ନୂଆଦିଲ୍ଲୀ : ଓପେକ୍ ଓ ଏହାର ସଦସ୍ୟମାନେ ତୈଳ ଉତ୍ପାଦନ ଉପରେ ଲଗାଇଥିବା କଟକଣାକୁ ହଟାଇ ନେବା ସହିତ ମୂଲ୍ୟକୁ ଯୁକ୍ତିଯୁକ୍ତ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଥିଲେ। ଭାରତର ଏହି ଦାବିକୁ ଓପେକ୍ ପ୍ରତ୍ୟାଖ୍ୟାନ କରିଦେଇଛି। କେବଳ ଦାବିକୁ ପ୍ରତ୍ୟାଖ୍ୟାନ କରିନାହିଁ ସାଉଦି ଆରବ ପକ୍ଷରୁ ନୂଆଦିଲ୍ଲୀକୁ ଏହି ମର୍ମରେ ପରାମର୍ଶ ମଧ୍ୟ ଦିଆଯାଇଛି। ଗତବର୍ଷ କରୋନା ସମୟରେ ଭାରତ ଅତି ଶସ୍ତାରେ ତେଲ କିଣିଥିଲା। ସେହି ତେଲକୁ ଦେଶର ତିନୋଟି ତୈଳ ଭଣ୍ଡାରରେ ଭର୍ତ୍ତିକରି ରଖାଯାଇଛି। ତାହାକୁ ଭାରତ ଏବେ ବ୍ୟବହାର କରୁବୋଲି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଜିଜ୍ ବିନ୍ ସଲମନ୍ କହିଛନ୍ତି।
ଗତବର୍ଷ ଏପ୍ରିଲ-ମେ’ରେ ଭାରତ ୧୬.୭୧ ନିୟୁତ ବ୍ୟାରେଲର ଅଶୋଧିତ ତେଲ କିଣିଛି। ସେଗୁଡ଼ିକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, କର୍ଣ୍ଣାଟକର ମାଙ୍ଗାଲୋର ଏବଂ ପାଦୁରଠାରେ ସଂରକ୍ଷିତ କରି ରଖିଛି। ସେହି ଦୁଇମାସରେ ଭାରତ ଯେଉଁ ଅଶୋଧିତ ତେଲ କିଣିଥିଲା ତାହାର ହାରାହାରି ଦର ବ୍ୟାରେଲ ପିଛା ୧୯ ଡଲାର ରହିଥିଲା ବୋଲି ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପେଟ୍ରୋଲିୟମ ମନ୍ତ୍ରୀ ରାଜ୍ୟସଭାରେ ଉତ୍ତର ଦେଇଥିଲେ। ତେବେ ଚଳିତ ସପ୍ତାହରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କରୋନା ପୂର୍ବବର୍ତ୍ତୀ ସ୍ତରକୁ ଏବେ ତେଲ ଚାହିଦା ବଢ଼ିଲାଣି। ତେଣୁ ଓପେକ୍ ଦେଶସମୂହ ତୈଳ ଦରକୁ ଏକ ଦାୟିତ୍ବବାନ ଏବଂ ଯୁକ୍ତିଯୁକ୍ତ ସ୍ତରରେ ରଖନ୍ତୁ ବୋଲି କହିଥିଲେ। ଗତବର୍ଷ କରୋନା ପାଇଁ ଅଶୋଧିତ ତେଲ ଚାହିଦା କମିବା ସମୟରେ ଦର ହ୍ରାସ ନିଷ୍ପତ୍ତିକୁ ଭାରତ ସମର୍ଥନ କରିଥିଲା। ସେହି ସମୟରେ ତୈଳ ଉତ୍ପାଦନକାରୀ ଦେଶ, ବିଶେଷକରି ଓପେକ୍ ପ୍ରତିଶ୍ରୁତି ଦେଇଥିଲା ଯେ ୨୦୨୧ ଆରମ୍ଭରେ ଚାହିଦା ଫେରିବ ଏବଂ ଉତ୍ପାଦନକୁ ସ୍ବାଭାବିକ କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ଉତ୍ପାଦନ ସ୍ବାଭାବିକ କରା ନଯିବା ଦୁଃଖର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଯଦି ଯୋଗାଣ ଠିକ୍ ଭାବେ ନହେବ ତାହେଲେ ଚାହିଦା ଓ ଯୋଗାଣ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବ। ଏଥିଯୋଗୁ ମୂଲ୍ୟବୃଦ୍ଧି ଘଟିବ ବୋଲି ସେ ମତ ଦେଇଥିଲେ। ଭାରତ ଏହାର ଅଶୋଧିତ ତେଲ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନି କରିଥାଏ।