ସମ୍ପର୍କ ମଜଭୁତ କରିବ ସାଉଦି, ଭାରତରେ ନିବେଶ କରିବ ୧୦୦ ବିଲିଅନ୍ ଡଲାର

ନୂଆଦିଲ୍ଲୀ: ଭାରତ ଥିବା ସମ୍ପର୍କକୁ ଆହୁରି ନିବିଡ଼ କରିବା ଉପରେ ଜୋର ଦେଇଛି ‌ସାଉଦି ଆରବ। ବିଶ୍ବର ସର୍ବାଧିକ ତେଲ ଉତ୍ପାଦନ କରୁଥିବା ଏହି ଦେଶ ଭାରତରେ ୧୦୦ ବିଲିଅନ୍ ଡଲାର ଭଳି ବଡ଼ ଧରଣର ନିବେଶ କରିବାକୁ ଯାଉଛି। ଏହି ପାଣ୍ଠିକୁ ଭାରତର ପେଟ୍ରୋକେମିକାଲ୍ସ, ଭିତ୍ତିଭୂମି ଏବଂ ଖଣି କ୍ଷେତ୍ରରେ ନିବେଶ କରିବା ଉପରେ ସାଉଦି ଜୋର ଦେଇଛି। ସାଉଦିର ରାଷ୍ଟ୍ରଦୂତ ଡକ୍ଟର ‌‌ସୌଦ ବିନ୍ ମହମ୍ମଦ ଅଲ୍ଲ ସତି କହିଛନ୍ତି, ଆମର ପୁଞ୍ଜିନିବେଶ ଲାଗି ଭାରତ ହେଉଛି ପସନ୍ଦର ସ୍ଥାନ। ଆମେ ନୂଆଦିଲ୍ଲୀ ସହ ଆମ ସମ୍ପର୍କକୁ ଲମ୍ବା ସମୟକୁ ଦୃଷ୍ଟିରେ ରଖି ଆହୁରି ନିବିଡ଼ କରିବାକୁ ଚାହୁଛୁ। ଆମେ ଭାରତର ତୈଳ, ଗ୍ୟାସ୍‌, ଶକ୍ତି, ପେଟ୍ରୋକେମିକାଲ୍ସ, ଖଣିଜ ପଦାର୍ଥ, ଖଣି ଏବଂ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଚାହୁଛୁ ବୋଲି ସେ କହିଛନ୍ତି।

ସାଉଦିର ସରକାରୀ ତେଲ କଂପାନି ସାଉଦି ଆରାମ୍‌କୋ ଭାରତକୁ ନେଇ ବହୁତ ବଡ଼ ଯୋଜନା ରଖିଛି। ଏହା ଭାରତର ପେଟ୍ରୋକେମିକାଲ୍ସ ଏବଂ ଲୁବ୍ରିକ୍ୟାଣ୍ଟ୍‌ ବଜାରର ମୂଲ୍ୟ ଶୃଙ୍ଖଳା, ଯୋଗାଣ ଶୃଙ୍ଖଳା ଏବଂ ବିପଣନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ଏକ ପ୍ରକଳ୍ପରେ ସାଉଦି ଆରମ୍‌କୋ ୪୪ ବିଲିଅନ ଡଲାର ନିବେଶ କରିବାକୁ ଯାଉଛି। ରିଲାଏନ୍ସ ସହ ମଧ୍ୟ ଏହା ଦୀର୍ଘମିଆଦୀ ସହଯୋଗିତା ଲାଗି ଚୁକ୍ତି ସ୍ବାକ୍ଷର କରିଛି। ବ୍ୟବସାୟ ବୃଦ୍ଧି ଲାଗି ସାଉଦି ଆରବର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲ୍‌ମାନ୍ ଯେଉଁ ଭିଜନ୍ ୨୦୩୦ ପ୍ରସ୍ତୁତ କରିଛନ୍ତି ସେଥିରେ ଭାରତକୁ ଯଥେଷ୍ଟ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି ସାଉଦିର ରାଷ୍ଟ୍ରଦୂତ କହିଛନ୍ତି। ସେ କହିଲେ, ଦୁଇ ଦେଶ ଭିତରେ ବ୍ୟବସାୟ ଓ ବାଣିଜ୍ୟ ସମ୍ପର୍କୁ ବଢ଼ାଇବା ଉପରେ କ୍ରାଉନ୍ ପ୍ରିନ୍ସ ସଲ୍‌ମାନ୍ ଅଧିକ ଗୁରୁତ୍ବ ଦେଉଛନ୍ତି। ଭାରତର ତେଲ ଚାହିଦା ପୂରଣ କରିବାରେ ସାଉଦି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତ ଏହାର ୧୭% ତେଲ ଓ ୩୨% ଏଲ୍‌ପିଜି ସାଉଦିରୁ କିଣୁଛି। ୪୦ରୁ ଅଧିକ ପ୍ରକାର କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗିତା ବଢ଼ାଇବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ତେଲ ଓ ଗ୍ୟାସ୍‌ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ସହ ସମ୍ପର୍କକୁ ସାଉଦି ମଜଭୁତ କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର