ନୂଆ ଉତ୍ପାଦ: ସାମସଙ୍ଗ୍‌ ଆଣିଲା ଗାଲାକ୍ସି ନୋଟ୍‌୯ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମସଙ୍ଗ ପକ୍ଷରୁ ଗାଲାକ୍ସି ନୋଟ୍‌ ୯ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଯାଇଛି। ଏହି ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ଟିକୁ ଗ୍ରାହକମାନେ ଏସ୍‌ ପେନ୍‌ ମାଧ୍ୟମରେ ପରିଚାଳିତ କରିପାରିବେ। ପ୍ରେଜେଣ୍ଟେସନ ଦେବାଠାରୁ ସେଲ୍‌ଫି ଆଦି ନେବା ପାଇଁ ଏହି ଏସ୍‌ ପେନ୍‌କୁ ରିମୋଟ୍‌ ଭାବେ ବ୍ୟବହାର କରିପାରିବେ। ଉନ୍ନତମାନର ଫଟୋ ଉଠାଇବା ପାଇଁ କମ୍ପାନି ଏହି ସ୍ମାର୍ଟଫୋନ୍‌ରେ ସବୁଠାରୁ ଇଣ୍ଟେଲିଜେଣ୍ଟ କ୍ୟାମେରା ଲଗାଇଛି । ୧୨୮ଜିବି ଏବଂ ୫୧୨ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ୍‌ ସୁବିଧା ଥିବା ଦୁଇଟି ଭାରିଆଣ୍ଟରେ ଗାଲାକ୍ସି ନୋଟ୍‌ ୯ ଆସିଛି। ନୋଟ୍‌ ୯ ସ୍ମାର୍ଟଫୋନ୍‌ରେ ମାଇକ୍ରୋ ଏସ୍‌ଡି କାର୍ଡ ଇନ୍‌ସର୍ଟ କରି ଗ୍ରାହକମାନେ ୧ ଟେରାବାଇଟ୍‌ ପର୍ଯ୍ୟନ୍ତ ଡାଟା ରଖିପାରିବେ। ୪୦୦୦ ମିଲିଆମ୍ପିଅର୍‌ର ବ୍ୟାଟେରି ଥିବା ଉକ୍ତ ଫୋନ୍‌ ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ କରାଯାଇଛି। ୨୪ ତାରିଖରୁ ଏହି ଫୋନ୍‌ ବଜାରରେ ଉପଲବ୍ଧ କରାଯିବ। ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୬୭୯୦୦ ଟଙ୍କା ଥିବାବେଳେ ୫୧୨ଜିବି ଭାରିଆଣ୍ଟ ସ୍ମାର୍ଟଫୋନ୍‌ର ମୂଲ୍ୟ ୮୪୯୦୦ ଟଙ୍କା ରହିଛି। ନୂଆ ସ୍ମାର୍ଟଫୋନ୍‌ର ଉନ୍ମୋଚନ ସାମସଙ୍ଗ ଇଲେକ୍‌ଟ୍ରୋନିକ୍ସର ଆଇଟି ଓ ମୋବାଇଲ କମ୍ୟୁନିକେସନ୍ସ ଡିଭିଜନ୍‌ର ସଭାପତି ତଥା ସିଇଓ ଡି ଜେ କୋହ୍‌ କରିଥିବାବେଳେ ସାମସଙ୍ଗ ଇଣ୍ଡିଆ ମୋବାଇଲ ବିଜ୍‌ନେସ୍‌ର ବରିଷ୍ଠ ଉପସଭାପତି ଅସିମ ଓ୍ଵାର୍‌ସି ନୋଟ୍‌ ୯ରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ। ଅତୀତରେ ନୋଟ୍‌ ସିରିଜ୍‌ ସ୍ମାର୍ଟଫୋନ୍‌ କିଣିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୯ ଜଣଙ୍କୁ କମ୍ପାନି ପକ୍ଷରୁ ନୋଟ୍‌ ୯ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର