ଚାଷୀଙ୍କ ଆୟକୁ ସୁରକ୍ଷା

ଆସିଲା ନୂଆ ଯୋଜନା ‘ପିଏମ୍‌-ଆଶା’, ବ୍ୟୟ ଅଟ୍ଟକଳ ୪୫,୫୫୦ କୋଟି

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିର ଲାଭ ସବୁ ଚାଷୀ ପାଉନାହାନ୍ତି। ତେଣୁ ଚାଷୀମାନଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନୂଆ ସ୍କିମ୍‌ ‘ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ୍‌-ଅଶା) ଆଣିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି। କୃଷିଜାତ ସାମଗ୍ରୀର ବଜାର ଦର ତାହାର ଏମ୍‌ଏସ୍‌ପିଠାରୁ କମ୍‌ ରହିଲେ, ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏସ୍‌ଏମ୍‌ପି ଦରରେ ସେହି ସାମଗ୍ରୀକୁ ଚାଷୀଙ୍କଠାରୁ କିଣିବେ। ଅନ୍ୟଥା, ଅନ୍ୟ ଯେକୌଣସି ଉପାୟରେ ଚାଷୀଙ୍କୁ ଯେଭଳି ଏମ୍‌ଏସ୍‌ପି ମୂଲ୍ୟ ମିଳିପାରିବ ତାହାର ବ୍ୟବସ୍ଥା କରିବେ। ଏହି ଆଭିମୁଖ୍ୟ ନେଇ ପିଏମ୍‌-ଆଶା ସ୍କିମ୍‌ ପ୍ରସ୍ତୁତ କରାଯାଇଛି। ପିଏମ୍‌-ଆଶା ଯୋଜନାରେ ତିନିଟି ଉପ-ଯୋଜନା ରହିଛି। ତାହା ହେଉଛି ମୂଲ୍ୟ ସହାୟକ ଯୋଜନା (ପିଏସ୍‌ଏସ୍‌), ମୂଲ୍ୟ ନିଅଣ୍ଟ ପରିଶୋଧ ଯୋଜନା (ପିଡିପିଏସ୍‌) ଓ ଘରୋଇ କ୍ରୟ ପରିଚାଳନା ଓ ଷ୍ଟକିଷ୍ଟ୍‍ ଯୋଜନା (ପିଡିପିଏସ୍‌)।

ଏହି ଯୋଜନା ପାଇଁ ୧୬,୫୫୦ କୋଟି ଟଙ୍କାର ଅତିରିକ୍ତ ଗ୍ୟାରେଣ୍ଟି ସହିତ ମୋଟ ୪୫,୫୫୦ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପିଏମ୍‌-ଆଶାର କ୍ରିୟାନ୍ଵୟନ ପାଇଁ ୧୫,୦୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ ଓ ନଡ଼ିଆର ଭୌତକ କ୍ରୟ କେନ୍ଦ୍ରୀୟ ନୋଡାଲ୍‌ ଏଜେନ୍ସିଗୁଡ଼ିକ ଦ୍ୱାରା ରାଜ୍ୟ ସରକାରଙ୍କ ସହଯୋଗରେ କରାଯିବ। ନାଫେଡ୍‌ ଓ ଏଫ୍‌ସିଆଇ ଏହାକୁ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ କରିବେ। କିଣାକିଣି ଯୋଗୁ ଯେଉଁ ଖର୍ଚ କିମ୍ବା କ୍ଷତି ହେବ ତାହାକୁ କେନ୍ଦ୍ର ସରକାର ଭରଣା କରିବେ। ସେହିପରି ମୂଲ୍ୟ ନିଅଣ୍ଟ ପରିଶୋଧ ଯୋଜନାରେ ଏମ୍‌ଏସ୍‌ପି ଅଧିସୂଚିତ ହୋଇଥିବା ସମସ୍ତ ତୈଳବୀଜକୁ ସାମିଲ କରାଯିବ। ଏହି ପ୍ରକ୍ରିୟାରେ ଏମ୍‌ଏସ୍‌ପି ଓ କ୍ରୟ ମୂଲ୍ୟରେ ରହିଥିବା ଅସମାନତା ବାବଦ ଅର୍ଥକୁ ପୂର୍ବରୁ ପଞ୍ଜୀକୃତ ହୋଇଥିବା କୃଷକମାନଙ୍କୁ ନିଲାମ ଜରିଆରେ ବିଜ୍ଞପିତ ବଜାରରେ ଦିଆଯିବ। ଚାଷୀଙ୍କ ବ୍ୟାଙ୍କ ଖାତାରେ ସେହି ଅର୍ଥ ପଇଠ କରାଯିବ। ଏହି ଯୋଜନାରେ ପ୍ରତ୍ୟକ୍ଷ ଭିତ୍ତିରେ ଫସଲର କୌଣସି କିଣାବିକା ହେବ ନାହିଁ। କେବଳ ମୂଲ୍ୟରେ ରହିଥିବା ଅସମାନତା ବାବଦ ଅର୍ଥରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ରାଜ୍ୟଗୁଡ଼ିକ ନିକଟରେ ଘରୋଇ କ୍ରୟ ଷ୍ଟକିଷ୍ଟ୍‍ ଯୋଜନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାର ବିକଳ୍ପ ରହିବ। ଏଥିପାଇଁ ରାଜ୍ୟଗୁଡ଼ିକ ନିର୍ଦିଷ୍ଟ ଜିଲ୍ଲା ଚୟନ କରିବେ। ଏଥିରେ ଘରୋଇ ସଂସ୍ଥାଙ୍କୁ ସାମିଲ କରାଯିବ। ଘରୋଇ ସଂସ୍ଥା ଏମ୍‌ଏସ୍‌ପି ଅନୁଯାୟୀ ବିଜ୍ଞପିତ ବଜାରରୁ ଅଧିସୂଚିତ ଅବଧି ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କଠାରୁ ଉତ୍ପାଦ କିଣିବେ। ମୂଲ୍ୟ ସହାୟକ ଯୋଜନାର ଗାଇଡ୍‌ଲାଇନ୍‌ ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକ କାମ କରିବେ।

ଉଲ୍ଲେଖଯୋଗ୍ୟ, ୨୦୧୦-୧୪ ମଧ୍ୟରେ ସରକାର ୩୫୦୦ କୋଟି ଟଙ୍କାର ଫସଲ ସଂଗ୍ରହ କରିଥିଲେ। ୨୦୧୪-୧୮ ଭିତରେ ସେଥିରେ ୧୦ ଗୁଣା ବୃଦ୍ଧି ହୋଇଛି ଓ ସରକାର ୩୪ ହଜାର କୋଟି ଟଙ୍କାର ଫସଲ କିଣିଛନ୍ତି। ଏହି ସମୟରେ କୃଷିଜାତ ଉତ୍ପାଦ କିଣାକିଣି ପାଇଁ ସରକାରୀ ଗ୍ୟାରେଣ୍ଟି ପରିମାଣ ୨୯ ହଜାର କୋଟି ଟଙ୍କା ଓ ବ୍ୟୟ ପରିମାଣ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ବ୍ରଡ୍‌ଗଜ୍‌ ଲାଇନ୍‌ର ୧୦୦% ବିଦ୍ୟୁତ୍‌କରଣ ହେବ
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ସବୁ ବ୍ରଡ୍‌ଗଜ୍‌ ଲାଇନ୍‌ର ବିଦ୍ୟୁତ୍‌କରଣ ହେବ। ୨୦୧୧-୨୨ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବ। ଏବାବଦରେ ୧୨,୧୩୪.୫୦ କୋଟି ଟଙ୍କା ଖର୍ଚ ହେବ। ଆଜି କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଳବାଇର ୧୦୮ଟି ରୁଟ୍‌ରେ ୧୬,୫୪୦ କିଲୋମିଟରର ବିଦ୍ୟୁତ୍‌କରଣ କରାଯାଉଛି। ଏହି କାର୍ଯ୍ୟ ଶେଷ ହେବା ପରେ ରେଳବାଇର ସୁରକ୍ଷା, ଦକ୍ଷତା ଓ ଶକ୍ତି ନିରାପତ୍ତା ବୃଦ୍ଧି ପାଇବ। ଇନ୍ଧନ ବାବଦ ଖର୍ଚରେ ରେଳବାଇ ୧୩,୫୧୦ କୋଟି ଟଙ୍କା ସଞ୍ଚୟ କରିପାରିବ। ବିଦ୍ୟୁତ୍‌କରଣ ସମୟରେ ୨୦.୪ କୋଟି ମାନବ ଦିବସ କାର୍ଯ୍ୟ ସୃଷ୍ଟି ହେବ। ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହେବା ପରେ ହାଇସ୍ପିଡ୍‌ ଡିଜେଲ୍‌ ବ୍ୟବହାରରେ ବର୍ଷକୁ ୨୮୩ କୋଟି ଲିଟର ହ୍ରାସ ହେବ। ଏବେ ଦେଶର ଦୁଇ ତୃତୀୟାଂଶ ମାଲବାହୀ ଟ୍ରେନ୍‌ ଓ ଅଧାରୁ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ବିଦ୍ୟୁତ ଶକ୍ତି ଜରିଆରେ ଯାତାୟାତ କରୁଛି।

ଆଖୁରସରୁ ପ୍ରସ୍ତୁତ ଇଥାନଲ୍‌ ମୂଲ୍ୟ ବଢ଼ିଲା
ନୂଆଦିଲ୍ଲୀ: ଭାରି ଓ ଆଂଶିକ ଭାବେ ହାଲୁକା ଆଖୁରସ ଓ ଶତ ପ୍ରତିଶତ ଆଖୁରସରୁ ପ୍ରସ୍ତୁତ ଇଥାନଲ୍‌ ମୂଲ୍ୟରେ ବୃଦ୍ଧି ଘୋଷଣା କରାଯାଇଛି। ଭାରିଗୁଡ଼ ଓ ଆଂଶିକ ଭାବେ ଆଖୁରସରୁ ପ୍ରସ୍ତୁତ ହେଉଥିବା ଇଥାନଲ୍‌ର ମିଲ୍‌ ପୂର୍ବ ମୂଲ୍ୟ ଲିଟର ପିଛା ୫୨ ଟଙ୍କା ୪୩ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଦର ୪୭ ଟଙ୍କା ୧୩ ପଇସା ଥିଲା। ଯେଉଁ ମିଲ୍‌ ନିଜର ସବୁ ଆଖୁରସକୁ ଇଥାନଲ୍‌ ଉତ୍ପାଦନ ପାଇଁ ବ୍ୟବହାର କରିବେ ସେମାନଙ୍କ ପାଇଁ ଇଥାନଲ୍‌ର ଲିଟର ପିଛା ଦର ୫୯ ଟଙ୍କା ୧୩ ପଇସା ରହିବ। ଏହି ମିଲ୍‌ଗୁଡ଼ିକ ଆଖୁରସରୁ ଚିନି ଉତ୍ପାଦନ କରିପାରିବେ ନାହିଁ। ୨୦୧୮ ଡିସେମ୍ବର ୧ରୁ ୨୦୧୯ ନଭେମ୍ବର ୩୦ ପର୍ଯ୍ୟନ୍ତ ଅବଧି ପାଇଁ ଦର ବୃଦ୍ଧି ଘୋଷଣା ହୋଇଛି। ସରକାରୀ ତେଲ କଂପାନିଗୁଡ଼ିକ ଇଥାନଲ୍‌ କିଣିବେ। ସେଥିରେ ଜିଏସ୍‌ଟି ଓ ପରିବହନ ଖର୍ଚ ଲାଗୁ ହେବ। ଦୂର ସ୍ଥାନକୁ ଇଥାନଲ୍‌ ଯୋଗାଣ ଯେଭଳି ପ୍ରଭାବିତ ନହେବ ତାହାକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟ ନିର୍ଧାରଣ କରିବାକୁ ତେଲ କଂପାନିଗୁଡ଼ିକୁ କୁହାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ଯୋଗୁ ଚିନି ମିଲ୍‌ ଓ ଡିଷ୍ଟିଲେରିଗୁଡ଼ିକ ଉପକୃତ ହେବେ। ମିଲ୍‌ଗୁଡ଼ିକ ଆଖୁ ଚାଷୀଙ୍କୁ ଠିକ୍‌ ସମୟରେ ପେମେଣ୍ଟ୍‌ ଦେଇପାରିବେ। ଇଥାନଲ୍‌ ସଂଗ୍ରହ କରି ତାହାକୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯିବ। ଏହା ଦ୍ୱାରା ତେଲ ଆମଦାନି କମ୍‌ ହୋଇପାରିବ।

ସମ୍ବନ୍ଧିତ ଖବର