ମୁମ୍ବାଇ: ଦେଶରେ ଗତ ୪ ବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକବର୍ଷରୁ ୨୦୨୨-୨୩ ଆର୍ଥିକବର୍ଷ ମଧ୍ୟରେ ୫.୨ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଇପିଏଫଓ ଓ ଏନପିଏସ୍ ତଥ୍ୟକୁ ଆଧାର କରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ରିପୋର୍ଟରେ ଏହା କୁହାଯାଇଛି। ଉପରୋକ୍ତ ସମୟ ମଧ୍ୟରେ ଇପିଏଫରେ ସାମିଲ ହୋଇଥିବା ନିଟ୍ ସଦସ୍ୟଙ୍କ ସଂଖ୍ୟା ୪.୮୬ କୋଟି। ତେବେ ଉକ୍ତ ତଥ୍ୟ ନ୍ୟୁ ପେରୋଲ (ପ୍ରଥମ ପେରୋଲ୍), ଦ୍ବିତୀୟ ପେରୋଲ (ପୁନଃଯୋଗ ଦେଇଥିବା/ ପୁନଃବାର ସଦସ୍ୟ ହୋଇଥିବା) ଏବଂ ଫର୍ମାଲାଇଜ୍ ପେରୋଲ୍ ସଂଖ୍ୟା ରହିଛି।
ଗବେଷଣା ଟିମ୍ ହିସାବ କରି ଜାଣିବାକୁ ପାଇଛି ଯେ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ନିଟ୍ ନ୍ୟୁ ପେରୋଲରେ ୨.୨୭ କୋଟି ଲୋକ ରହିଛନ୍ତି। ନିଟ୍ ନ୍ୟୁ ପେରୋଲରେ ପ୍ରଥମ ନିଯୁକ୍ତି ୪୭ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି। ଦ୍ବିତୀୟ ଥର ପାଇଁ ନିଯୁକ୍ତି ପାଇ ସଦସ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୨.୧୭ କୋଟି। ଏଥିସହିତ ଫର୍ମାଲାଇଜେସନ ସଦସ୍ୟ ସଂଖ୍ୟା ୪୨ ଲକ୍ଷ। ଚଳିତ ଆର୍ଥିକବର୍ଷରେ ମଧ୍ୟ ନ୍ୟୁ ପେରୋଲ ସଦସ୍ୟଙ୍କ ସଂଖ୍ୟା ଉତ୍ସାହଜନକ ରହିଥିବା ରିପୋର୍ଟରେ କୁହାଯାଇଛି।