ତେଲ ରାଜନୀତି, ଆମେରିକା କଥା ଶୁଣୁନି ସାଉଦି

ନୂଆଦିଲ୍ଲୀ: ତେଲ ପୁଣି ଥରେ ବିଶ୍ବ ରାଜନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ଅକ୍ଷୟ ଶକ୍ତି ବ୍ୟବହାର ବଢ଼ାଇବା ପାଇଁ ବିଶ୍ବର ଅଧିକାଂଶ ଦେଶ ସଂକଳ୍ପ କରିଥିଲେ ମଧ୍ୟ ତେଲ ଉପରୁ ସେମାନଙ୍କ ନିର୍ଭରଶୀଳତା ହ୍ରାସ ପାଉନାହିଁ। ଓଲଟା ବଢ଼ିବାରେ ଲାଗିଛି। ତେଲକୁ ନେଇ ବିଶ୍ବର ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅଡ଼ୁଆ ସ୍ଥିତିରେ ରହିଛି। ସେଠାରେ ତେଲ ଦାମ୍‌ରେ ହୋଇଥିବା ବୃଦ୍ଧି ଜନ ଅସନ୍ତୋଷର କାରଣ ହୋଇଛି। ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଉଦି ଆରବକୁ ବୁଝାଇ ସେଠାରୁ ଶସ୍ତାରେ ଅଧିକ ତେଲ ଆଣିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ତାଙ୍କର ସବୁ ଉଦ୍ୟମ ବିଫଳ ହୋଇଛି। ଆମେରିକାର କୌଣସି କଥା ଶୁଣିବାକୁ ସାଉଦି ପ୍ରସ୍ତୁତ ନାହିଁ। କୂଟନୈତିକ ସ୍ତରରେ ଅନେକ ‌ଆଲୋଚନା ସତ୍ତ୍ବେ ଅଧିକ ତେଲ ଉତ୍ପାଦନ କରିବାକୁ ସାଉଦି ମନା କରିଦେଇଛି। ରୁଷିଆ ନେତୃତ୍ବାଧାନ ଓପେକ୍+ ରାଷ୍ଟ୍ର ସମୁହ ତେଲ ଦାମ୍ ହ୍ରାସ ପାଉ ବୋଲି ଚାହୁନାହିଁ। କାରଣ ଏହି ସମୂହରେ ଥିବା ଦେଶଗୁଡ଼ିକର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ତେଲରୁ ହେଉଥିବା ଆୟ ଉପରେ ନିର୍ଭରଶୀଳ ରହିଛି। ୨୦୨୦ରେ ମହାମାରୀ ବ୍ୟାପିବା ପରେ ସାଉଦି ସ୍ଥିତ ବହୁତ ଖରାପ ହୋଇଯାଇଥିଲା। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୨୦ ଡଲାର ଭଳି ସ୍ତରକୁ ଖସିଯିବାରୁ ଏହି ମଧ୍ୟପ୍ରାଚ୍ୟ ଦେଶର ରାଜକୋଷ ଏକ ପ୍ରକାର ଖାଲି ହୋଇଯାଇଥିଲା। ଆର୍ଥିକ ସ୍ଥିତି ସୁଧାରିବାକୁ ସାଉଦି ପକ୍ଷରୁ ନାଗରିକଙ୍କ ଉପରେ ଟିକସ ଲାଗୁ କରିବା ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ଏହି ଘଟଣାକୁ ବର୍ଷେ ବିତିଯିବା ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ ଅଶୋଧିତ ତେଲ ଦାମ୍ ୮୦ ଡଲାରରୁ ଅଧିକ ରହିଛି। ଏହାର ପ୍ରଭାବରେ ସାଉଦିର ରାଜ‌କୋଷ ଏବେ ଡଲାରରେ ଭର୍ତ୍ତି ହୋଇଯାଇଛି। ଯେଉଁ ସ୍ଥିତି ପାଇଁ ଏହି ଦେଶ ସବୁବେଳେ ସ୍ବପ୍ନ ଦେଖୁଥିଲା ତାହା ଫେରି ଆସିଛି। ସେଥିପାଇଁ ୩୬ ବର୍ଷୀୟ ସାଉଦିର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍ ସଲ୍‌ମାନ୍ ଆମେରିକା କଥା ଶୁଣିବାକୁ ଚାହୁନାହାନ୍ତି। ଅତୀତରେ ଏଭଳି ଏକ ସମୟ ଆସିଥିଲା ଯେତେବେ‌ଳେ ଆମେରିକା ଆଉ ‌ସାଉଦି ଠାରୁ ତେଲ ନେବାକୁ ଚାହୁନଥିଲା। କାରଣ ଆମେରିକାରେ ବିପୁଳ ପରିମାଣର ସେଲ୍ ଗ୍ୟାସ୍ ସନ୍ଧାନ କରାଯାଇଥିଲା ଯାହା ତେଲର ବିକଳ୍ପ ଭାବେ ଉଭା ହୋଇଥିଲା। କିନ୍ତୁ ଏହାର ଉତ୍ପାଦନ ଖର୍ଚ୍ଚ ଏତେ ଅଧିକ ରହୁଛି ଯେ ତେଲ ଅଧିକ ଶସ୍ତା ମନେ ହେଉଛି।

୨୦୧୮ରେ ୱାସିଂଟନ୍ ପୋଷ୍ଟର ସ୍ତମ୍ଭକାର ଜମାଲ୍ ଖାସୋଗିଙ୍କ ହତ୍ୟା ପରେ ଆମେରିକା ଓ ସାଉଦିର କ୍ରାଉନ୍‌ ପ୍ରିନ୍ସ ସମ୍ପର୍କରେ ତିକ୍ତତା ଆସିଥିଲା। ପ୍ରିନ୍ସ ସଲ୍‌ମାନ୍‌ଙ୍କ ସହ ସିଧାସଳଖ କଥା ହେବାକୁ ବାଇଡେନ୍ ଚାହୁନାହାନ୍ତି। ତେଲ ମାମଲାରେ ଆଶ୍ବସ୍ତି ପାଇବାକୁ ହେଲେ ଆମେରିକା ପ୍ରୟୋଗ କରିଥିବା ଚାପ ପ୍ରତ୍ୟାହାର କରୁ ବୋଲି ପ୍ରିନ୍ସ ସଲ୍‌ମାନ୍ ଦାବି କରିଛନ୍ତି । ସାଉଦିକୁ ବୁଝାଇବାରେ ବିଫଳ ହେବା ପରେ ଆମେରିକା ପକ୍ଷରୁ ଭାରତ ସମେତ ‌ବିଶ୍ବର ଆଉ କିଛି ଦେଶକୁ ଗଚ୍ଛିତ ଭଣ୍ଡାରରେ ଥିବା ତେଲ ବାହାର କରିବା ଲାଗି ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର