ଚିନି ରପ୍ତାନି ଉପରେ କଟକଣା

ଗହମ ରପ୍ତାନି କଟକଣା ଶୀଘ୍ର ହଟିବନି: ମନ୍ତ୍ରୀ

ନୂଆଦିଲ୍ଲୀ: ଦରଦାମ୍ ସ୍ଥିତିର ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଥିବା ବେଳେ ସରକାର ଅଧ ଡଜନ ପାଖାପାଖି ପଦକ୍ଷେପ ଘୋଷଣା କରିସାରିଲେଣି। ପେଟ୍ରୋଲ୍‌, ଡିଜେଲ୍‌ ଓ ଅନ୍ୟ କିଛି ସାମଗ୍ରୀ ଉପରୁ ଟିକସ ହ୍ରାସ କରିବା, ଗହମ ରପ୍ତାନି ଉପରେ କଟକଣା ଲଗାଇବା, ଶୁଳ୍କ ବିହୀନ ଭାବେ ୨୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନି ଲାଗି ଅନୁମତି ଦେବା ପରେ ଏବେ ଚିନି ରପ୍ତାନି ଉପରେ ମଧ୍ୟ କଟକଣା ଲଗାଯାଇଛି। ଗତ କିଛି ବର୍ଷ ଧରି ରେକର୍ଡ ପରିମାଣର ଚିନି ରପ୍ତାନି କରୁଥିବା ଭାରତ ଚଳିତ ବର୍ଷ ମାତ୍ର ୧୦ ନିୟୁତ ଟନ୍‌ ଚିନି ରପ୍ତାନି କରିବ। ରପ୍ତାନି ପୂର୍ବରୁ ବ୍ୟବସାୟୀମାନଙ୍କୁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିବ। ଭାରତରେ ଉତ୍ସବ ସମୟରେ ଅଧିକ ଚିନି ବ୍ୟବହାର ହୋଇଥାଏ। ସେହି ଆବଶ୍ୟକତା ପୂରଣ କରିବାକୁ ନଜରରେ ରଖି ଚିନି ରପ୍ତାନି ଉପରେ କଟକଣା ଲଗାଯାଇଛି ବୋଲି ସରକାର କହିଛନ୍ତି। ଚଳିତ ବର୍ଷ ୯ ନିୟୁତ ଟନ୍ ଚିନି ବାହାରକୁ ପଠାଇବା ଲାଗି ବୁଝାମଣା ‌ସ୍ବାକ୍ଷରିତ ହୋଇଥିବା ବେଳେ ସେଥିରୁ ୭.୮ ନିୟୁତ ଟନ୍ ରପ୍ତାନି ହୋଇସାରିଛି। ୨୦୨୦-୨୧ରେ ଭାରତ ସରକାର ୭ ନିୟୁତ ଟନ୍ ଚିନି ରପ୍ତାନି କରିଥିଲେ ଯାହା ଏକ ସର୍ବକାଳୀନ ରେକର୍ଡ।

ଗହମ ରପ୍ତାନି କଟକଣା ଶୀଘ୍ର ହଟିବନି: ମନ୍ତ୍ରୀ
ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ ସରକାର ଯେଉଁ କଟକଣା ଲଗାଇଛନ୍ତି ତାହାକୁ ନିକଟ ଭବିଷ୍ୟତରେ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି। ତେବେ ଯେଉଁ ଦେଶଗୁଡ଼ିକରେ ଖାଦ୍ୟ ସଙ୍କଟ ଭଳି ସ୍ଥିତି ରହିଛି ସେଠାକୁ ଗହମ ପଠାଇବା ଲାଗି ଭାରତ କୁଣ୍ଠା ପ୍ରକାଶ କରିବ ନାହିଁ। ଯେଉଁ ଦେଶଗୁଡ଼ିକ ଗହମ ନିହାତି ଦରକାର କରୁଛନ୍ତି ଓ ତାହା ବନ୍ଧୁ ରାଷ୍ଟ୍ର ହୋଇଥିଲେ ସେଠାକୁ ଗହମ ପଠାଯିବ। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଗହମ ଫସଲ ନଷ୍ଟ ହୋଇଛି। ଏଥର ଯେତିକି ଗହମ ଉତ୍ପାଦନ ହେବ ତାହା ଦେଶର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ବୋଲି ସେ କହିଛନ୍ତି। ଏମିତିରେ ଭାରତ ଏକ ଗହମ ରପ୍ତାନିକାରୀ ଦେଶ ନୁହେଁ। ମାତ୍ର ଦୁଇ ବର୍ଷ ତଳେ ଏହା ରପ୍ତାନି ଆରମ୍ଭ କରିଥିଲା। ବିଶ୍ବ ଗହମ ରପ୍ତାନିରେ ଭାରତର ଭାଗ ୧%ରୁ କମ୍ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର