ସଂଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରହିବା ବାଧ୍ୟତାମୂଳକ ନୁହେଁ : ଷ୍ଟେଟ୍ ବ୍ୟାଙ୍କ

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର କୋଟି କୋଟି ଜମାକାରୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ନିଜର ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ଉଠାଇ ଦେଇଛି । ବର୍ତ୍ତମାନ ଥିବା ବ୍ୟବସ୍ଥା ଅନୁସାରେ ସହରାଞ୍ଚଳ ଗ୍ରାହକମାନେ ନିଜର ସଂଚୟ ଖାତାରେ ସର୍ବନିମ୍ନ ୩ ହଜାର ଟଙ୍କା, ଅର୍ଦ୍ଧ-ସହରାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୧ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ । ଏହି ସର୍ବନିମ୍ନ ଜମା ବା ବାଲାନ୍ସ ନ ରହିଲେ ବ୍ୟାଙ୍କ ୫ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିଲା । କିନ୍ତୁ ଏବେ ଏହି ବ୍ୟବସ୍ଥା ଉଠିଯିବା ପରେ ବ୍ୟାଙ୍କର ପ୍ରାୟ ୪୪.୫୧ କୋଟି ଗ୍ରାହକ ଉପକୃତ ହେବେ । ଷ୍ଟେଟ ବ୍ୟାଙ୍କ ମଧ୍ୟ ଏସଏମଏସ ଦେୟକୁ ପ୍ରତ୍ୟାହାର କରିନେଇଛି ।

ଏ ସଂପର୍କରେ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ ଏହି ପଦକ୍ଷେପ ବ୍ୟାଙ୍କର କୋଟି କୋଟି ଗ୍ରାହକଙ୍କ ମୁଖରେ ଖୁସି ଆଣିଦେବ ଓ ଏହା ଦ୍ୱାରା ସେମାନେ ଅଧିକ ସଶକ୍ତ ହେବେ । ସାରା ଦେଶରେ ଷ୍ଟେଟ ବ୍ୟାଙ୍କର ପ୍ରାୟ ୨୪ ହଜାର ଶାଖା ଥିବାବେଳେ ପ୍ରାୟ ୪୪ କୋଟି ଗ୍ରାହକ ରହିଛନ୍ତି । ଷ୍ଟେଟ ବ୍ୟାଙ୍କର ଏହି ପଦକ୍ଷେପ ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏହି ନୀତି ଅନୁସରଣ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର