ଭାରତର ପ୍ରଥମ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଆପ୍‌ ‘ସ୍ୱଧାନ’; ବ୍ୟବହାରକାରୀ ଅସୁବିଧାରେ ଥିଲେ ଫଟୋ, ଭଏସ୍‌ ସହ ଲୋକେସନ୍‌ ଜଣାଇବ

ନୂଆଦିଲ୍ଳୀ: ଦେଶରେ ମହିଳାଙ୍କୁ ନେଇ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଣିକି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ‘ସ୍ୱଧାନ’ ନାମକ ଏକ ଆପ୍‌ ବାହାର କରାଯାଇଛି। ଏହି ଆପ୍‌ ଦ୍ୱାରା ବ୍ୟକ୍ତି କେଉଁ ଲୋକେସନ୍‌ରେ ଅଛି ତାହା ଜଣାପଡ଼ିବ। ଏହା ବ୍ୟତୀତ ଯେକୌଣସି ଅପ୍ରୀତିକର ପରିସ୍ଥିତିର ଏହା ସୂଚନା ପ୍ରଦାନ କରିବ। ଏହା ହେଉଛି ଭାରତର ପ୍ରଥମ କୁତ୍ରିମ ସୁରକ୍ଷା ପ୍ରଦାନକାରୀ(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଆପ୍‌।

ଏହି ଆପ୍‌ଟିକୁ ଲଞ୍ଚ କରିଛନ୍ତି ୩୨ ବର୍ଷିଅ ଅସିଫ୍‌ ସୁଲ୍‌ତାନ। ତାଙ୍କ ପତ୍ନୀ ଏକୁଟିଆ ଯାତ୍ରା କରୁଥିବାରୁ ଅସିଫ୍‌ ଏ ନେଇ ଚିନ୍ତିତ ରହୁଥିଲେ। ପତ୍ନୀଙ୍କ ସୁରକ୍ଷା ଦେବା ଚିନ୍ତା କରି ସେ ୨୦୧୭ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ କରି ଦେଇଥିଲେ।

ଦୀର୍ଘ ଦିନ ଧରି ଏହି ପ୍ରକଳ୍ପରେ କାର୍ଯ୍ୟ କରିବା ପରେ ଅସିଫ୍‌ ଶେଷରେ ୨୦୧୮ ମସିହା ଏପ୍ରିଲ୍‌ରେ ଆପ୍‌ଟିକୁ ଲଞ୍ଚ୍‌ କରାଇଛନ୍ତି।

ଏହି ଆପ୍‌ଟିକୁ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଅନ୍ୟ ସମସ୍ତ ଆପ୍‌ଗୁଡ଼ିକ ପରି ସହଜରେ ଡାଉନ୍‌ଲୋଡ କରିହେବ। ଏହା ମୋବାଇଲ୍‌ ଫୋନ୍‌ ଆଣ୍ଡ୍ରଏଡ୍‌ ୪.୦ ଓ ତଦୃର୍ଧ୍ୱ ଭର୍ସନରେ ଉପଲବ୍ଧ।

ଏହି ଆପ୍‌ଟିକୁ ଆକ୍ଟିଭେଟ୍‌ କରିବା ପାଇଁ ଯେକୌଣସି ଭଲ୍ୟୁମ୍‌ ବଟନ୍‌କୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଚାପି ଧରିବାକୁ ହେବ। କେତେକ ସମୟରେ ଅନ୍ୟ ସୁରକ୍ଷା ପ୍ରଦାନକାରୀ ଆପ୍‌ଗୁଡ଼ିକରେ ଆର୍ଲଟ ଏସ୍‌ଏମ୍‌ଏସ୍‌ଗୁଡ଼ିକ ଅଣଦେଖା ହେବାରୁ ଆବଶ୍ୟକୀୟ ସୁରକ୍ଷା ମିଳିପାରି ନଥାଏ। ମାତ୍ର ଏହି ଆପ୍‌ରେ ପ୍ରାଥମିକ ଅଭିଭାବକଙ୍କ ନିକଟକୁ କଲ୍‌ ମଧ୍ୟ ଯିବ।

ଏସ୍‌ଏମ୍‌ଏସ୍‌ ଜରିଆରେ ଲୋକେସନ୍‌, ଫ୍ରଣ୍ଟ୍‌ ଓ ବ୍ୟାକ୍‌ର ଫଟୋଗ୍ରାଫ୍‌, ପାର୍ଶ୍ୱ ସ୍ୱର ଆଦି ଅଭିବାବକଙ୍କୁ ମିଳିବ। ଏହି ରିପୋର୍ଟ ପ୍ରତ୍ୟେକ ୫ ମିନିଟ୍‌କୁ ଥରେ ନୂଆ ଲୋକେସନ୍‌, ଫଟୋଗ୍ରାଫ୍‌ ଓ ପାର୍ଶ୍ୱ ସ୍ୱର ବାବଦେରେ ସୂଚନା ଦେବ।

ଏପରିକି ନେଟ୍‌ଓ୍ଵର୍କ ନଥିବା ଅଞ୍ଚଳରେ ବି ଆପ୍‌ଟି କାର୍ଯ୍ୟ କରିବ। ଏହି ସବୁ ମେସେଜ୍‌ ପାଇଁ ବ୍ୟବହାରକାରୀଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ବ୍ୟବହାରକାରୀ ନିଜକୁ ସୁରକ୍ଷିତ ମଣିବା ପରେ ଡିଆକ୍ଟିଭେଟ୍‌ ବଟନ୍‌ ଚିପି ଆର୍ଲଟ ବନ୍ଦ କରିଦେଇ ପାରିବେ।

ସମ୍ବନ୍ଧିତ ଖବର