ୟେସ୍‌ ବ୍ୟାଙ୍କ‌ରେ ୭୨୫୦ କୋଟି ନିବେଶ କରିବ ଷ୍ଟେଟ ବ୍ୟାଙ୍କ, ଆଜି କ୍ୟାବିନେଟ୍‌ରେ ଆଲୋଚନା ହୋଇପାରେ

ନୂଆଦିଲ୍ଲୀ: ‌ଆର୍ଥିକ କଟକଣା ଭିତରେ ଥିବା ୟେସ୍ ବ୍ୟାଙ୍କର ୭୨୫ କୋଟି ସେୟାର ଭାରତୀୟ ଷ୍ଟେଟ ବ୍ୟାଙ୍କ କିଣିବ। ୟେସ୍‌ ବ୍ୟାଙ୍କର ପ୍ରତି ସେୟାର ପାଇଁ ଷ୍ଟେଟ ବ୍ୟାଙ୍କ ୧୦ ଟଙ୍କା ପ୍ରଦାନ କରିବ। ୭୨୫ କୋଟି ସେୟାର ବାବଦରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୭୨୫୦ କୋଟି ଟଙ୍କା ନିବେଶ କରିବାକୁ ହେବ। ଗତ ୧୧ ତାରିଖରେ ଅନୁଷ୍ଠିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର କାର୍ଯ୍ୟନିର୍ବାହୀ କମିଟିର ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଷ୍ଟେଟ ବ୍ୟାଙ୍କ ଏହି ସୂଚନା ଦେଇଛି। ୟେସ୍ ବ୍ୟାଙ୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଂଶ ୪୯ ପ୍ରତିଶତ ଭିତରେ ରହିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୟେସ୍‌ ବ୍ୟାଙ୍କ ଉପରେ କଟକଣା ଜାରି କରିବା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କ ପାଇଁ ଏକ ପୁନରୁଦ୍ଧାର ଯୋଜନା ଘୋଷଣା କରିଥିଲା। ଏହାପରେ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ନିବେଶ କରିପାରେ ବୋଲି ସୂଚନା ଦେଇଥିଲେ। ଏଥିସହିତ ଗତ ସୋମବାର ରଜନୀଶ କୁମାର ଏହା ମଧ୍ୟ କହିଥିଲେ, ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣା ଚଳିତ ସପ୍ତାହରେ ଉଠାଯାଇପାରେ।ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଇଥିବା ପ୍ରସ୍ତାବ ଉପରେ ଶୁକ୍ରବାର କ୍ୟାବିନେଟ୍‌ରେ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର