୯, ୫୦୦ କର୍ମଚାରୀ ନିଯୁକ୍ତି କରିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ମୁମ୍ବାଇ: ଗ୍ରାହକମାନଙ୍କୁ ସହାୟତା ଦେବା ଏବଂ ସେଲ୍‌ସ୍‌ ଫଙ୍କ୍‌ସନ୍‌ ଚଳାଇବାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରାୟ ୯, ୫୦୦ କନିଷ୍ଠ ସହକାରୀ ନିଯୁକ୍ତି କରିବ। ୨୦୧୩ ପରେ ଏହା ହେଉଛି ଷ୍ଟେଟ୍‌ ବ୍ୟାଙ୍କ୍‌ ବଡ଼ ନିଯୁକ୍ତି ବ୍ୟବସ୍ଥା। ଚଳିତ ଆର୍ଥିକ ବର୍ଷରେ ଷ୍ଟେଟ୍‌ବ୍ୟାଙ୍କ୍‌ର କର୍ମଚାରୀ ସଂଖ୍ୟା ୧୦ ହଜାରରୁ ଊର୍ଦ୍ଧ୍ୱ କମିଯାଇଛି। ସହକାରୀ ବ୍ୟାଙ୍କ୍‌ ସବୁକୁ ଷ୍ଟେଟ୍‌ ବ୍ୟାଙ୍କ୍‌ ନିଜ ସହ ସାମିଲ କରିଦେବା ଯୋଗୁଁ କାର୍ଯ୍ୟ ଚାପ ବଢ଼ିବା ଓ ସ୍ୱେଚ୍ଛାକୃତ ଅବସର ବ୍ୟବସ୍ଥା କାରଣରୁ କର୍ମଚାରୀ ସଂଖ୍ୟା କମିଥିବା ପ୍ରକାଶ।

ଦେଶବ୍ୟାପୀ ଥିବା ଶାଖାଗୁଡ଼ିକରେ କିରାଣି ପଦବୀ ପୂରଣ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୯୦୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଛି। ସେଥିରୁ ୧୧୦୦ ପଦବୀ ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ପାଞ୍ଚଟି ସହକାରୀ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ ସହ ମିଶିଯିବାରୁ କର୍ମଚାରୀ ଚୟନ ପାଇଁ ଆବଶ୍ୟକତା ପଡ଼ିଛି। ସିଧା ସଳଖ ପ୍ରୋସେସିଙ୍ଗ୍‌ ଏବଂ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଯୋଗୁଁ ବ୍ୟାଙ୍କ୍‌ରେ ପ୍ରଶାସନିକ ଅଧିକାରୀଙ୍କ ଆବଶ୍ୟକତା କମ୍‌ ହୋଇ ଯାଇଥିବାବେଳେ ସମ୍ପ୍ରତି ଗ୍ରାହକମାନଙ୍କ ସମ୍ମୁଖୀନ ହେବା ପାଇଁ ଅଧିକ କର୍ମଚାରୀ ଦରକାର ହେଉଛି।

୨୦୧୭ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଷ୍ଟେଟ୍‌ ବ୍ୟାଙ୍କ୍‌ର କର୍ମଚାରୀ ସଂଖ୍ୟା କମି ୨, ୬୯, ୨୧୯ ହୋଇ ଯାଇଛି। ଚଳିତ ଆର୍ଥିକ ବର୍ଷ ଆରମ୍ଭରେ କର୍ମଚାରୀଙ୍କ ସଂଖ୍ୟା ଥିଲା ୨, ୭୯, ୮୦୯।

ସମ୍ବନ୍ଧିତ ଖବର