ଷ୍ଟେଟ ବ୍ୟାଙ୍କର ନୂଆ ସୁବିଧା : ପିଓଏସ ମେସିନ ମାଧ୍ୟମରେ ଟଙ୍କା ଉଠାଇ ହେବ

ମୁମ୍ବାଇ : ଦେଶର କେତେକ ରାଜ୍ୟରେ ଏଟିଏମ ଗୁଡ଼ିକରେ ନଗଦ ଟଙ୍କା ଅଭାବ ରହୁଛି । ଏହାର ମୁକାବିଲା ପାଇଁ ବ୍ୟାଙ୍କ ମାନେ ବିଭିନ୍ନ ପ୍ରକାରର ଉଦ୍ୟମ କରୁଛନ୍ତି । ଆସନ୍ତା କାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଏଥିପାଇଁ ଅଭାବ ଥିବା ରାଜ୍ୟଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ ନଗଦ ଟଙ୍କା ପଠାଯାଉଛି । ଏହାଛଡା ଆଉ ଏକ ପଦକ୍ଷେପ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଆଯାଉଛି । ତାହା ହେଉଛି ପିଓଏସ (ପଏଣ୍ଟସ ଅଫ ସେଲ୍ସ) ମେସିନ ମାଧ୍ୟମରେ ନଗଦ ଟଙ୍କା ଉଠାଣ ସୁବିଧା । ଏସବିଆଇ ପକ୍ଷରୁ ବିଭିନ୍ନ ମର୍ଚ୍ଚାଣ୍ଟ ଲୋକେସନ ( ମଲ୍‌, ବ୍ୟବସାୟିକ କାରବାର ସ୍ଥାନ ଇତ୍ୟାଦି) ରେ ଲଗାଯାଇଥିବା ପିଓଏସ ମେସିନ ମାଧ୍ୟମରେ ଗ୍ରାହକମାନେ ନିଜ ଡେବିଟ କାର୍ଡ ବ୍ୟବହାର କରି ଟଙ୍କା ଉଠାଇପାରିବେ । ଟିୟର-୧ ଓ ୨ ସହରରେ ଜଣେ ଗ୍ରାହକ ଦିନକୁ ୧ହଜାର ଟଙ୍କା ଉଠାଇପାରିବେ । ଟିୟର-୩,୪ ସହରରେ ଦିନକୁ ୨ ହଜାର ଟଙ୍କା ଉଠାଇହେବ । ଏଥିପାଇଁ ଏସବିଆଇ କୌଣସି ଫି ଆଦାୟ କରିବ ନାହିଁ । ସାରା ଦେଶରେ ଏସବିଆଇର ପ୍ରାୟ ୬.୦୮ ଲକ୍ଷ ପିଓଏସ୍‌ ଥିବା ବେଳେ ତା ମଧ୍ୟରୁ ୪.୭୮ ଲକ୍ଷ ପିଓଏସ୍‌ରେ ଏହି ସୁବିଧା ମିଳିପାରିବ । ତେବେ ଏହି ସେବା କେତେ ଦିନ ପାଇଁ ଉପଲବ୍ଧ ରହିବ ସେ ସମ୍ପର୍କରେ ଷ୍ଟେଟ ବ୍ୟାଙ୍କ କିଛି କହିନାହିଁ ।

ସମ୍ବନ୍ଧିତ ଖବର