ଚଳିତ ଆର୍ଥିକବର୍ଷ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପାଇଁ କିଭଳି ରହିଛି?
ଚଳିତ ଆର୍ଥିକବର୍ଷ ନିର୍ବାଚନର ବର୍ଷ ଥିଲା। ନିର୍ବାଚନ ପରେ ରାଜ୍ୟରେ ସରକାର ବଦଳି‌ଗଲା। ଏହାଦ୍ବାରା ସରକାରୀ କଳରେ କାର୍ଯ୍ୟରତ ଅଧିକାରୀମାନେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଲେ। ଫଳରେ ନୀତିକୁ କାର୍ଯ୍ୟକାରୀ କରିବାରେ ସ୍ଥାଣୁତା ଆସିଗଲା। ନୂଆ ପ୍ରକଳ୍ପ କିଛି ଆସିଲା ନାହିଁ। ପୁରୁଣା ପ୍ରକଳ୍ପଗୁଡ଼ିକ ମନ୍ଥର ହୋଇଗଲା। ଏଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ବି ଅର୍ଥନୀତି ସ୍ବାଭାବିକ ହୋଇନାହିଁ। ପୂର୍ବସ୍ଥିତି ଫେରିବା ପାଇଁ ଆଉ କିଛିଦିନ ଲାଗିବ ବୋଲି ଆଶା କରାଯାଉଛି।
ଏମ୍‌ଏସ୍‌ଏମ୍‌ଇ ଶିଳ୍ପର ଭବିଷ୍ୟତକୁ ଆପଣ କିଭଳି ଦେଖୁଛନ୍ତି?
ଏମ୍‌ଏସ୍‌ଏମ୍‌ଇର ଭବିଷ୍ୟତ ସବୁବେଳେ ଉଜ୍ଜ୍ବଳ। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସକ୍ରିୟ ସହଯୋଗ ମିଳିବା ଆବଶ୍ୟକ। ସରକାର ଯେଉଁସବୁ ନୀତି ପ୍ରସ୍ତୁତ କରୁଛନ୍ତି ତାହାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବା ଉଚିତ୍‌। କାରଣ ଗୋଟିଏ ପଟେ ସ୍ଥାନୀୟ କମ୍ପାନିଙ୍କ ଠାରୁ ସାମଗ୍ରୀ କିଣିବାକୁ ସରକାର ନିର୍ଦ୍ଦେଶ ଦେଉଥିବାବେଳେ ବିଭାଗଗୁଡ଼ିକ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଣଦେଖା କରି ବାହାର ଉଦ୍ୟୋଗୀଙ୍କ ଠାରୁ ସାମଗ୍ରୀ କିଣୁଛନ୍ତି। ସରକାରଙ୍କ ପ୍ରସ୍ତୁତ ନୀତିକୁ କିଭଳି ବିଭାଗଗୁଡ଼ିକ ଲାଗୁ କରିବେ ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉଚିତ। ବିଭାଗଗୁଡ଼ିକ ସରକାରୀ ନୀତିକୁ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତାହା ନିୟମିତ ଭାବେ ଅନୁଧ୍ୟାନ ଓ ସମୀକ୍ଷା କରାଗଲେ ସ୍ଥିତିରେ ଉନ୍ନତି ଆସିପାରିବ। 
ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ସଂପର୍କରେ ଆପଣ କ’ଣ କହିବେ?
ସବୁଠୁ ବଡ଼ କଥା ହେଲା ଓଡ଼ିଶାକୁ ନିବେଶ ଆସିବା। ନିବେଶ ଆସିଲେ ତାହାର ସୁଫଳ ରାଜ୍ୟକୁ ମିଳିବ। କିନ୍ତୁ କେବଳ ବୃହତ୍‌ ନିବେଶ ଆଣି ଆଲୁମିନା, ଆଲୁମିନିୟମ, ଇସ୍ପାତ ଆଦି ଉତ୍ପାଦ‌ନରେ ଆଗରେ ରହିଲେ ହେବନାହିଁ, ସେଗୁଡ଼ିକର ମୂଲ୍ୟଯୋଗ କିଭଳି ରାଜ୍ୟ ମଧ୍ୟରେ କରାଯାଇ ପାରିବ ତାହା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଏ ଦିଗରେ ଯେଭଳି କାମ ହେବା କଥା ତାହା ହୋଇନାହିଁ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ହେଲେ ଆଙ୍କର ଇଣ୍ଡଷ୍ଟ୍ରି ନାହିଁ। ଆଙ୍କର ଇଣ୍ଡଷ୍ଟ୍ରି ଆସିଲେ ସେମାନଙ୍କ ସାଥିରେ ଶତାଧିକ ଆନୁଷଙ୍ଗିକ ଶିଳ୍ପ ଆସନ୍ତି ବା ଗଢ଼ିଉଠେ। ଏଥିସହିତ ଓଡ଼ିଶାରେ ଔଦ୍ୟୋଗିକ ମନୋଭାବର ଅଭାବ ରହିଛି। ନୂଆ ଚିନ୍ତାଧାରାକୁ ନେଇ କିଛି କରିବା ବା କିଛି ରିସ୍କ ନେବା ଦେଖିବାକୁ ମିଳୁନାହିଁ। ଏଦିଗ ପ୍ରତି ବି ଆମକୁ ଦୃଷ୍ଟି ଦେବାକୁ ହେବ। 
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ସଂପର୍କରେ ଆପଣଙ୍କ ମତ କଣ ରହିବ?
ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ରାଜ୍ୟର ଉଦ୍ୟୋଗୀମାନଙ୍କ ପାଇଁ ଏକ ବଡ଼ ଉତ୍ସାହର ବିଷୟ। ସମ୍ବାଦ ପକ୍ଷରୁ ନୂଆ ନୂଆ ଉଦ୍ୟୋଗଗୁଡ଼ିକୁ ଏହା ମାଧ୍ୟମରେ ଯେଉଁ ସ୍ବୀକୃତି ଦିଆଯାଉଛି ତାହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। ଓଡ଼ିଶାରେ ଉଦ୍ୟୋଗୀମାନଙ୍କୁ ସମ୍ମାନ କରିବା ଖୁବ୍ କମ୍‌ ଦେଖାଦେଇଥାଏ। ସମ୍ବାଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି।