ଶିଳ୍ପ ସଂସ୍ଥା ସହ ମିଳିତ ଗବେଷଣା ଦେଶରେ ନବସୃଜନକୁ କିଭଳି ଆଗକୁ ବଢ଼ାଉଛି ଓ ସେଥପ୍ରତି ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ଅବଦାନ କଣ?
ଗବେଷଣା ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ମିଳିତ ଗବେଷଣା ମୌଳିକ ଗବେଷଣାରେ ରହିଥିବା ଅନ୍ତର ଦୂର କରୁଥିବା ବେଳେ ତାହାର ନିର୍ଯାସକୁ ବାଣିଜ୍ୟିକ ଲାଭ ପାଇଁ ଶିଳ୍ପରେ ମୁତୟନ କରାଯାଇପାରୁଛି। ଏହା ଦ୍ବାରା ଶିଳ୍ପ ସଂସ୍ଥାଗୁଡ଼ିକ ଉନ୍ନତ ଗବେଷଣାଲବ୍ଧ ଜ୍ଞାନ ପାଇପାରୁଛନ୍ତି, ଯାହା ଫଳରେ ସେମାନଙ୍କ କାର୍ଯ୍ୟ ଦେଶର ଅର୍ଥନୀତି, ସମାଜ ଓ ପରିବେଶ ଉପରେ ଅଧିକ ପ୍ରଭାବ ସୃଷ୍ଟି କରିପାରୁଛି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ମୁଖ୍ୟତଃ ଖଣିଜ ଓ ଧାତବ କ୍ଷେତ୍ର ଲାଗି ସୁଯୋଗ ସୃଷ୍ଟି କରିବା ଓ ପ୍ରଯୁକ୍ତି ସମାଧାନ ପ୍ରଦାନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ନାଲ୍‌କୋ, ଜିନ୍ଦଲ ଷ୍ଟିଲ୍, ଟାଟା ଷ୍ଟିଲ୍, ବେଦାନ୍ତ, ହିଣ୍ଡାଲ୍‌କୋ ଭଳି ଲୁହା, ଇସ୍ପାତ ଓ ଆଲୁମିନିୟମ୍‌ କ୍ଷେତ୍ରର କମ୍ପାନିଗୁଡ଼ିକ ସହ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ସହଯୋଗିତା ସ୍ଥାପନ କରିଛି। ପ୍ରଯୁକ୍ତି ବିକାଶ କରିବା ଲାଗି ଏହା ଇସ୍ପାତ, ଖଣି, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସହ ମିଶି ମଧ୍ୟ କାମ କରୁଛି। 
ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି କେଉଁଠାରେ ରହିଛି?
ଖଣିଜ ଓ ଧାତବ ‌କ୍ଷେତ୍ରରେ ନବସୃଜନର ଏକ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ହେଉଛି ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି। ଅନ୍ୟ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ଭଳି ଏହା ଥିଓରି ଗବେଷଣା ବଦଳରେ ଶିଳ୍ପ ପାଇଁ ବାସ୍ତବ ସମାଧାନ ବିକାଶ କରିବା ଉପରେ ଗୁରୁତ୍ବ ଦେଉଛି ଯାହା ଏହାକୁ ପ୍ରଯୁକ୍ତି ହସ୍ତାନ୍ତର ଓ ବ୍ୟବସାୟୀକରଣର ଏକ ପ୍ରମୁଖ ଅନୁ‌ଷ୍ଠାନରେ ପରିଣତ କରିଛି। ସମ୍ବଳ ସଂରକ୍ଷଣ ଓ ସ୍ଥାୟିତ୍ବ, ଶିଳ୍ପ ବର୍ଜ୍ୟର ଉପଯୋଗ ଓ ସର୍କୁଲାର ଅର୍ଥନୀତିରେ ଉନ୍ନତି ଆଣିବାରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିରେ କେଉଁ ଧରଣର ଗବେଷଣା ହେଉଛି?
ଏମ୍‌ଏସ୍‌ଏମ୍‌ଇ ସମେତ ଶିଳ୍ପ ଜଗତ ଓ ବିଭିନ୍ନ ଅଂଶୀଦାରମାନଙ୍କ ପାଇଁ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପ୍ରଯୁକ୍ତି ବିକାଶ କରୁଛି। ପ୍ରାୟୋଜକ ପ୍ରକଳ୍ପ, ରାଷ୍ଟ୍ର ଗଠନ ଲାଗି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ, ସମ୍ବଳର ସ୍ଥିତି ଓ ଭବିଷ୍ୟତ ସମାଧାନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଏବଂ ଏକ ଉତ୍ତମ ଭବିଷ୍ୟତ ଲାଗି ସମାଜ ପାଇଁ ସାମାଜିକ ପ୍ରକଳ୍ପ ଆଦିରେ ଏହା ନିୟୋଜିତ ରହିଛି।
ଅଭିନବ ପ୍ରକଳ୍ପ ଲାଗି ଏହା ପେଟେଣ୍ଟ୍‌ ଆବେଦନ କରୁଛି କି?
ପ୍ରଯୁକ୍ତି ଯଥାସମ୍ଭବ ଶ୍ରେଷ୍ଠ ଉପଯୋଗ ଓ ମୂଲ୍ୟାୟନ ପାଇଁ ଆର୍ଥିକ ପ୍ରାୟୋଜକ ସଂସ୍ଥାଗୁଡ଼ିକ ସହ ମିଶି ଆଇପି ସୁରକ୍ଷା ଜରିଆରେ ଆମେ ପେଟେଣ୍ଟ୍‌ ଲାଗି ଆବେଦନ କରୁଛୁ। ପ୍ରଯୁକ୍ତି ହସ୍ତାନ୍ତର ଓ ଲାଇସେନ୍ସ ପ୍ରଦାନ, ଜ୍ଞାନର ଆଦାନପ୍ରଦାନ,  ଗବେଷଣା ଓ ବିକାଶ ପ୍ରକଳ୍ପ ବ୍ୟତୀତ ପେଟେଣ୍ଟ୍‌ ଆବେଦନ ହେଉଛି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫ ସମ୍ପର୍କରେ ଆପଣଙ୍କ ମତ କଣ?
ଏକ ଗବେଷଣା ଓ ବିକାଶ ସଂସ୍ଥାର ମୁଖ୍ୟ ଭାବେ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫କୁ ମୁଁ ବ୍ୟବସାୟରେ ନବସୃଜନ, ନେତୃତ୍ବ ଓ ସ୍ଥାୟିତ୍ବର ପ୍ରମାଣ ଭାବେ ଦେଖୁଛି। ଏହି ସ୍ବୀକୃତି ଗବେଷଣା ଜଗତକୁ ପ୍ରଯୁକ୍ତି ଓ ଗବେଷଣାରେ ନିଜ ପରିସୀମାକୁ ଆହୁରି ବ୍ୟାପକ କରି ବଜାରର ଆବଶ୍ୟକତା ସହିତ ସମାଜ ଓ ପରିବେଶ ଉପରେ ସକାରାତ୍ମକ ପ୍ରଭାବକୁ ସୁନିଶ୍ଚିତ କରିବା ଲାଗି ଉତ୍ସାହିତ କରୁଛି। ଏଭଳି ପୁରସ୍କାର ଗବେଷକମାନଙ୍କୁ ଉତ୍କର୍ଷର ଉଚ୍ଚତର ମାନ ବଜାୟ ରଖିବା ସହିତ ମୂଲ୍ୟବାନ ସହଯୋଗିତା ତଥା ଜ୍ଞାନର ଆଦାନପ୍ରଦାନ ଜରିଆରେ ସୁଯୋଗ ସୃଷ୍ଟି କରିବା ଲାଗି ଗବେଷକମାନଙ୍କୁ ଅନୁପ୍ରାଣିତ କରୁଛି।