ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ୩୫ ବେସିସ ପଏଣ୍ଟ ବା ୦.୩୫ ପ୍ରତିଶତ ହ୍ରାସ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜର ସର୍ବନିମ୍ନ ଋଣ ସୁଧହାର ବା ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର) ୧୫ ବେସିସ ପଏଣ୍ଟ ହ୍ରାସ କରିଛି । ଏହା ଫଳରେ ୧ ବର୍ଷର ମିଆଦ ବିଶିଷ୍ଟ ଏମସିଏଲଆର ୮.୪୦ ପ୍ରତିଶତରୁ ହ୍ରାସ ପାଇ ୮.୨୫ ପ୍ରତିଶତରେ ପହଞ୍ଚିଛି ସେହିପରି ଓଭରନାଇଟ ଏମସିଏଲଆର ୭.୯୦ ପ୍ରତିଶତରେ ପହଞ୍ଚିଛି । ଆସନ୍ତା ଅଗଷ୍ଟ ୧୦ରୁ ଏହା ଲାଗୁ ହେବ ।
ଗତ ଜୁନ ମାସରେ ଷ୍ଟେଟ ବ୍ୟାଙ୍କ ନିଜର ଏମସିଏଲଆରକୁ ମାତ୍ର ୫ ବେସିସ ପଏଣ୍ଟ (୦.୦୫%) ହ୍ରାସ କରିଥିଲା । ସୂଚନାଯୋଗ୍ୟ ଯେ ଏମସିଏଲଆର ହେଉଛି ଗୋଟିଏ ବ୍ୟାଙ୍କର ସର୍ବନିମ୍ନ ଋଣସୁଧହାର । ଏହା ତଳକୁ ଉକ୍ତ ବ୍ୟାଙ୍କ ଋଣ ପ୍ରଦାନ କରିପାରିବ ନାହିଁ । ପୂର୍ବରୁ ପ୍ରଚଳିତ ବେସ ରେଟ ବଦଳରେ ଗତ ୨୦୧୬ ଠାରୁ ଏହାକୁ ଲାଗୁ କରାଯାଇଛି ।