ଗୃହଋଣ ଉପରେ ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ନିଜର ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିଛି । ସର୍ବନିମ୍ନ ସୁଧହାର ୨୫ ବେସିସ ପଏଣ୍ଟ ବା ୦.୨୫ ପ୍ରତିଶତ ବୃଦ୍ଧି ପାଇ ୬.୯୫ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହା ୬.୭୦ ପ୍ରତିଶତ ଥିଲା । ଏହି ବର୍ଦ୍ଧିତ ହାର ଏପ୍ରିଲ ପହିଲାରୁ ଲାଗୁ ହୋଇଛି ।

ଷ୍ଟେଟ ବ୍ୟାଙ୍କ ଗତ ମାର୍ଚ୍ଚ ୧ରେ  ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ୬.୮୦ ପ୍ରତିଶତରୁ ହ୍ରାସ କରି ୬.୭୦ ପ୍ରତିଶତ କରିଥିଲା । ବ୍ୟାଙ୍କ କେବଳ ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିନାହିଁ, ବରଂ ଗୃହଋଣ ଉପରେ ଏକ ପ୍ରୋସେସିଂ ଫି ମଧ୍ୟ ଲାଗୁ କରିଛି । ଏହି ପ୍ରୋସେସିଂ ଫି ମୋଟ ଗୃହଋଣ ପରିମାଣର ୦.୪୦ ପ୍ରତିଶତ ( ଜିଏସଟିକୁ ଛାଡ଼ି ) ବା ସର୍ବନିମ୍ନ ୧୦ ହଜାର ଓ ସର୍ବାଧିକ ୩୦ ହଜାର ମଧ୍ୟରେ ରହିବାର ସମ୍ଭାବନା ରହିଛି । ଏହି ପ୍ରୋସେସିଂ ଫି ଓ ବର୍ଦ୍ଧିତ ସୁଧହାର ଗୃହଋଣ କରିଥିବା ଓ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବାର ସମ୍ଭାବନା ରହିଛି ।

ଷ୍ଟେଟ ବ୍ୟାଙ୍କ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଥିବାରୁ ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଷ୍ଟେଟ ବ୍ୟାଙ୍କୁ ଅନୁସରଣ କରି ଗୃହଋଣ ଉପରେ ସର୍ବନିମ୍ନ ସୁଧହାର ବଢାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର