ସାରିଡନ ବିକ୍ରି ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିଷିଦ୍ଧ କରାଯାଇଥିବା ୩୨୮ଟି ଔଷଧ ମଧ୍ୟରୁ ୪ଟି ଫିକ୍ସଡ ଡୋଜ୍‌ କମ୍ବିନେସନ୍‌ (ଏଫ୍‌ଡିସି) ଔଷଧର ବିକ୍ରିକୁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି। ଫଳରେ ଏଗୁଡ଼ିକ ଏବେ ଔଷଧ ଦୋକାନରେ ଉପଲବ୍ଧ ହେବ। ସେହି ଔଷଧ ଗୁଡ଼ିକ ମଧ୍ୟରେ ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନ୍‌, ପିରିଟନ୍‌ ଏକ୍ସପକ୍ଟୋରାଣ୍ଟ, ଡାର୍ଟ ଆଦି ରହିଛି। ପିରାମଲ୍‌ ହେଲ୍‌ଥକେୟାର ସାରିଡନ୍‌ ପ୍ରସ୍ତୁତ କରୁଥିବା ବେଳେ  ଗ୍ଲାକ୍ସୋସ୍ମିଥକ୍ଲାଇନ୍‌ ପିରିଟନ୍‌ ଏବଂ ଜଗତ୍‌ ଫାର୍ମା ଡାର୍ଟ ପ୍ରସ୍ତୁତ କରିଥାଏ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ଉପରୋକ୍ତ କମ୍ପାନିଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିଛି। କାରଣ ଏସବୁ ଲୋକପ୍ରିୟ ବ୍ରାଣ୍ଡ୍‌ର ଔଷଧକୁ ଏସବୁ କମ୍ପାନି ବହୁମାତ୍ରାରେ ବିକ୍ରି କରିଥାନ୍ତି। ନିଷିଦ୍ଧ ହୋଇଥିବା ୩୨୮ଟି ଏଫ୍‌ଡିସି ଔଷଧ ତାଲିକାରୁ ଏଗୁଡ଼ିକୁ ବାଦ୍‌ ଦେବା ପାଇଁ କମ୍ପାନି ଗୁଡ଼ିକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କମ୍ପାନି ଗୁଡ଼ିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏସବୁ ଔଷଧ ୧୯୮୮ ମସିହା ପୂର୍ବରୁ ଉତ୍ପାଦନ କରାଯାଇ ଆସୁଛି। ପୂର୍ବରୁ ଦୁଇଟି ଉପାଦାନରେ ପ୍ରସ୍ତୁତ ଏଭଳି ୧୫ଟି ଔଷଧକୁ ସୁପ୍ରିମକୋର୍ଟ ସରକାରଙ୍କ ନିଷିଦ୍ଧ ତାଲିକାରୁ ବାଦ୍‌ ଦେଇଥିବାରୁ ଏଗୁଡ଼ିକୁ ମଧ୍ୟ ବାଦ ଦେବାକୁ ଆବେଦନ କରାଯାଇଥିଲା ବୋଲି କୋର୍ଟରେ ଉପସ୍ଥିତ ଥିବା ଦୁଇଜଣ ଆଇନଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର