ରାଜ୍ୟରେ କ୍ଷୁଦ୍ର ଶିଳ୍ପର ସ୍ଥିତି ସଂପ୍ରତି କେମିତି ଅଛି ଏବଂ ଭବିଷ୍ୟତକୁ କିଭଳି ଦେଖୁଛନ୍ତି?
ରାଜ୍ୟରେ କ୍ଷୁଦ୍ର ଶିଳ୍ପର ସ୍ଥିତି ପୂର୍ବବତ୍‌ ରହିଛି। ସେଥିରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବର୍ତ୍ତନ ଆସିନାହିଁ। ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ଏବଂ ଅର୍ଥ ଯୋଗାଡ଼ କରିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇ ରହିଛି। ଏହାର ସମାଧାନ ପାଇଁ ସରକାରୀ ସ୍ତରରେ ସେପରି କୌଣସି ପଦକ୍ଷେପ ନିଆଯାଉନାହିଁ। ବଡ଼ ଶିଳ୍ପକୁ ସରକାର ଲାଲ୍‌ ଗାଲିଚା ପକାଇ ସ୍ବାଗତ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମସ୍ୟା ସମାଧାନ ପାଇଁ ଆଗ୍ରହ ଦେଖାଉନାହାନ୍ତି। 
ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ବାତାବରଣରେ କିଭଳି ଉନ୍ନତି ଆସିପାରିବ?
ରାଜ୍ୟରେ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ଗଠନ ହୋଇଥିଲେ ବି ଏହା ମୌଳିକ କାର୍ଯ୍ୟ ଠାରୁ ଦୂରେଇ ଯାଇଛି। କ୍ଷୁଦ୍ର ଶିଳ୍ପଗୁଡ଼ିକ ଉତ୍ପାଦନ କରୁଥିବା ସାମଗ୍ରୀର ବିକ୍ରି କିଭଳି ହୋଇପାରିବ ସେଥିପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ଆବଶ୍ୟକ। ଏଥିସହିତ ନୂଆ ପ୍ରୋକ୍ୟୁଅରମେଣ୍ଟ୍ ପଲିସିକୁ ସରକାର ନିଷ୍ଠାର ସହ ଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ଉଚିତ। ଏଥିସହିତ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗଣନା ହେବା ଆବଶ୍ୟକ। ପୂର୍ବରୁ ପଞ୍ଜୀକୃତ ଉଦ୍ୟୋଗ ବର୍ତ୍ତମାନ କିଭଳି ଅଛନ୍ତି ତାହାର ତଥ୍ୟ ସରକାରଙ୍କ ପାଖରେ ରହିଲେ ନୂଆ ନୀତି ପ୍ରସ୍ତୁତ କରିବାରେ  ଏହା ସହାୟକ ହେବ।
ଉଦ୍ୟୋଗୀ ହେବାକୁ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉଦ୍ୟୋଗୀମାନେ ଅର୍ଥନୀତିକୁ ଆଗକୁ ନେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି। ସମାଜ ସେମାନଙ୍କୁ ଉଚିତ ସମ୍ମାନ ଦେଲେ ଯୁବପିଢ଼ି ଉଦ୍ୟୋଗୀ ହେବାକୁ ଆଗେଇ ଆସିବେ। ଅନ୍ୟାନ୍ୟ କ୍ଷେତ୍ର ଭଳି ଏକ୍ଷେତ୍ରରେ ପ୍ରତିବନ୍ଧକ ରହିଛି। ତେଣୁ ଧୈର୍ଯ୍ୟ ଓ ନିଷ୍ଠାର ସହ କାର୍ଯ୍ୟ କରିଲେ ଉଦ୍ୟୋଗୀମାନେ ସଫଳତା ପାଇପାରିବେ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ସଂପର୍କରେ କ’ଣ କହିବେ?
ସମ୍ବାଦର ଏହା ନିଶ୍ଚିତଭାବେ ଏକ ଭଲ ଏବଂ ପ୍ରଶଂସନୀୟ ପଦକ୍ଷେପ। ଏହାଦ୍ବାରା ଉଦ୍ୟୋଗୀମାନଙ୍କ ମନୋବଳ ବଢ଼ିବ। ସେମାନେ ସ୍ବୀକୃତି ପାଇ ଆଗକୁ ବଢ଼ିଲେ ଦେଶବିଦେଶରେ ଓଡ଼ିଶାର ପରିଚିତି ବଢ଼ିବ।