭୂରାଜନୈତିକ ସଙ୍କଟ ପାଇଁ ନିଯୁକ୍ତି ବଜେଟ୍ ସଙ୍କୁଚିତ ହୋଇଛି। କମ୍ପାନିଗୁଡ଼ିକ ନିଯୁକ୍ତି କମ୍ କରିଛନ୍ତି କିମ୍ବା ବିଳମ୍ବ କରିଛନ୍ତି। ସେଥିପାଇଁ ବଡ଼ ଅନୁଷ୍ଠାନଗୁଡ଼ିକର ପ୍ଲେସ୍ମେଣ୍ଟ୍ ପ୍ରଭାବିତ ହୋଇଛି। ପରିବେଶ, ସମାଜ ଓ ଶାସନ (ଇଏସ୍ଜି) ଫ୍ରେମ୍ୱର୍କ୍ ଓ ସ୍ଥାୟିତ୍ବ ଫ୍ରେମ୍ୱର୍କ ପାଇଁ ପ୍ରାର୍ଥୀଙ୍କଠାରେ କେଉଁ ସବୁ ଗୁଣ ରହିବା ଦରକାର ତାହା ଜାଣିବା ନିଯୁକ୍ତିଦାତାଙ୍କ ପାଇଁ ଜଟିଳ ହୋଇଛି। କିନ୍ତୁ ଆଇଆଇଏମ୍ ସମ୍ବଲପୁର ୧୦୦ ପ୍ରତିଶତ ପ୍ଲେସ୍ମେଣ୍ଟ୍ ବଜାୟ ରଖିଛି।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଉପରେ ଆପଣଙ୍କ ମତ କଣ?
ଓଡ଼ିଶାରୁ ଜନ୍ମ ହୋଇଥିବା ବ୍ରାଣ୍ଡ୍ଗୁଡ଼ିକୁ କର୍ପୋରେଟ୍ ସଫଳତାରେ ଉତ୍କର୍ଷକୁ ମାନ୍ୟତା ଦେବା କ୍ଷେତ୍ରରେ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ପ୍ରତିଷ୍ଠା ହାସଲ କରିଛି। ଏହି ପୁରସ୍କାର ଶିଳ୍ପରେ ଶ୍ରେଷ୍ଠ ଅଭ୍ୟାସକୁ ଉତ୍ସାହିତ କରୁଥିବା ବେଳେ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନକୁ ମାନ୍ୟତା ଦେଉଛି। ଆମର ବିଶ୍ବାସ ରହିଛି ଯେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ପ୍ରତି ବ୍ୟବସାୟ ଜଗତ ଦେଉଥିବା ଉଲ୍ଲେଖନୀୟ ଅବଦାନକୁ ସ୍ବୀକୃତି ଦେବା ଓ ସେହି ସଫଳତାକୁ ପାଳନ କରିବାରେ ଏହି ପୁରସ୍କାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ଉଦ୍ୟୋଗୀ ଭାବନା ଥିବା ଲିଡର୍ ଗଢ଼ିବା ଆମର ଲକ୍ଷ୍ୟ
ଏକ୍ଜିକ୍ୟୁଟିଭ୍ ଏମ୍ବିଏ, ଏକ୍ଜିକ୍ୟୁଟିଭ୍ ପିଏଚ୍ଡି, ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ସହ ସହଯୋଗିତାରେ ଡୁଆଲ୍ ଡିଗ୍ରି କାର୍ଯ୍ୟକ୍ରମ, କର୍ମଜୀବୀଙ୍କ ପାଇଁ ଏମ୍ବିଏ ପାଠ୍ୟକ୍ରମ ଆଦି ଜରିଆରେ ଆଇଆଇଏମ୍ ସମ୍ବଲପୁର ଭବିଷ୍ୟତର ଲିଡର୍ ଗଠନ କରୁଛି।
/sambad/media/media_files/2025/01/03/cqoJwRzkG3Oiq1OAMdnW.jpg)
/sambad/media/agency_attachments/2024-07-24t043029592z-sambad-original.webp)