ଏସ୍‌ବିଆଇ, ୟୁକୋ ବ୍ୟାଙ୍କ ବିକିବେ ଏନ୍‌ପିଏ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ମୋଟ ୧୨୪୫ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଦୁଇ ବ୍ୟାଙ୍କ ଏବେ ଗ୍ରାହକ ଖୋଜୁଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୬୪୭ କୋଟି ୬୪ ଲକ୍ଷ ଟଙ୍କାର ଏନ୍‌ପିଏ ବିକ୍ରି କରାଯିବ। ସେହିପରି ୟୁକୋ ବ୍ୟାଙ୍କ ପକ୍ଷରୁ ୪୫୮ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରାଯିବ। ଯେଉଁ ଋଣଗୁଡ଼ିକ ଉପରେ ୯୦ ଦିନ ପର୍ଯ୍ୟନ୍ତ କିସ୍ତି ବକେୟା ରହିଥାଏ, ବ୍ୟାଙ୍କଗୁଡ଼ିକ ସେହି ଋଣ ଖାତାକୁ ଏନ୍‌ପିଏ ଘୋଷଣା କରନ୍ତି। ଏହି ଖାତାଗୁଡ଼ିକ ଉପରେ ମୂଳଧନ କିସ୍ତି ଏବଂ ସୁଧ ମିଳିବା ବନ୍ଦ ହୋଇଯାଏ। ଖିଲାପୀଙ୍କଠାରୁ ଋଣ ରାଶି ଆଦାୟ କରିବା ଏକ କଷ୍ଟକର ବ୍ୟାପାର। ମାତ୍ର ଅନେକ ଆର୍ଥିକ ସଂସ୍ଥା ରହିଛନ୍ତି ଯେଉଁମାନେ ବ୍ୟାଙ୍କଗୁଡ଼ିକର ସେହି ସବୁ ଋଣକୁ କିଣିନିଅନ୍ତି ଏବଂ ନିଜ ପ୍ରାୟାସରେ ଖିଲାପୀଙ୍କଠାରୁ ତାହାକୁ ହାସଲ କରିଥାନ୍ତି। ଗତ ସପ୍ତାହରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର କିଛି ଏନ୍‌ପିଏ ବିକ୍ରି କରିବାକୁ ଘୋଷଣା କରିଥିଲା। ଅନ୍ୟ କିଛି ପ୍ରମୁଖ ସରକାରୀ ବ୍ୟାଙ୍କ ମଧ୍ୟ ଆଗକୁ ନିଜର ଏନ୍‌ପିଏ ବିକ୍ରି କରିବେ। ଭାରତରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ସାଢ଼େ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହା ଏକ ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର