ଏଣିକି ବନ୍ଧକ ସୁନା ଅଳଙ୍କାର ମୂଲ୍ୟର ୯୦ ପ୍ରତିଶତ ବ୍ୟାଙ୍କ ଋଣ ମିଳିବ

ମୁମ୍ବାଇ : କରୋନା ସମୟରେ ଲୋକମାନଙ୍କୁ ସହାୟତା କରିବାକୁ ରିଜର୍ଭ ବ୍ୟାଙ୍କ ନିଜର ସୁନା ଋଣ ନିୟମରେ କେତେକ ପରିବର୍ତ୍ତନ ଆଣିଛି । ଏଣିକି ବନ୍ଧକ ସୁନା ଅଳଙ୍କାର ମୂଲ୍ୟର ୯୦ ପ୍ରତିଶତ ବ୍ୟାଙ୍କ ଋଣ ମିଳିପାରିବ । ପୂର୍ବରୁ ବନ୍ଧକ ସୁନା ମୂଲ୍ୟର ୭୫ ପ୍ରତିଶତ ଋଣ ମିଳୁଥିଲା । ଆଜି ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ଏହା ଫଳରେ ନିଜର ଜରୁରୀ ଅର୍ଥ ଆବଶ୍ୟକତା ମେଣ୍ଟାଇବାକୁ ସୁନା ଅଳଙ୍କାର ବନ୍ଧକ ରଖୁଥିବା ଲୋକମାନଙ୍କୁ ନିଜ ସୁନା ବଦଳରେ ଅଧିକ ଅର୍ଥ ଋଣ ଆକାରରେ ମିଳିପାରିବ । ତେବେ ଏହି ସୁବିଧା ସୀମିତ ସମୟ ପାଇଁ ମିଳିପାରିବ । ଆସନ୍ତା ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଏହି ସୁବିଧା ମିଳିପାରିବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି । ଏହି ସ୍କିମ ଅନୁସାରେ ଋଣଗସ୍ତ ଏମଏସଏମଇଗୁଡ଼ିକର ଋଣଗୁଡ଼ିକର ପୁନର୍ଗଠନ କରାଯିବ । ଆସନ୍ତା ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଏହି ସୁବିଧା ମିଳିପାରିବ । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନାବାର୍ଡ ଓ ଜାତୀୟ ହାଉସିଂ ବ୍ୟାଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ନଗଦ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜରୁ ଉଭୟ ସଂସ୍ଥାକୁ ୫ ହଜାର କୋଟି ଲେଖାଏଁ ମିଳିବ ।

ସମ୍ବନ୍ଧିତ ଖବର