ନୂଆଦିଲ୍ଲୀ : ସନ୍ଦସେରା ଭ୍ରାତାଙ୍କ ବ୍ୟାଙ୍କ ଋଣ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ଆଠଟି ସ୍ଥାବର, ତିନିଟି ଗାଡ଼ି ଓ ବହୁ ବ୍ୟାଙ୍କ ଖାତା, ସେୟାର, ମ୍ୟୁଚୁଆଲ୍ ଫଣ୍ଡ୍‌ ଆଦି ଜବତ କରାଯାଇଛି। ମନି ଲଣ୍ଡରିଂ ନିରୋଧ ଆଇନ ବଳରେ ମୋଟ ୮.୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏଥିରେ କଂଗ୍ରେସ ନେତା ଅହମ୍ମଦ ପଟେଲ୍‌ଙ୍କ ଜ୍ବାଇଁ ଓ ବଲିଉଡ୍‌ ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ମଧ୍ୟ ରହିଛି। ଇଡି ତରଫରୁ ସଞ୍ଜୟ ଖାନ୍‌ଙ୍କ ତିନି କୋଟି ଟଙ୍କା, ଡିନୋ ମୋରିଆଙ୍କ ୧.୪୦ କୋଟି ଟଙ୍କା ଅକିଲ୍ ଅବଦୁଲଖଲିଲ୍ ବଚେଅଲିଙ୍କ ୧.୯୮ କୋଟି ଟଙ୍କା ଓ ଇର୍‌ଫାନ୍ ଅହମ୍ମଦ ସିଦ୍ଦିକଙ୍କ ୨.୪୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

Advertisment

ସିଦ୍ଦିକ ହେଉଛନ୍ତି ଅହମ୍ମଦ ପଟେଲ୍‌ଙ୍କ ଜ୍ବାଇଁ। ବହୁ ସରକାରୀ ବ୍ୟାଙ୍କରୁ ଋଣ ଠକେଇ କରିଥିବା ସନ୍ଦସେରା ଭ୍ରାତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏଫ୍ଆଇଆର୍‌ ରୁଜୁ କରାଯିବା ପରେ ଇଡି ତରଫରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ‌ଯେ ବ୍ୟାଙ୍କରୁ ଋଣ ଆକାରରେ ସନ୍ଦସେରା ଭ୍ରାତା ଯେଉଁ ପାଣ୍ଠି ହାସଲ କରିଥିଲେ ତାହାର କିଛି ଅଂଶ ଆଜି ଯେଉଁମାନଙ୍କ ସମ୍ପତ୍ତି ଜବତ କରାଯାଇଛି ସେମାନଙ୍କୁ ହସ୍ତାନ୍ତର କରିଥିଲେ। ଏହି ମାମଲାରେ ଇଡି ତରଫରୁ ୧୪,୫୧୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି। ଏହା ସହିତ ଚାରିଟି ଚାର୍ଜସିଟ୍ ଦାଖଲ କରାଯାଇଛି ଓ ଚାରି ଜଣ ଗିରଫ ହୋଇଛନ୍ତି। ଏକ ସ୍ବତନ୍ତ୍ର କୋର୍ଟ ଜରିଆରେ ନିତୀନ ସନ୍ଦସେରା, ଚେତନ ସନ୍ଦସେରା, ଦୀପ୍ତି ଚେତନ ସନ୍ଦସେରା ଓ ହୀତେଶ ପଟେଲ୍‌ଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି।