ବିବାହ ପ୍ୟାକେଜ୍‌ରେ ଯୋଡ଼ିହେଲା ସାନିଟାଇଜର୍‌, ମାସ୍କ

ବେଙ୍ଗାଲୁରୁ: ବିବାହ ଉତ୍ସବ ଆୟୋଜନ କରୁଥିବା ସଂସ୍ଥାଗୁଡ଼ିକ ନିଜ ପ୍ୟାକେଜ୍‌ରେ ଏବେ ସାନିଟାଇଜର, ଥର୍ମାଲ୍‌ ସ୍କ୍ରିନିଂ ଓ ଏନ୍‌-୯୫ ମାସ୍କକୁ ଯୋଡ଼ିବା ଆରମ୍ଭ କରିଛନ୍ତି। କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଧୀରେ ଧୀରେ କୋହଳ ହେଉଥିବାରୁ ୱେଡିଂ ମ୍ୟାନେଜମେଣ୍ଟ୍‌ କଂପାନିଗୁଡ଼ିକ ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ନିଜ ପ୍ୟାକେଜ୍‌କୁ ବଦଳାଇଛନ୍ତି। ପାନ୍ନାଗା ନାମକ ବେଙ୍ଗାଲୁରୁର ଏକ ସଂସ୍ଥା ଦୁଇ ଦିନିଆ ବିବାହ ପ୍ୟାକେଜ୍‌ରେ ସାନିଟାଇଜର୍‌ ଓ ମାସ୍କ ଆଦିକୁ ଯୋଡ଼ିଛି। କଂପାନି ପ୍ୟାକେଜ୍‌ର ଯେଉଁ କାର୍ଡ ପ୍ରସ୍ତୁତ କରିଛି ‌ସେଥିରେ ସ୍ପଷ୍ଟ ଭାବେ ଏହି ସବୁ ସାମଗ୍ରୀର ତାଲିକା ଦିଆଯାଇଛି। ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କେବଳ ୫୦ ଜଣ ବ୍ୟକ୍ତିଙ୍କୁ ନେଇ ବିବାହ କାର୍ଯ୍ୟ ଆୟୋଜନ କରିବାକୁ ପାନ୍ନାଗା ଅଫର ଦେଇଛି।

ପ୍ୟାକେଜ୍‌ର ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା ରଖାଯାଇଛି। ସେଥିରେ ଏହା କ୍ୟାଟରିଂ, ଫୁଲ ସାଜସଜ୍ଜା, ଫଟୋ ଏବଂ ଭିଡିଓ, ଫୁଲର ରଙ୍ଗୋଲି, ବଧୂର ମେକ୍‌ଅପ୍ ଓ ଗହଣା, ଫୁଲ ହାର, ପୂଜାରୀ ଏବଂ ଅନ୍ୟାନ୍ୟ ଉପକରଣ ପ୍ରଦାନ କରିବ। ଏହା ସହିତ ୫୦ ବ୍ୟକ୍ତିଙ୍କ ପାଇଁ ଏହା ଥର୍ମାଲ୍ ସ୍କ୍ରିନିଂର ବ୍ୟବସ୍ଥା କରିବା ସହିତ ୟୁଭି ହାଣ୍ଡ ସାନିଟାଇଜର୍‌ ଓ ଏନ୍‌-୯୫ ମାସ୍କ ମଧ୍ୟ ଯୋଗାଇଦେବ। କଂପାନିର ସିଇଓ ପାନ୍ନାଗା ଶ୍ରୀନିଭାସୁଲୁ କହିଛନ୍ତି, ଅନେକ ଲୋକ ବିବାହ କାର୍ଯ୍ୟକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଅନ୍ୟ କିଛି ଲୋକ କିନ୍ତୁ ହାତଗଣତି ବନ୍ଧୁ ପରିଜନଙ୍କୁ ଧରି ଘରେ ବିବାହ କାର୍ଯ୍ୟ କରାଇବାକୁ ପ୍ରସ୍ତୁତ ଅଛନ୍ତି। ଲୋକମାନେ ନିଜ ଛାତ ଉପରେ ମଧ୍ୟ ବିବାହ ଉତ୍ସବ ଆୟୋଜନ ଲାଗି ପ୍ରସ୍ତୁତ ଥିବା ସେ କହିଛନ୍ତି। ହାଇଦ୍ରାବାଦର ଏକ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ସଂସ୍ଥା ‘ହାଉଜ୍‌’ ଅତିଥିମାନଙ୍କୁ ଅତି ପତଳା ପରଦା ଦେଉଛି ଯାହାକୁ ପରିଧାନ କରି ସେମାନେ ଅନ୍ୟମାନଙ୍କୁ ଆଲିଙ୍ଗନ କରିପାରିବେ। ସେହି ପରଦାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି କଂପାନି ମଧ୍ୟ ୫୦ ଲୋକଙ୍କ ପାଇଁ ସାନିଟାଇଜର୍‌ ଏବଂ ଫେସ୍‌ ମାସ୍କ ଯୋଗାଇ ଦେଉଛି। ଏହାର ପ୍ୟାକେଜ୍‌ ଦାମ୍ ୧,୯୯,୯୯୯ ଟଙ୍କା ରହିଛି।

ସମ୍ବନ୍ଧିତ ଖବର