ରିଜର୍ଭ ବ୍ୟାଙ୍କ ଦ୍ବାରା ରେପୋ ହାର ହ୍ରାସ ପରେ ଋଣ ଓ ଜମା ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ

ମୁୁମ୍ବାଇ : ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିବା ପରେ ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଋଣ ଓ ଜମା ସୁଧହାର ହ୍ରାସ କରିଛି । ବ୍ୟାଙ୍କ ପକ୍ଷରୁ ନିଜର ଋଣ ସୁଧହାର ୭୫ ବେସିସ ପଏଣ୍ଟ ବା ୦.୭୫ ପ୍ରତିଶତ ହ୍ରାସ କରାଯାଇଛି । ଅର୍ଥାତ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ରେପୋ ହାର ହ୍ରାସର ସୁଫଳ ତୁରନ୍ତ ଗ୍ରାହକମାନଙ୍କୁ ପ୍ରଦାନ କରିଛି । ଏତେ ପରିମାଣରେ ଋଣ ସୁଧହାର ହ୍ରାସ କରିବା ଦ୍ୱାରା ବ୍ୟାଙ୍କର ଲାଭ ପ୍ରଭାବିତ ହୋଇପାରେ, କିନ୍ତୁ ବର୍ତ୍ତମାନର ଆଥିର୍କ ମାନ୍ଦାବସ୍ଥା ଦୃଷ୍ଟିରୁ ଏହା କରିବା ଜରୁରୀ ହୋଇପଡ଼ିଛି । ଅନ୍ୟପକ୍ଷରେ ବ୍ୟାଙ୍କର ନିଜର ଜମା ହାରକୁ ୨୦ରୁ ୫୦ ବେସିସ ପଏଣ୍ଟ ( ୦.୨ ପ୍ରତିଶତରୁ ୦.୫ ପ୍ରତିଶତ) ପର୍ଯ୍ୟନ୍ତ କମାଇଦେଇଛି । ଏପ୍ରିଲ ୧ରୁ ଏହା ଲାଗୁ ହେବ ।

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସୃଷ୍ଟି ଆଥିର୍କ ମାନ୍ଦାବସ୍ଥାର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ରପୋ ହାର, ଅର୍ଥାତ ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି, ୭୫ ବେସିସ ପଏଣ୍ଟ ବା ୦.୭୫ ପ୍ରତିଶତ ହ୍ରାସ କରାଯାଇଥିଲା । ଏହା ଫଳରେ ରେପୋ ହାର ୪.୪ ପ୍ରତିଶତକୁ କମିଆସିଛି । ରିଜର୍ଭ ବ୍ୟାଙ୍କ ମଧ୍ୟ ରିଭର୍ସ ରେପୋକୁ ୯୦ ବେସିସ ପଏଣ୍ଟ ବା ୦.୯ ପ୍ରତିଶତ ହ୍ରାସ କରି ୪ ପ୍ରତିଶତ କରିଛନ୍ତି ।

ସମ୍ବନ୍ଧିତ ଖବର