୧୩୦୦ ଷ୍ଟେଟ ବ୍ୟାଙ୍କ ଶାଖା ନାଁ, ଆଇଏଫଏସସି କୋଡ୍‌ରେ ପରିବର୍ତ୍ତନ ହୋଇଛି

ମୁମ୍ବାଇ : ଭାରତର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସହ ଏହାର ୫ଟି ସହଯୋଗୀ ବ୍ୟାଙ୍କ ସହ ମିଶ୍ରଣ ହେବା ପରେ ଏହି ବ୍ୟାଙ୍କ ପକ୍ଷରୁ ପ୍ରାୟ ୧୩୦୦ଟି ବ୍ୟାଙ୍କ ଶାଖାର ନାଁ ଓ ସେଗୁଡିକର ଆଇଏଫ୍‌ଏସି (ଇଣ୍ଡିଆନ ଫାଇନାନ୍ସ ସିଷ୍ଟମ) କୋଡ୍‌ରେ ପରିବର୍ତ୍ତନ କରାଯାଇଛି । ଏସବୁ ଶାଖା ଦେଶର ପ୍ରମୁଖ ସହର ମୁମ୍ବଇ, ନୂଆଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, କୋଲକତା, ଲକ୍ଷ୍ନୌ ଆଦିରେ ଥିବା ଜଣାଯାଇଛି । ଖୁବଶୀଘ୍ର ଗ୍ରାହକମାନଙ୍କୁ ଏହି ପରିବର୍ତ୍ତନ ସମ୍ପର୍କରେ ସୂଚୀତ କରାଯିବ ବୋଲି ଷ୍ଟେଟ ବ୍ୟାଙ୍କର ରିଟେଲ ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ ଗୁପ୍ତା କହିଛନ୍ତି ।

ସେ କହିଛନ୍ତି ବ୍ୟାଙ୍କର କେତେକ ପୁରୁଣା ସହଯୋଗୀ ବ୍ୟାଙ୍କର ମିଶ୍ରଣ ହୋଇଛି, ଏଥିଲାଗି କେତେକ ଶାଖାର ଆଇଏଫ୍‌ଏସସି କୋଡ୍‌ରେ ପରିବର୍ତ୍ତନ ଆବଶ୍ୟକ ହେଉଛି । ଏ ସମ୍ପର୍କରେ ଗ୍ରାହକମାନଙ୍କୁ ସୂଚୀତ କରାଯାଉଛି, ଏବଂ ତାହା ସହିତ ବ୍ୟାଙ୍କ ମଧ୍ୟ ପୁୁରୁଣା କୋଡ୍‌ରୁ ନୂଆ କୋଡକୁ ମ୍ୟାପିଂ କରୁଛି । ଏହା ଫଳରେ ଜଣେ ଯଦି ପୁରୁଣା କୋଡ୍‌ ମାଧ୍ୟମରେ ଅର୍ଥ ପ୍ରେରଣ କରୁଛି ତାହା ଆପେ ଆପେ ନୂଆ କୋଡ୍‌ ରେ ପହଞ୍ଚିବ । ଅର୍ଥାତ୍‌ କିଛି ଅସୁବିଧା ହେବ ନାହିଁ ।

ଆଇଏଫ୍‌ଏସସି ହେଉଛି ନମ୍ବର ଓ ଅକ୍ଷର ଥିବା ଏକ ୧୧ ଟିକିଆ ନମ୍ବର ଯାହାକି ଗୋଟିଏ ବ୍ୟାଙ୍କ ଶାଖାର ଏକ ସ୍ୱତନ୍ତ୍ର ପରିଚୟ । ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣାଧୀନ ଫଣ୍ଡ ଟ୍ରାନ୍ସଫର ବ୍ୟବସ୍ଥା ଯଥା ଆରଟିଜିଏସ, ଏନଇଏଫଟି ବା ଆଇଏମପିଏସ ମାଧ୍ୟମରେ ଅର୍ଥ ପ୍ରେରଣ କଲେ ଏହା ଆବଶ୍ୟକ ପଡେ ।

ଗତ ଏପ୍ରିଲ ମାସରେ ଷ୍ଟେଟ ବ୍ୟାଙ୍କ ସହ ତାହାର ୫ଟି ସହଯୋଗୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ବିକାନୀର ଓ ଜୟପୁର, ପାତିଆଲା, ଟ୍ରାଭାଙ୍କୋର, ହାଇଦ୍ରାବାଦ ଓ ମୌସୁରର ମିଶ୍ରଣ ହୋଇଥିଲା ।

ସମ୍ବନ୍ଧିତ ଖବର