ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଖାତାଧାରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି। ଏବେ ଏସ୍‌ବିଆଇ ଖାତାଧାରୀମାନେ ଡେବିଟ୍‌ କାର୍ଡ ବିନା ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ । ଯଦି ଆପଣ କେବେ ଘରେ ନିଜର ଡେବିଟ୍‌ କାର୍ଡ ଭୁଲି ଯାଇଛନ୍ତି, ତେବେ ଟଙ୍କା ଉଠାଇବାରେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଏସ୍‌ବିଆଇ ତରଫରୁ ନିଜ ଟୁଇଟ୍‌ର ଆକାଉଣ୍ଟ ଏବଂ େଓ୍ଵବ୍‌ସାଇଟ୍‌ରେ ଏ ନେଇ ସୂଚନା ଦିଆଯାଇଛି । ଏବେ ଏସ୍‌ବିଆଇ ୟୋନୋ କ୍ୟାସ୍‌ ସର୍ଭିସ ସୁବିଧା ଆରମ୍ଭ କରିଛି, ଯାହା ସାହାଯ୍ୟରେ ଏସ୍‌ବିଆଇ ଖାତାଧାରୀମାନେ ଏହି ଆପ୍‌ ଜରିଆରେ ଟଙ୍କା ଉଠାଇ ପାରିବେ ।

Advertisment

publive-image YouTube

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ଫୋନରେ ୟୋନୋ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ହେବ । ଆପ୍‌ ଡାଉନ୍‌ଲୋଡ୍‌ ପରେ ୟୋନୋ କ୍ୟାସ୍‌ ବିକଳ୍ପ ବାଛିବାକୁ ହେବ । ପରେ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତାହା ଲେଖିବା ସହ ନେକ୍ସଟ୍‌ ମାରିବାକୁ ହେବ । ଯାହା ପରେ ଆପଣଙ୍କୁ ୬ଡିଜିଟ୍‌ର ଟ୍ରାଞ୍ଜାକ୍ସନ ପିନ୍‌ ମିଳିବ । ଏହା ପରେ ପାଖ ଏଟିଏମ୍‌କୁ ଯାଇ ସେଠାରେ ୟୋନୋ କ୍ୟାସ୍‌ ବିକଳ୍ପ ବାଛିବାକୁ ହେବ । ପରେ ଆସିଥିବା ୬ଡିଜିଟ୍‌ର ଟ୍ରାଞ୍ଜାକ୍ସନ ପିନ୍‌ ପକାଇ କେତେ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତାହା ଟାଇପ୍‌ କରିବେ । ପରେ ପୁଣି ଥରେ ୬ଡିଜିଟ୍‌ର ଟ୍ରାଞ୍ଜାକ୍ସନ ପିନ୍‌ ଟାଇପ୍‌ କରିବା ଦ୍ୱାରା ଏଟିଏମ୍‌ରୁ ଆପଣଙ୍କ ଟଙ୍କା ବାହାରିଯିବ । ଏହି ଆପ୍‌ ଦ୍ୱାରା ଆପଣ ଥରକରେ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ଟ୍ରାଞ୍ଜାକ୍ସନ ପିନ୍‌ ମିଳିବାର ୩୦ମିନିଟ୍‌ ଭିତରେ ଆପଣଙ୍କୁ ଏଟିଏମ୍‌ ଯାଇ ଟଙ୍କା ଉଠାଇବାକୁ ହେବ ।