ଏଟିଏମ ସଂକଟ : ଶୁକ୍ରବାର ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହେବ : ଷ୍ଟେଟବ୍ୟାଙ୍କ ଅଧ୍ୟକ୍ଷ

ମୁମ୍ବାଇ : ଆସନ୍ତା କାଲି ଅର୍ଥାତ୍‌ ଶୁକ୍ରବାର ସୁଦ୍ଧା ଏଟିଏମ ଗୁଡ଼ିକରେ ଦେଖାଯାଉଥିବା ନଗଦ ଅର୍ଥ ସଂକଟର ସମାଧାନ ହୋଇଯିବ ବୋଲି ଷ୍ଟେଟ ବ୍ୟାଙ୍କ ସିଏମଡି ରଜନୀଶ କୁମାର କହିଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟା ସାରା ଦେଶରେ ସୃଷ୍ଟି ହୋଇନାହିଁ, ଅଳ୍ପ କିଛି ରାଜ୍ୟ ଯେପରିକି ତେଲେଙ୍ଗାନା ଓ ବିହାର ରେ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ପ୍ରଭାବିତ ଅଂଚଳକୁ ନଗଦ ଟଙ୍କା ପଠାଯାଉଛି । ଏହା ଆଜି ସଂଧ୍ୟା ସୁଦ୍ଧା ପହଞ୍ଚିବ । ଫଳରେ ଆଗାମୀ କାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଅତ୍ୟଧିକ ଟଙ୍କା ଉଠାଣ ଯୋଗୁଁ ଏହା ହୋଇଛି । ଟଙ୍କା କେବଳ ଉଠାଣ ହେଲେ ବ୍ୟାଙ୍କ ବ୍ୟବସ୍ଥା ଚାଲିପାରିବ ନାହିଁ, ଉଠାଣ ସହିତ ଜମା ମଧ୍ୟ ଆସିବା ଜରୁରୀ ।

ସେ କହିଛନ୍ତି ଯେ ବିମୁଦ୍ରାୟନ ସମୟଠାରୁ ଏବେ ଯଥେଷ୍ଟ ଅଧିକ ନଗଦ ଅର୍ଥ ବଜାରରେ ରହିଛି । ବିମୁଦ୍ରାୟନ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ୧୭ ଲକ୍ଷ ୯୮ ହଜାର କୋଟିର ନଗଦ ଟଙ୍କା ଥିଲା ଏବେ ତାହା ୧୮ ଲକ୍ଷ ୨୯ ହଜାର କୋଟିରେ ପହଞ୍ଚିଛି । ଏଣୁ ଏହି ଅଭାବ ମନୁଷ୍ୟକୃତ । କେତେକ ଅଂଚଳରେ ନଗଦର ଚାହିଦା ବଢିଥିବାରୁ ତାହାର ଭରଣା କରିବାକୁ କିଛି ସମୟ ଲାଗୁଛି । ତେବେ ଇତି ମଧ୍ୟରେ ସ୍ଥିତିରେ ଉନ୍ନତି ହୋଇଛି, ଆସନ୍ତା କାଲି ସୁଦ୍ଧା ସ୍ୱାଭାବିକ ଅବସ୍ଥା ଫେରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର