ତେଲ ଦାମ୍ କମାଇଲା ସାଉଦି: ଲାଭବାନ ହେବ ଭାରତ

ନୂଆଦିଲ୍ଲୀ: ଏସିଆର ବିଭିନ୍ନ ଦେଶକୁ ବିକ୍ରି କରୁଥିବା ତେଲ ଦାମ୍‌କୁ ସାଉଦି ଆରବ ହ୍ରାସ କରିଛି। ତେଲ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଏହି ମଧ୍ୟପ୍ରାଚ୍ୟ ଦେଶ ଗ୍ରାହକଙ୍କ ବିଶ୍ବାସଭାଜନ ହେବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛି। ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଥିବା ଭାରତ ଲାଗି ଏହା ଏକ ଭଲ ଖବର। ଭାରତ ଯେଉଁ କେତୋଟି ଦେଶରୁ ତେଲ ଆମଦାନି କରୁଛି ସେହି ତାଲିକାରେ ସାଉଦି ଆରବ ନାମ ରହିଛି।

ସାଉଦି ଆରବର ସବୁଠୁ ବଡ଼ ତୈଳ କଂପାନି ସାଉଦି ଆରାମ୍‌କୋ ଏହାର ଏସୀୟ ଗ୍ରାହକଙ୍କ ଲାଗି ବିଭିନ୍ନ ମାନର ତୈଳର ଦାମ୍ ଧାର୍ଯ୍ୟ କରିଛି। ମହାମାରୀ ସମୟରେ କ୍ରମାଗତ ତିନି ମାସ ଲାଗି ଏହା ତେଲ ଦାମ୍ ବଢ଼ାଇବା ପରେ ଏବେ ହ୍ରାସ ଧାରା ଆରମ୍ଭ କରିଛି। ଇତି ମଧ୍ୟରେ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ବର୍ଷ ଶେଷ ଆଡ଼କୁ ଚାହିଦା ଆହୁରି ବଢ଼ିବ। ସେହି ସମୟରେ ନିଜ ଉତ୍ପାଦନ ବଢ଼ାଇବାକୁ ସାଉଦି ଲକ୍ଷ୍ୟ ରଖିଛି। ଯେହେତୁ ଏହି ଦେଶ ବିଭିନ୍ନ ବିଶୋଧନାଗାର ସହ ଦୀର୍ଘମିଆଦୀ ଚୁକ୍ତି ସ୍ବାକ୍ଷର କରି ତେଲ ବିକ୍ରି କରୁଛି ତେଣୁ ଦାମ୍ ଅତ୍ୟଧିକ ରଖିଲେ ଗ୍ରାହକ ଦୂରେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ସାଉଦିର ସରକାରୀ ସଂସ୍ଥା ଆରାମ୍‌କୋ ଆରବ ଲାଇଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୧.୩୦ ଡଲାର ଓ ପ୍ରିମିୟମ୍ କ୍ରୁଡ୍‌ ଦାମ୍ ୧.୭୦ ଡଲାର ହ୍ରାସ କରିଛି। ଆରାମ୍‌କୋର ଏଭଳି ପଦକ୍ଷେପ ବିଶୋଧାନାଗରଗୁଡ଼ିକୁ ଚକିତ କରିଛି। ବିଶେଷଜ୍ଞମା‌ନଙ୍କ ମତରେ ଅନ୍ୟ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସହ ଚାଲିଥିବା ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିବା ଲାଗି ସାଉଦି ତେଲ ଦାମ୍ ହ୍ରାସ କରୁଛି। ସ‌ାଉଦି ଏହାର ୬୦% ତେଲ ଚୀନ୍, ଦକ୍ଷିଣ କୋରିଆ, ଜାପାନ ଓ ଭାରତକୁ ବିକ୍ରି କରୁଛି। ତେବେ ଆମେରିକା ଓ ୟୁରୋପରେ ବିକ୍ରି କରୁଥିବା ତେଲ ଦାମ୍‌ରେ ସାଉଦି କୌଣସି ପରିବର୍ତ୍ତନ କରିନାହିଁ।

ଏସିଆ ବ୍ୟତୀତ ଅନ୍ୟ କେତେକ ପ୍ରାନ୍ତ ଲାଗି କିନ୍ତୁ ଏହା ଦାମ୍‌ରେ ସାମାନ୍ୟ ହ୍ରାସ କରିଛି। କରୋନା ମହାମାରୀ ଦେଖାଦେବା ପରେ ବିଭିନ୍ନ ଦେଶରେ ଗମନାଗମନ ଓ ପରିବହନ ଉପରେ କଟକଣା ଲଗାଯାଇଛି। ସେଥିପାଇଁ ତେଲ ଚାହିଦା ହ୍ରାସ ପାଇଛି। ଏଭଳି ଏକ ସମୟରେ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଓପେକ୍ ପ୍ଲସ୍‌ ମସୂହରେ ଥିବା ରାଷ୍ଟ୍ରଗୁଡ଼ିକ ତେଲ ଯୋଗାଣକୁ ସୀମିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ବଜାରରେ ‌ଅଧିକ ତେଲ ରହିଲେ ଦାମ୍ କମିବ ଯାହା ତେଲ ଉତ୍ପାଦନ କରୁଥିବା ସବୁ ଦେଶ ପାଇଁ କ୍ଷତିକାରକ ହେବ। ସେଥିପାଇଁ ସାଉଦି ଓ ରୁଷିଆ ନେତୃତ୍ବରେ ସବୁ ତେଲ ଉତ୍ପାଦନକାରୀ ଦେଶ ଉତ୍ପାଦନ ହ୍ରାସ କରି ଯୋଗାଣ କମ୍ ରଖିବା ଉପରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର