ଶସ୍ତା ହେବ ଷ୍ଟେଟ୍‌ ବ୍ୟାଙ୍କ ଋଣ, ବେସ୍‌ ରେଟ୍‌ ୦.୩% ହ୍ରାସ

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ବ୍ୟବସାୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଜର ଗ୍ରାହକଙ୍କ ପାଇଁ ନୂଆ ବର୍ଷ ଭେଟି ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଆଜି ନିଜର ବେସ୍‌ ରେଟ୍‌ ପ୍ରାୟ ୩୦ ବେସିସ୍‌ ପଏଣ୍ଟ ବା ୦.୩ ପ୍ରତିଶତ ହ୍ରାସ କରିବା ବିଷୟ ଘୋଷଣା କରାଯାଇଛି । ଏହି ହ୍ରାସ ସହ ବ୍ୟାଙ୍କର ବେସ୍‌ରେଟ୍‌ ୮.୬୫ ପ୍ରତିଶତରେ ପହଞ୍ଚିଛି । ବେସ୍‌ ରେଟ୍‌ ହେଉଛି ବ୍ୟାଙ୍କମାନଙ୍କର ସର୍ବନିମ୍ନ ଋଣ ସୁଧହାର ଅର୍ଥାତ ଏହାଠାରୁ କମ ସୁଧହାରରେ ବ୍ୟାଙ୍କ ଋଣ ଦେଇପାରିବ ନାହିଁ । ବେସ ରେଟ୍‌ କମିଥିବାରୁ ଏସବିଆଇର ପ୍ରାୟ ୮୦ ଲକ୍ଷ ଋଣ ଗ୍ରହୀତା ଉପକୃତ ହେବେ । କାରଣ ଏହା ଦ୍ୱାରା ଋଣ ସୁଧହାର ହ୍ରାସ ପାଇବ ଓ ଇଏମଆଇ ହ୍ରାସ ପାଇବ । ଗତ ସେପ୍ଟେମ୍ବର ମାସରେ ଏସବିଆଇ ନିଜର ବେସ ରେଟ୍‌ ୫ ବେସିସ ପଏଣ୍ଟ କମାଇ ୯ ପ୍ରତିଶତରୁ ୮.୯୫ ପ୍ରତିଶତ କରିଥିଲା ।

ଏହା ସହିତ ବ୍ୟାଙ୍କ ନିଜର ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ୍‌ (ବିପିଏଲଆର) ୧୩.୭୦ ପ୍ରତିଶତରୁ ୧୩.୪୦ ପ୍ରତିଶତକୁ ହ୍ରାସ କରିଛି । ଅନ୍ୟପକ୍ଷରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ଛାଡ କରାଯାଇଥିବା ପ୍ରୋସେସିଂ ଫି ମିଆଦ କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର