୨୦୨୫ ସମ୍ପର୍କରେ ଆପଣଙ୍କ ଆକଳନ କଣ ରହିଛି?
ଆମେ ଡ୍ରୋନ୍ ପ୍ରଯୁକ୍ତି ଓ ଆକାଶ ମାର୍ଗ ଲଜିଷ୍ଟିକ୍ସ କ୍ଷେତ୍ରରେ ବିଶ୍ବର ଏକ ଅଗ୍ରଣୀ କମ୍ପାନିରେ ପରିଣତ ହେବାକୁ ଚାହୁଛୁ। ୧୦୦ କେଜି ପର୍ଯ୍ୟନ୍ତ ଜିନିଷ ବୋହିପାରୁଥିବା ‌‌ଡ୍ରୋନ୍ ବିକାଶ କରିବାକୁ ଚାହୁଛୁ। ପ୍ରତିରକ୍ଷା, ବିପର୍ଯ୍ୟୟ ପରିଚାଳନା, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଶିଳ୍ପ ଓ ବାଣିଜ୍ୟ କାର୍ଯ୍ୟରେ ଡ୍ରୋନ୍‌ର ବ୍ୟବହାର ବଢ଼ାଇବାକୁ ଚାହୁଛୁ। 
ଆପଣଙ୍କ ପାଇଁ ଉଦ୍ୟମିତାର ଅର୍ଥ କଣ?
ମୋ ପାଇଁ ଉଦ୍ୟମିତାର ଅର୍ଥ ହେଉଛି ଚିନ୍ତାଧାରାକୁ ଏକ ପ୍ରଭାବଶାଳୀ ବାସ୍ତବତାରେ ପରିଣତ କରିବା। ସମସ୍ୟା ଚିହ୍ନଟ କରି ତାହାର ଅଭିନବ ସମାଧାନ ବାହାର କରିବା ଯାହା କେବଳ ବଜାର ନୁହେଁ, ଲୋକମାନଙ୍କ ଜୀବନ ଉପରେ ପ୍ରଭାବ ପକାଇବ। କିଛି ଅର୍ଥପୂର୍ଣ୍ଣ ତିଆରି କରିବା ଲାଗି ଅନିଶ୍ଚିତତା ଦେଇ ଗତି କରିବା ବେଳେ ସବୁ କିଛି ହିସାବ କରି ବିପଦ ଗ୍ରହଣ କରିବା ଲାଗି ସାହସ ଓ ଲକ୍ଷ୍ୟ ରହିବା ଦରକାର। ଉଦ୍ୟମିତା କେବଳ ବ୍ୟବସାୟ ପରିଚାଳନା ନୁହେଁ, ଏହା ହେଉଛି ଅଭିବୃଦ୍ଧିକୁ ଦୃଢ଼ କରିବା, ସୁଯୋଗ ସୃଷ୍ଟି କରିବା ଓ ଆହ୍ବାନକୁ ଗ୍ରହଣ କରିବା ତଥା ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି ଲାଗି ପ୍ରତିବଦ୍ଧ ରହିବା। 
ଆପଣଙ୍କ ସଫଳତାର ରହସ୍ୟ କଣ?
ନୂଆ ପିଢ଼ିର ଉଦ୍ୟୋଗୀଙ୍କ ପାଇଁ ମୋର ସଫଳତା ମନ୍ତ୍ର ହେଉଛି ଅଭିନବ ପନ୍ଥା ଜରିଆରେ ବାସ୍ତବ ସମସ୍ୟାର ସମାଧାନ କରିବା ଏବଂ ଆହ୍ବାନ ସମୟରେ ସ୍ଥିର ରହିବା। ବଜାର ଓ ଗ୍ରାହକଙ୍କ ସମସ୍ୟାକୁ ଭଲ ଭାବେ ବୁଝନ୍ତୁ। ଏଭଳି ସମାଧାନ ବିକାଶ କରନ୍ତୁ ଯାହା ଧାରା ଅନୁସରଣ କରିବା ବଦଳରେ ବାସ୍ତବ ମୂଲ୍ୟ ସୃଷ୍ଟି କରୁଥିବ। ମନେ ରଖନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ଆପେ ଆସିବ। ବଡ଼ ସ୍ବପ୍ନ ଦେଖନ୍ତୁ ଓ ତାହାକୁ ବୁଦ୍ଧିମାନର ସହ କାର୍ଯ୍ୟକାରୀ କରନ୍ତୁ। 
ବଜାରରେ ଆଗକୁ ବଢ଼ିବା ଲାଗି ମାନ୍ୟତା କିଭଳି ସହାୟତା ହୋଇଥାଏ?
ମାନ୍ୟତା ବା ସ୍ବୀକୃତି ବିଶ୍ବାସ ଓ ଭରସା ଗଠନ କରିବା ସହ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବଜାରରେ ଅଲଗା ପରିଚୟ ଦେଇଥାଏ। ଏହା ବ୍ରାଣ୍ଡ୍‌ର ଅଭିବୃଦ୍ଧିରେ ପରିବର୍ତ୍ତନର ବାର୍ତ୍ତାବହ ଭାବେ କାର୍ଯ୍ୟ କରିଥାଏ। ମାନ୍ୟତା ପାଉଥିବା ବ୍ରାଣ୍ଡ୍‌କୁ ଅଧିକ ଲୋକ ଜାଣନ୍ତି ଯାହା ଆଗକୁ ବଢ଼ିବାର ନୂଆ ନୂଆ ଦ୍ବାର ଖୋଲିଥାଏ। ମାନ୍ୟତା ବଜାରରେ ବ୍ରାଣ୍ଡ୍‌ର ସ୍ଥିତି ଦୃଢ଼ କରିବା ସହ ନୂଆ ସୁଯୋଗ ଓ ଦୀର୍ଘକାଳୀନ ସଫଳତା ପାଇଁ ସମ୍ପ୍ରସାରଣକୁ ତ୍ବରାନ୍ବିତ କରିଥାଏ।
ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ସମ୍ପର୍କରେ ଆପଣଙ୍କ ମତ କ’ଣ?
ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ବର୍ଦ୍ଧିତ କରିବା ଲାଗି ସମ୍ବାଦର ଏହି ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଏହା କେବଳ ଉଦ୍ୟୋଗୀଙ୍କ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ଦେଉନାହିଁ, ବରଂ ଅର୍ଥନୈତିକ ବିକାଶ ପ୍ରତି ଯୋଗଦାନକୁ ମଧ୍ୟ ସମ୍ମାନ ଜଣାଉଛି। ଏହି ପୁରସ୍କାର ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ବଡ଼ ସ୍ବପ୍ନ ଦେଖିବା, ସମାଜର ସମସ୍ୟା ସମାଧାନ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଦେଶର ପ୍ରଗତିରେ ଯୋଗଦାନ କରିବା ଲାଗି ଅନୁପ୍ରାଣିତ କରୁଛି। ଏହି ପୁରସ୍କାର ଲାଗି ଆବେଦନ କରୁଥିବା ସମସ୍ତ ସଂସ୍ଥାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।