ଚଳିତ ବର୍ଷ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆୟୋଜନ କରାଯିବ। ଏହାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଇପିକଲ୍ ଓ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆଙ୍କ ସହ ଆଲୋଚନାକୁ ଉପସ୍ଥାପନ କରାଯାଇଛି
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ପାଇଁ ପ୍ରସ୍ତୁତି କିଭଳି ଚାଲିଛି?
ପୂର୍ଣ୍ଣ ମାତ୍ରାରେ କନ୍କ୍ଲେଭ୍ର ପ୍ରସ୍ତୁତି ଆଗେଇ ଚାଲିଛି। ରାଜ୍ୟ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସଫଳତା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଆମେ କନ୍କ୍ଲେଭ୍କୁ ଏକ ଅଭିନବ ଓ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ଯୋଜନା ରଖିଛୁ। ସେଥିରେ ଓଡ଼ିଶାର ଅଭିବୃଦ୍ଧି ଓ ସମ୍ଭାବନା ପ୍ରତିଫଳିତ ହେବ। ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ପ୍ରସ୍ତୁତି ଅଗ୍ରଗତିର ସମୀକ୍ଷା କରୁଛନ୍ତି। କାର୍ଯ୍ୟକ୍ରମର ସଫଳତା ପାଇଁ ସାରା ସରକାର କାର୍ଯ୍ୟ କରୁଛି। ସରକାରଙ୍କ ତରଫରୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣପତ୍ର ପଠାଯାଇଛି। ଯୋଜନା ଅନୁସାରେ କନ୍କ୍ଲେଭ୍ ଆୟୋଜନ ସ୍ଥଳରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ପୂର୍ବ ସଂସ୍କରଣଗୁଡ଼ିକଠାରୁ ଏହା କିଭଳି ଭିନ୍ନ ହେବ?
କନ୍କ୍ଲେଭ୍ର ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ଚଳିତ ସଂସ୍କରଣ ବଡ଼ଧରଣର ଓ ଅଧିକ ଅନ୍ତର୍ଭୁକ୍ତୀକରଣର ହେବ। ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ କ୍ଷେତ୍ରରୁ ଅଧିକ ସଂଖ୍ୟାରେ ନିବେଶ ସାମିଲ ହେବେ ବୋଲି ଆମେ ଆଶା କରୁଛୁ। ରପ୍ତାନି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ), ସ୍ଥାନୀୟ ଉଦ୍ୟୋଗୀ, ଉଦୀୟମାନ ମହିଳା ଓ ଯୁବ ଉଦ୍ୟୋଗୀଙ୍କ ଉପରେ ଗୁରୁତ୍ବ ଦେବା ଅନ୍ୟତମ ପ୍ରମୁଖ ବିଷୟ ହୋଇରହିଛି।
ଚଳିତ ବର୍ଷ କନ୍କ୍ଲେଭ୍ରେ କେଉଁ କ୍ଷେତ୍ରଗୁଡ଼ିକୁ ଗୁରୁତ୍ବ ଦିଆଯାଉଛି?
ଶ୍ରମ ସମ୍ବେଦନଶୀଳ କ୍ଷେତ୍ର, ନିରନ୍ତର ବିକାଶ ଓ ସର୍କୁଲାର ଅର୍ଥନୀତି ଉପରେ ଏଥର ଗୁରୁତ୍ବାରୋପ କରାଯାଉଛି।
କନ୍କ୍ଲେଭ୍ରେ ଆୟୋଜନ ହେବାକୁ ଥିବା ଅଧିବେଶନଗୁଡ଼ିକ ବିଷୟରେ କଣ କହିବେ?
ଚଳିତ ବର୍ଷ ଆମେ ୧୨ଟି କ୍ଷେତ୍ରଭିତ୍ତିକ ଓ ୬ଟି ପ୍ରସଙ୍ଗଭିତ୍ତିକ ଅଧିବେଶନ ଆୟୋଜନ କରିବାକୁ ଯୋଜନା ରଖିଛୁ। ତାହା ନିବେଶ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ବିସ୍ତୃତ ଆଲୋଚନା କରିବାର ମଞ୍ଚ ପ୍ରଦାନ କରିବ। ତାହା ସେମାନଙ୍କୁ ଓଡ଼ିଶାର ବ୍ୟାପକ ନିବେଶ ସମ୍ଭାବନା ଓ ସୁଯୋଗ ବିଷୟରେ ଅବଗତ କରିବ।
କେତୋଟି ଦେଶ ଏଥିରେ ଭାଗ ନେବେ?
୨୦୨୪ ନଭେମ୍ବରରେ ଆୟୋଜନ କରାଯାଇଥିବା ସିଙ୍ଗାପୁର ବିଜନେସ୍ ମିଟ୍ ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଆମର ଉପସ୍ଥିତି ବଢ଼ିଛି। ତାହା ଅନ୍ତର୍ଜାତୀୟ ନିବେଶକଙ୍କ ମଧ୍ୟରେ କନ୍କ୍ଲେଭ୍କୁ ନେଇ ଆଗ୍ରହ ସୃଷ୍ଟି କରିଛି। କନ୍କ୍ଲେଭ୍ର ସହଯୋଗୀ ରାଷ୍ଟ୍ର ହେବା ଲାଗି ସିଙ୍ଗାପୁର ସ୍ପଷ୍ଟ କରିଛି। ବିଭିନ୍ନ ଦେଶରୁ ଅଂଶଗ୍ରହଣକାରୀମାନେ କନ୍କ୍ଲେଭ୍ରେ ଭାଗନେବା ନେଇ ଆମେ ଆଶାବାଦୀ ଅଛୁ।
ଏଥର କିଭଳି ଭିଡ଼ ଆଶା କରୁଛନ୍ତି?
ଚଳିତ ବର୍ଷ କନ୍କ୍ଲେଭ୍କୁ ୨୦ ହଜାରରୁ ଅଧିକ ଲୋକ ପରିଦର୍ଶନ କରିବେ ବୋଲି ଆମେ ଆଶା କରୁଛୁ। ଅଭିନବ ଚିନ୍ତାଧାରାକୁ ବାସ୍ତବ ରୂପ ଦେବାରେ ଅଂଶଗ୍ରହଣକାରୀମାନଙ୍କୁ ଅନୁପ୍ରାଣିତ କରିବା ଲାଗି ପ୍ରସ୍ତୁତ କରାଯାଉଥିବା ସ୍ବତନ୍ତ୍ର ପ୍ରଦର୍ଶନୀ ଏକ ପ୍ରମୁଖ ଆକର୍ଷଣ ହେବ। ଓଡ଼ିଶାର ବିନିର୍ମାଣ ଶକ୍ତିକୁ ଉପସ୍ଥାପନ କରିବାକୁ ଥିବା ଏମ୍ଆଇଓ ପ୍ରଦର୍ଶନୀ ବହୁ ସଂଖ୍ୟାରେ ଉଦ୍ୟୋଗୀ ଓ ବ୍ୟବସାୟ ଜଗତର ପ୍ରତିନିଧିଙ୍କୁ ଆକର୍ଷିତ କରିବ। କନ୍କ୍ଲେଭ୍କୁ ଜ୍ଞାନ, ନବସୃଜନ ଓ ନିବେଶର ଏକ ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ଉପରେ ଆପଣଙ୍କ ମତ କଣ?
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ଏକ ଚମତ୍କାର ଅଭିଯାନ ଯାହା ଉଦ୍ୟୋଗୀ ପ୍ରତିଭାଙ୍କ ସଫଳତାକୁ ପାଳନ କରୁଥିବା ବେଳେ ସେମାନଙ୍କୁ ଅନୁପ୍ରାଣିତ କରୁଛି। ଏହା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ସୃଜନଶୀଳ ହେବା ଓ ନିଜର ପୂର୍ଣ୍ଣ ସମ୍ଭାବନାକୁ ଅନ୍ବେଷଣ କରି ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ କରିବାକୁ ଉତ୍ସାହିତ କରୁଛି। ମୋର ବିଶ୍ବାସ ରହିଛି ଯେ ଏହା ସୁଯୋଗର ଏକ ହବ୍ ଭାବେ ରାଜ୍ୟର ବ୍ରାଣ୍ଡ୍କୁ ଦୃଢ଼ କରିବ ଏବଂ ଅର୍ଥନୀତିକୁ ଗଢ଼ିବାରେ ଉଦ୍ୟମିତାର ମହତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବ।